ପ୍ରଥମ ଫିଲ୍ମରୁ କେତେ ଟଙ୍କା ପାଇଥିଲେ ଏବଂ ସେ ପଇସାକୁ କେଉଁ କାର୍ଯ୍ୟରେ ଲଗାଇଥିଲେ ସିଦ୍ଧାନ୍ତ?

ଝିଅମାନଙ୍କୁ ପୁଚୁକି ଗାଲି ଡାକିଲେ ସେମାନେ ଟିକେ ନାକ ଟେକନ୍ତି। କିନ୍ତୁ ପୁଚୁକି ଗାଲି ଗୀତ ଶୁଣିବାକୁ ବେଶ୍‌ ଭଲ ପାଆନ୍ତି। ଆଉ ସେ ଗୀତରେ ଅଭିନୟ କରିଥିବା କଳାକାରଙ୍କ ପ୍ରତି ତାଙ୍କ ଭଲ ପାଇବା କାହିଁରେ କେତେ। ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଆପଣଙ୍କ ଅନୁମାନ ଠିକ୍‌। ମୁଁ ଏଠି ଓଲିଉଡ୍‌ର ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର,ମାନେ ଆମ ପ୍ରିୟ ମୁନ୍ନା ଭାଇଙ୍କ କଥା କହୁଛୁ। ବହୁଦିନ ପରେ ସେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି। ତରଙ୍ଗ […]

labanga-(1)

labanga-(1)

Biswobandita Swain
  • Published: Friday, 31 May 2019
  • Updated: 31 May 2019, 06:54 PM IST

ଝିଅମାନଙ୍କୁ ପୁଚୁକି ଗାଲି ଡାକିଲେ ସେମାନେ ଟିକେ ନାକ ଟେକନ୍ତି। କିନ୍ତୁ ପୁଚୁକି ଗାଲି ଗୀତ ଶୁଣିବାକୁ ବେଶ୍‌ ଭଲ ପାଆନ୍ତି। ଆଉ ସେ ଗୀତରେ ଅଭିନୟ କରିଥିବା କଳାକାରଙ୍କ ପ୍ରତି ତାଙ୍କ ଭଲ ପାଇବା କାହିଁରେ କେତେ।

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଆପଣଙ୍କ ଅନୁମାନ ଠିକ୍‌। ମୁଁ ଏଠି ଓଲିଉଡ୍‌ର ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର,ମାନେ ଆମ ପ୍ରିୟ ମୁନ୍ନା ଭାଇଙ୍କ କଥା କହୁଛୁ। ବହୁଦିନ ପରେ ସେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ରେ ତାଙ୍କୁ ଦେଖିବାକୁ ମିଳିବ, ତା' ପୁଣି ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସହିତ।
ନିକଟରେ ଓଡ଼ିଶା ରିପୋର୍ଟରକୁ ଦେଇଥିବା ସାକ୍ଷାତକାରରେ ସିଦ୍ଧାନ୍ତ ନିଜ ଫିଲ୍ମ ଛଡ଼ା ନିଜ ଜୀବନ ସମ୍ପର୍କରେ କିଛି ଅଜଣା କଥା ମଧ୍ୟ ଶେୟାର କରିଥିଲେ।

୧) ଫିଲ୍ମରେ ମୁନ୍ନା ଭାଇଙ୍କୁ ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ଏବେ ଆପଣଙ୍କ ଫିଲ୍ମ ସଂଖ୍ୟା କମିଯାଉଛି କାହିଁକି?
ଯେମିତି ଆପଣମାନେ ସମସ୍ତେ ଜାଣନ୍ତି ମୁଁ ୫ବର୍ଷ ପାଇଁ ବ୍ରହ୍ମପୁରରୁ ଏମ୍‌ପି ହୋଇଥିଲି। ସେତେବେଳେ ମୋର ଦାୟିତ୍ୱ ଥିଲା ଯେ ମୁଁ ଲୋକଙ୍କ ସେବାରେ ମୋର ବେଶି ସମୟ ନିୟୋଜିତ କରିବି। ତେଣୁ ମୁଁ ରାଜନୀତିରେ ବେଶି ସମୟ ଦେଇ ଫିଲ୍ମ ପ୍ରତି ଟିକେ କମ୍ ସମୟ ଦେଲି। ଏବେ ମତେ ଲାଗୁଛି ମୁଁ ଟିକେ ବିଶ୍ରାମ ପାଇଛି। ଏହି ସମୟରେ ମୁଁ କିଛି ଫିଲ୍ମ କରିବାକୁ ଚାହୁଁଛି। ଆପମମାନେ ମତେ ଆଗକୁ କିଛି ଫିଲ୍ମ କରିବାର ଦେଖିବାକୁ ପାଇବେ।

୨) କେଉଁ ଜିନିଷ ପାଇଁ ଆପଣ ବେଶି ରୁଚି ରଖନ୍ତି ବା କରିବାକୁ ପସନ୍ଦ କରନ୍ତି, ଅଭିନୟ ନା ରାଜନୀତି?
ମତେ ଯଦି କୁହାଯାଏ ତେବେ ମୁଁ କହିବି ଦୁଇଟି। କାରଣ ଫିଲ୍ମ ଜରିଆରେ ବି ମୁଁ ଲୋକଙ୍କ ମନୋରଞ୍ଜନ କରୁଥିଲି ଏବଂ ରାଜନୀତିରେ ବି ମୁଁ ଲୋକଙ୍କ ସେବା କରୁଛି। ତେଣୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ମୁଁ ଲୋକଙ୍କ ସହ ଜଡିତ ରହିଛି। ତେଣୁ ମୁଁ ଦୁଇଟି ଦାୟିତ୍ୱରେ ଖୁସି। ଏହି ଦୁଇଟି କାର୍ଯ୍ୟ କରିବାକୁ ଭଲପାଏ।

