Advertisment

କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କୁ ଗିରଫ ପାଇଁ କୋଲକାତା ଗଲା ପୁଲିସ୍‌

ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀଙ୍କର କଳା ପ୍ରତି ଅହେତୁକ ରୁଚି ଥିଲା। ନିଜ ଚାକିରି ଜୀବନରୁ ଫୁରସତ୍‌ ମିଲିଲେ ଷ୍ଟେଜ୍‌କୁ ଚାଲି ଯାଉଥିଲେ।

author-image
Manoranjan Sial
Sourin Bhatt

Singer Sourin Bhatt

ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ଅଡୁଆ ବଢ଼ିଲା। ତାଙ୍କୁ ଗିରଫ କରିବା ପାଇଁ କୋଲକାତା ଗଲା କମିଶନରେଟ୍‌ ପୁଲିସ୍‌। ପ୍ରାଥମିକ ତଦନ୍ତରୁ ତାଙ୍କ ବିରୋଧରେ ପ୍ରମାଣ ମିଳିଛି। କିଛି ଦିନ ତଳେ ସୌରିନଙ୍କ ବିରୋଧରେ ଜଣେ ଯୁବତୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ହେଲେ ତା’ ପରଠାରୁ ସୌରିନ୍‌ଙ୍କ ପତ୍ତା ମିଳିନଥିଲା।

Advertisment

ପୁଲିସ୍‌ର କହିବା ଅନୁସାରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ଥାନାରେ ହାଜର ହେବା ପାଇଁ ଗଣମାଧ୍ୟମ ଓ ତାଙ୍କର ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କର ଦୁଇଟି ଯାକ ମୋବାଇଲ୍‌ ବନ୍ଦ ରହିଥିଲା। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ସେ (ସୌରିନ୍‌) ସବୁକିଛି ଜାଣିଛନ୍ତି। ଚାହିଁଥିଲେ ସେ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିପାରିଥାଆନ୍ତେ। ହେଲେ ସେ ତାହା କଲେ ନାହିଁ। ତେଣୁ ତାଙ୍କ ବିରୋଧରେ ପ୍ରମାଣ ମିଳିଥିବାରୁ ଗିରଫ କରିବା ପାଇଁ ପୁଲିସ୍‌ ରାଜ୍ୟ ବାହାରକୁ ଯାଇଛି।

କମିଶନରେଟ୍‌ ପୁଲିସ୍‌ ଆହୁରି ମଧ୍ୟ କହିଛି, ସେ (ସୌରିନ୍‌) କଟକ ସିଡିଏରେ ଘୋଟିଏ ଘର ଭଡ଼ାରେ ନେଇଥିଲେ। ଏବେ ମଧ୍ୟ ତାଙ୍କ ନାଁରେ ଘର ଭଡ଼ା ରହିଛି। ସେ ଯେତେବେଳେ କୋଲକାତାରୁ ଆସୁଥିଲେ, ସେହି ଘରେ ରହୁଥିଲେ। ସେହି ଘରକୁ ପୀଡ଼ିତା ଯାଇଥିବା ଏଫ୍‌ଆଇଆର୍‌ରେ କହିଥିଲେ। ବର୍ତ୍ତମାନ ସେହି ଘର ଉପରେ ମଧ୍ୟ ନଜର ରଖାଯାଇଥିବା ପୁଲିସ୍‌ କହିଛି।

Advertisment

ଅଭିଯୋଗରୁ ପ୍ରକାଶ, ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀଙ୍କର କଳା ପ୍ରତି ଅହେତୁକ ରୁଚି ଥିଲା। ନିଜ ଚାକିରି ଜୀବନରୁ ଫୁରସତ୍‌ ମିଲିଲେ ଷ୍ଟେଜ୍‌କୁ ଚାଲି ଯାଉଥିଲେ। ଆଉ ମାଇକ୍ରୋ ଫୋନ୍‌ ଧରି ଗୀତ ଗାଉଥିଲେ। ୨୦୧୫ ମସିହାରେ ସେ ବଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ସସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉଭୟ ମିଶି ବହୁ ଷ୍ଟେଜ୍‌ ଶୋ’ କରିଥିଲେ।

ଷ୍ଟେଜ୍‌ ଶୋ’ ସମୟରେ ଯୁବତୀଙ୍କୁ ଜଣେ ପ୍ରତିଷ୍ଠିତ ଗାୟିକା କରିଦେବାର ପ୍ରତିଶ୍ରୁତି ଦେଇଥିଲେ ସୌରିନ୍‌। ଆଉ ତାଙ୍କର ସେହି କଥାକୁ ସେ ସହଜରେ ବିଶ୍ୱାସ କରି ନେଇଥିଲେ। ଏହାର ସୁଯୋଗ ନେଇ ସୌରିନ କୁଆଡ଼େ ତାଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଫେରାଉନଥିଲେ। ଏପରିକି ଧରାଛୁଆଁ ଦେଉନଥିଲେ। ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଯୁବତୀ ଅଭିଯୋଗ କରିଥିଲେ।

ଯୁବତୀ ଜଣକ ଓଡ଼ିଶା ଆସି ପ୍ରଥମେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ଜଗତପୁର ଥାନା ପୁଲିସ୍‌ ତାଙ୍କୁ କଟକ ମହିଳା ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲା। ଏହା ପରେ ପୀଡ଼ିତା ଜୁନ୍‌ ୧୨ ତାରିଖରେ କଟକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଥିଲା ମହିଳା ଥାନା ପୁଲିସ୍‌। ସୌରିନ୍‌ଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ କରିଥିଲା। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ପୁଲିସ।

Entertainment Cuttack Tollywood