Advertisment

ଆଇଏଏସଙ୍କ ଖାସ୍ ଦୟାନିଧି, ବିଭାଗ ଦେଉଥିଲା କୋଟିକୋଟି ଟଙ୍କାର କାମ

ଓଲିଉଡର ଆଗଧାଡ଼ିର ଜଣେ ହିରୋଇନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋଚିତ୍ର ଭାଇରାଲ ଓ ତାଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ଦୟା ଏଣ୍ଟରଟେନମେଂଟ ମାଲିକ ଦୟାନିଧି ଦହିମାଙ୍କ ବିରୁଦ୍ଧରେ କୋର୍ଟଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ପୁଲିସ ଏକ ମାମଲା ରୁଜୁ କରିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Dayanidhi

Dayanidhi

ଓଲିଉଡର ଆଗଧାଡ଼ିର ଜଣେ ହିରୋଇନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋଚିତ୍ର ଭାଇରାଲ ଓ ତାଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ଦୟା ଏଣ୍ଟରଟେନମେଂଟ ମାଲିକ ଦୟାନିଧି ଦହିମାଙ୍କ ବିରୁଦ୍ଧରେ କୋର୍ଟଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ପୁଲିସ ଏକ ମାମଲା ରୁଜୁ କରିଛି । ଦୟାନିଧିଙ୍କ ବିରୁଦ୍ଧରେ ମାମଲା ରୁଜୁ ପରେ ତାଙ୍କର ହାଇପ୍ରୋଫାଇଲ୍ ଲିଙ୍କ୍ ଏବେ ଧୀରେଧୀରେ ପଦାକୁ ଆସିବାରେ ଲାଗିଛି । ରାଜ୍ୟର ଜଣେ ବରିଷ୍ଠ ଆଇଏଏସ ଓ କିଛି ଓଏଏସ ଅଫିସରଙ୍କ ଖାସ୍ ଭାବେ ଦୟାନିଧି ରାଜ୍ୟ ସରକାରଙ୍କ  ବିଭିନ୍ନ ବିଭାଗର ପ୍ରାୟ ଅଧିକାଂଶ ବିଜ୍ଞାପନ ପ୍ରସ୍ତୁତିର ଦାୟିତ୍ୱ ନେଇଥିଲେ । ଦୟାନିଧିଙ୍କ ସହ ଭିତରି ବୁଝାମଣାରେ ତାଙ୍କର ସଂସ୍ଥାକୁ କୋଟି କୋଟି ଟଙ୍କାର ସରକାରୀ କାର୍ଯ୍ୟ ଟେକି ଦେବାକୁ ଏହି ଅଫିସରମାନେ ପଛାଇ ନଥିବା ଜଣାପଡ଼ିଛି । ଆଉ ସମ୍ପୃକ୍ତ ଅଭିନେତ୍ରୀ ଯେଉଁ ସବୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଯଦି ସେଥିରେ ସତ୍ୟତା ଥାଏ ତା’ହେଲେ ରାଜ୍ୟର ଅଫିସରମାନଙ୍କୁ ବିଭିନ୍ନ ଉପାୟରେ ଖୁସି କରିବାର କୌଶଳ ସମ୍ଭବତଃ ଦୟାନିଧିଙ୍କୁ ଜଣାଥିଲା ବୋଲି ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ଓଲିଉଡର ଜଣେ ନାମକରା ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଓ ଭୁବନେଶ୍ୱର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ଥାନାରେ ଦୟା ଏଣ୍ଟରଟେନମେଂଟ ସଂସ୍ଥାର ମାଲିକ ଦୟାନିଧି ଦହିମାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ରାଜଗାଙ୍ଗପୁରର ଦୟାନିଧିଙ୍କ ବିରୁଦ୍ଧରେ ଆଇପିସିର ଦଫା-୨୬୮,୨୯୪,୩୪୯,୩୫୦,୩୫୪,୩୫୪-କ,୩୫୪-ଗ, ୩୮୩,୪୨୦,୪୬୮,୪୯୯,୫୦୩ ଓ ୫୦୬ ସମେତ ଆଇଟି ଆକ୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ପ୍ରାୟ ୩ଦିନ ଧରି ଲକ୍ଷ୍ମୀସାଗର ଥାନା ଏହି ମାମଲା ରୁଜୁ କରିଥିଲେ ମଧ୍ୟ ଦୟାନିଧିଙ୍କୁ ଗିରଫ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ପ୍ରଥମେ ମାମଲା ରଖିବାକୁ ମନା କରିଥିବା ଲକ୍ଷ୍ମୀସାଗର ପୁଲିସ ଏବେସୁଦ୍ଧା ତାଙ୍କୁ ଗିରଫ କରିନଥିବାରୁ ପୁଲିସର ଆଭିମୁଖ୍ୟ ମଧ୍ୟ ସନ୍ଦେହଘେରରେ ରହିଛି । ଓଡ଼ିଆ ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଦସ୍ତାବିଜରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୟାନିଧି ଦହିମା ୨୦୨୩ ମାର୍ଚ୍ଚ ୨୭ ତାରିଖରେ ଲକ୍ଷ୍ମୀସାଗର ଥାନାରେ ନିଜର ଅପରାଧ ସ୍ୱୀକାର କରିବା ସହ ମିଛରେ କାହାର ଚରିତ୍ର ସଂହାର କରିବେ ନାହିଁ ଓ ସମ୍ପୃକ୍ତ ଅଭିନେତ୍ରୀ ତଥା ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷମା ମାଗିଥିଲେ । ଏହି ହାତଲେଖା ସ୍ୱୀକାରୋକ୍ତି ହିଁ ଦୟାନିଧିଙ୍କ କୁତ୍ସିତ ଓ ଅପରାଧିକ ମାନସିକତାକୁ ପଦାରେ ପକାଇଛି ।

ତେବେ ପ୍ରଶ୍ନ ଉଠୁଛି, ଦୟାନିଧିଙ୍କ ଏଭଳି ଚାରିତ୍ରିକ ସ୍ଖଳନ ଥିବାବେଳେ ରାଜ୍ୟ ସରକାରଙ୍କ  ଜଣେ ବରିଷ୍ଠ ଆଇଏଏସ ତାଙ୍କ ପ୍ରତି ଏତେ ଅନୁକମ୍ପା ପ୍ରଦର୍ଶନ କରୁଥିଲେ କାହିଁକି । ଦୟାନିଧିଙ୍କ ବିଜ୍ଞାପନ ସଂସ୍ଥା ଗତ ୨-୩ବର୍ଷ ଧରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗରେ ପ୍ରାୟ ୬୦ରୁ୭୦ ପ୍ରତିଶତ ବିଜ୍ଞାପନ ପ୍ରସ୍ତୁ୍‌ତିର ଦାୟିତ୍ୱ ନେଇଛି । ସଂସ୍କୃତି ବିଭାଗରୁ ସେ ଅନେକ ପରିମାଣର କାର୍ଯ୍ୟାଦେଶ ପାଇଛନ୍ତି । ରାଜ୍ୟରେ ବହୁ ସଂଖ୍ୟାରେ ବିଜ୍ଞାପନ ସଂସ୍ଥା ଥିବାବେଳେ ଦୟାନିଧିଙ୍କ ସଂସ୍ଥାକୁ ଅହେତୁକ ସରକାରୀ ଅନୁକମ୍ପା ମିଳୁଥିଲା । କେବଳ କିଛି ଅଫିସରଙ୍କ ଆଶୀର୍ବାଦରେ ଦୟାନିଧି ନିଜର ବିଜ୍ଞାପନ ସଂସ୍ଥା ମାଧ୍ୟମରେ ବହୁ କୋଟି ଟଙ୍କା ଉପାର୍ଜନ କରିବାରେ ସକ୍ଷମ ହେବା ସହ ନିଜର ବିଜ୍ଞାପନ ସଂସ୍ଥାର ଅଫିସ୍ ମଧ୍ୟ ରସୁଲଗଡ଼ର ଏସପ୍ଲାନଏଡ ୱାନ୍ ଭଳି ବ୍ୟୟବହୁଳ ବିଲିଡିଂରେ କରିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।

Advertisment

ଜଣେ ବରିଷ୍ଠ ଆଇଏଏସଙ୍କ ସହ ଦୟାଙ୍କ ଘନିଷ୍ଠ ସମ୍ପର୍କ ଯୋଗୁ ତାଙ୍କର ସଂସ୍ଥାକୁ ନିୟମିତ ୱାର୍କଅର୍ଡର ଦେବା ପାଇଁ ଗଳାବାଟରେ ଟେଣ୍ଡର କରାଯାଏ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହି ଆଇଏଏସଙ୍କ ଚାପରେ ପୁଲିସ ଦୟାନିଧିଙ୍କୁ ଗିରଫ କରିବାରେ ଦିନ ଗଡ଼ାଉଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Entertainment Odisha Governance