୩) ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ଆସିଲେ ରଚନା ବାନାର୍ଜିଙ୍କ କଥା ମନେପଡ଼େ, ପୁଣି କେବେ ଆପଣଙ୍କୁ ରଚନାଙ୍କ ସହ ଏକାଠି କାମ କରୁଥିବା ଦେଖିବାକୁ ମିଳିବ?ହଁ, ସେମିତି କିଛି ଯୋଜନା ଚାଲିଛି। କାହାଣୀ ମଧ୍ୟ ପ୍ରସ୍ତୁତ ହେଉଛି। ଯେହେତୁ ସେ ବେଙ୍ଗଲରେ ଏବଂ ମୁଁ ଓଡ଼ିଶାରେ ରହିଛି। ମୁଁ ବି ମୋ କାମରେ ବ୍ୟସ୍ତ ରହୁଛି ତେଣୁ ସମୟର ଟିକେ ଅଭାବ ରହିଯାଉଛି। ତଥାପି ସେମିତି କିଛି ଭଲ କାହାଣୀର ଯୋଜନା ଚାଲିଛି। ଭଲ କାହାଣୀ ମିଳିଲେ ଆମେ ପୁଣି ଏକାଠି ନଜର ଆସିବୁ।
୪) କେଉଁ ଫିଲ୍ମ ଆପଣଙ୍କ ହୃଦୟକୁ ବେଶି ଛୁଇଁ ପାରିଛି?
ସେମିତି ମୁଁ କେବେ ଭାବିନି। କାରଣ ମୁଁ ମୋର ପ୍ରତ୍ୟେକଟି ଫିଲ୍ମକୁ ମୋର ୧୦୦% ଦେଇଛି। ଭଲଠୁ ଆହୁରି ଭଲ କରିବାକୁ ଚେଷ୍ଟା କରିଛି। କେଉଁ ଫିଲ୍ମ ଭଲ କି ଖରାପ ହୋଇଥିବ ସେକଥା ତ କହିପାରିବିନି। କିନ୍ତୁ ମୁଁ ପ୍ରତ୍ୟେକ ଫିଲ୍ମରେ ଭଲ କରିବାକୁ ଚେଷ୍ଟା କରିଛି।

୫) ପ୍ରଥମ ଫିଲ୍ମରୁ କେତେ ଟଙ୍କା ପାଇଥିଲେ ଏବଂ ସେ ଟଙ୍କାକୁ ନେଇ କେଉଁ କାମରେ ଲଗାଇଥିଲେ?
ପ୍ରଥମ ଫିଲ୍ମରୁ ପଇସା ପାଇନଥିଲି। ଦ୍ୱିତୀୟ ଫିଲ୍ମରେ ମଧ୍ୟ ସମାନ ଅବସ୍ଥା ମାନେ, କିଛି ପଇସା ପାଇ ନଥିଲି। ସେତେବେଳେ ମୁଁ ଏତେ ଦାବି କରୁନଥିଲି କି ଅଭିନୟକୁ ମୋର ଭବିଷ୍ୟତର ବୃତ୍ତି ବୋଲି ଭାବିନଥିଲି। ତୃତୀୟ ଫିଲ୍ମରୁ ୨୧ହଜାର ଟଙ୍କା ପାଇଥିଲି। ସେତେବେଳେ ସେ ସମସ୍ତ ପଇସା ମୁଁ ଭୁବନେଶ୍ୱରରେ ତିଆରି ହେଉଥିବା ମୋ ଘର କାମରେ ଲଗେଇଦେଇଥିଲି।

୬) ଆପଣଙ୍କ ସମୟରେ ଫିଲ୍ମ ଦେଖିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଥିଲେ କିନ୍ତୁ ଏବେ ଓଡ଼ିଆ ଫିଲ୍ମର ଚାହିଦା କାହିଁକି କମି ଯାଇଛି?
ଏବେ ଫିଲ୍ମରେ ବ୍ୟବସାୟିକ ମନୋବୃତ୍ତି ରହୁଛି। କମ୍‌ ସମୟ ମଧ୍ୟରେ ଫିଲ୍ମ କରିବାକୁ ପଡୁଥିବାରୁ ଅନ୍ୟ ଭାଷାରୁ କପି କରିବାକୁ ପଡୁଛି। ଏହାଦ୍ୱାରା ଓଡ଼ିଆ ଫିଲ୍ମ କେଉଁଠି ନା କେଉଁଠି ତାର ମାନ ହରାଉଛି। ଆମ ପାଖରେ ଅନେକ ଦକ୍ଷ ଲୋକ ଅଛନ୍ତି ଯେଉଁମାନେ ଭଲ କାହାଣୀ ଲେଖି ପାରିବେ, ଡାଇଲଗ୍ ଲେଖିପାରିବେ। କିନ୍ତୁ ଆମେ କେବଳ ଟ୍ରାନ୍ସଲେଟ୍‌ କରୁଛେ। (ଦେଖନ୍ତୁ ଭିଡ଼ିଓ)

https://www.youtube.com/watch?v=VAHVLQPJ3So&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos