/odisha-reporter/media/post_attachments/uploadimage/library/16_9/16_9_0/Tutu_Nayak_1699095250.jpg)
Tutu Nayak
ବିବାଦ ବଢ଼ିବାରୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କଲା ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଜୋନ୍-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲଗାଇଛି।
ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ ଦେବସ୍ମିତା। ସେ ଗେଟ୍ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍କୁ ଚାପୁଡାଏ ମାରିଥିବା ଅଭିଯୋଗ ହୋଇଥିଲା।
ଏନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ଫିଲ୍ମ ହଲ୍ରେ ପହଞ୍ଚି ଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏହି ମାମଲାରେ ଆଜି ଓଡ଼ିଶା ୱିମେନ୍ ଆଣ୍ଡ ମିଡ଼ିଆର ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ।
ସେପଟେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ। ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ରୁଜୁ କରାଯାଇଥିବା ନେଇ ସୂଚନା ଦେଲେ ମହିଳା କମିଶନ ଅଧକ୍ଷା ମିନତୀ ବେହେରା।
ମହିଳା କମିଶନଙ୍କ ରିପୋର୍ଟ ତଲବ ପରେ ତତ୍ପର ହୋଇଥିଲା କମିଶନରେଟ୍ ପୁଲିସ୍। ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା ପୁଲିସ। ଖାରବେଳ ନଗର ଥାନାରେ ତାଙ୍କୁ ଘନଘନ ଜେରା କରାରିଥିଲା। ଦୀର୍ଘ ସମୟ ଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ କୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୋଗକାରୀଙ୍କ ୧୬୧ରେ ବୟାନ୍ ରେକର୍ଡ କରିଛି।
ଗିରଫ ନେଇ ବନ୍ଧୁ ସୁଧାକର ବସନ୍ତ କହିଛନ୍ତି, ପ୍ରଯୋଜକ ଟୁଟୁ ନାୟକ ଭୁଲ ମାଗିବେ। ସେ ଏଥିପାଇଁ ରାଜି ଅଛନ୍ତି। ଟିକେ ସମୟ ଦେବାକୁ ଅନୁରୋଧ କଲେ ବସନ୍ତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
