Advertisment

୫୨ ବର୍ଷରେ ଆଖିବୁଜିଲେ ଗାୟକ ଜୁବିନ ଗର୍ଗ

ଜୁବିନଙ୍କ ପାଇଁ ବଲିଉଡ୍‌ରେ ସବୁଠୁ ବଡ଼ ବ୍ରେକ୍ ଥିଲା ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗ୍ୟାଙ୍ଗଷ୍ଟର’। ଏହି ଫିଲ୍ମରେ ସେ ‘ୟା ଅଲୀ’ ଗୀତ ଗାଇ ଖୁବ୍ ପ୍ରସିଦ୍ଧି ପାଇଥିଲେ।

author-image
Jitendra Garnayak
Zubeen Garg

Zubeen Garg

ଦେଶର ଅନ୍ୟତମ ଜଣାଶୁଣା ଗାୟକ ଜୁବିନ ଗର୍ଗଙ୍କର ଆଜି ସିଙ୍ଗାପୁରରେ ପରଲୋକ ହୋଇଯାଇଛି। ସ୍କୁବା ଡାଇଭିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିବା ଜୁବିନ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା।

Advertisment

ସେପ୍ଟେମ୍ବର ୨୦ ଓ ୨୧ (ଆସନ୍ତାକାଲି ଓ ରବିବାର)ରେ ସିଙ୍ଗାପୁରରେ ଅନୁଷ୍ଠିତ ହେବାକୁ ଥିବା ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଗୀତ ଗାଇବା ପାଇଁ ଯାଇଥିଲେ ଜୁବିନ ଗର୍ଗ। ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ବହୁତ ଦୁଃଖର କଥା ଯେ ଜୁବିନ ଗର୍ଗଙ୍କ ପରଲୋକ ହୋଇଯାଇଛି। ସ୍କୁବା ଡାଇଭିଂ ବେଳେ ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ସିପିଆର ଦିଆଯାଇଥିଲା। ତା’ପରେ ତାଙ୍କୁ ସିଙ୍ଗାପୁର ଜେନେରାଲ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ସମସ୍ତ ଉଦ୍ୟମ କରିଥିଲେ। କିନ୍ତୁ ଭାରତୀୟ ସମୟ ଅପରାହ୍ନ ୨ଟା ୩୦ ମିନିଟ୍‌ରେ ତାଙ୍କୁ ଆଇସିୟୁରେ ମୃତ ଘୋଷଣା କରିଥିଲେ ଡାକ୍ତର।

ଆସାମର ଜୁବିନ ଗର୍ଗ ଅହମୀୟା, ହିନ୍ଦୀ ଓ ବଙ୍ଗଳା ସହିତ ଅନ୍ୟାନ୍ୟ ବହୁ ଭାରତୀୟ ଭାଷାରେ ଗୀତ ଗାଇଛନ୍ତି। ୩୫ରୁ ଅଧିକ ଅହମୀୟା ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଜୁବିନ କିଛି ହିନ୍ଦୀ ଓ ବଙ୍ଗଳା ଫିଲ୍ମରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଦୁଇ ତିନୋଟି ହିନ୍ଦୀ ଫିଲ୍ମ ସହିତ ପ୍ରାୟ ୨୦ଟି ଅହମୀୟା ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

Advertisment

ବଲିଉଡ୍‌ରେ ବ୍ରେକ୍ ପାଇବା ପୂର୍ବରୁ ଅନେକ ହିନ୍ଦୀ ଆଲବମ୍‌ କରିଥିଲେ ଜୁବିନ। ଗଦ୍ଦର (୧୯୯୫), ଦିଲ୍‌ ସେ (୧୯୯୮), ଡୋଲି ସଜା କେ ରଖନା (୧୯୯୮), ଫିଜା (୨୦୦୦) ଓ କାଣ୍ଟେ (୨୦୦୨) ଭଳି ଫିଲ୍ମରେ ଗୀତ ଗାଇଥିବା ଜୁବିନଙ୍କ ପାଇଁ କିନ୍ତୁ ବଲିଉଡ୍‌ରେ ସବୁଠୁ ବଡ଼ ବ୍ରେକ୍ ଥିଲା ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗ୍ୟାଙ୍ଗଷ୍ଟର’। ଏହି ଫିଲ୍ମରେ ସେ ‘ୟା ଅଲୀ’ ଗୀତ ଗାଇ ଖୁବ୍ ପ୍ରସିଦ୍ଧି ପାଇଥିଲେ। ତା’ପରେ ସେ ଅନେକ ହିଟ୍ ଗୀତ ଗାଇଥିଲେ। ତା’ ମଧ୍ୟରେ ରହିଛି ‘କ୍ରିଶ ୩’ର ‘ଦିଲ୍‌ ତୁ ହି ବତା’ ଗୀତ।

ଜୁବିନଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଆସାମ ଆଜି ତା’ର ଜଣେ ପ୍ରିୟ ପୁତ୍ରକୁ ହରାଇଛି। ଆସାମ ପାଇଁ ଜୁବିନ କ’ଣ ଥିଲେ, ତାହା ବର୍ଣ୍ଣନା କରିବାକୁ ମୋ ପାଖରେ ଶବ୍ଦ ନାହିଁ। ସେ ବହୁତ ଶୀଘ୍ର ଚାଲିଗଲେ। ଏହା ଚାଲିଯିବାର ବୟସ ନଥିଲା। ତାଙ୍କର ସ୍ୱର ଅତୁଳନୀୟ। ତାଙ୍କ ସଂଗୀତ ସିଧାସଳଖ ଆମ ହୃଦୟ ସହିତ କଥା ହେଉଥିଲା। ତାଙ୍କର କ୍ଷତି ଅପୂରଣୀୟ। ଆମର ଆଗାମୀ ପିଢ଼ି ତାଙ୍କୁ ଆସାମ ସଂସ୍କୃତିର ଜଣେ ତୁଙ୍ଗ ବ୍ୟକ୍ତିତ୍ୱ ଭାବେ ମନେ ରଖିବ। ତାଙ୍କ କାର୍ଯ୍ୟ ବର୍ତ୍ତମାନର କଳାକାର ଓ ତଥା ଭବିଷ୍ୟତର କଳାକାରମାନଙ୍କୁ ପ୍ରେରଣା ଦେବ। ସଂଗୀତ ବ୍ୟତୀତ, ଲୋକଙ୍କ ସହିତ ତାଙ୍କର ସଂପର୍କ ଓ ସାହାଯ୍ୟ କରିବାର ମନୋବୃତ୍ତି ପାଇଁ ସେ ସର୍ବାଦା ମନେ ରହିବେ। ସେ ସବୁବେଳେ ଆସାମର ପ୍ରିୟ ରକ୍‌ଷ୍ଟାର ହୋଇ ରହିବେ।