ହରିୟାଣା: ଫିଲ୍ମ ଶୁଟିଂକୁ କୃଷକଙ୍କ ବିରୋଧ। ପଞ୍ଜାବ ପଟିଆଲାରେ ଚାଲିଥିବା ବଲିଉଡର ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡଲକ୍ ଜେରୀ’ର ଶୁଟିଂକୁ ସ୍ଥାନୀୟ ଲୋକ ଅଟକାଇ ଦେଇଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ଫିଲ୍ମ ଶୁଟିଂକୁ ବିରୋଧ କରିଛନ୍ତି। ଯେତେ ଯାଏଁ ନୂଆ କୃଷି ଆଇନ ରଦ୍ଦ ହୋଇନି ସେତେବେଳ ଯାଏଁ ପଞ୍ଜାବରେ କୌଣସି ଫିଲ୍ମ ଶୁଟିଂ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ ଚେତାଇ ଦେଇଛନ୍ତି।
ସୂଚନା ମୁତାବକ, ନିକଟରେ ପଟିଆଲାରେ ବଲିଉଡ ଫିଲ୍ମ ‘ଗୁଡଲକ୍ ଜେରୀ’ ଶୁଟିଂ ଚାଲିଥିଲା। ଏଥିପାଇଁ ଫିଲ୍ମର ପୁରା ଷ୍ଟାରକାଷ୍ଟ ଏବଂ କ୍ରୁ ମେମ୍ବର ସେଠାରେ ଡେରା ପକାଇଥିଲେ । କିନ୍ତୁ କୃଷକମାନେ ଫିଲ୍ମ ଶୁଟିଂ ଚାଲିଥିବା ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଶୁଟିଂକୁ ସଙ୍ଗେ ସଙ୍ଗେ ବନ୍ଦ କରିବା ପାଇଁ ପାଟିତୁଣ୍ଡ କରିବା ସହ ସେଠାରୁ ପଳାଇ ଯିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଫିଲ୍ମର ପୁରା ଟିମ କୃଷକମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଶୁଟିଂ ଶୀଘ୍ର ବନ୍ଦ କରିବାକୁ ପାଇଁ ସେମାନେ ଅଡି ବସିଥିଲେ। ଶେଷରେ ବାଧ୍ୟ ହୋଇ ଫିଲ୍ମର ପୁରା ଟିମ୍ ଶୁଟିଂ ସେଟ୍ ଛାଡି ହୋଟେଲକୁ ପଳାଇ ଆସିଥିଲେ। ଉକ୍ତ ଫିଲ୍ମର ଟିମରେ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ସାମିଲ ଥିଲେ। ହୋଟେଲକୁ ମଧ୍ୟ କୃଷକମାନେ ଆସି ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ରିପୋର୍ଟ ମୁତାବକ ଫିଲ୍ମ ‘ଗୁଡଲକ୍ ଜେରୀ’ର ଲିଡ୍ ରୋଲରେ ଅଭିନେତ୍ରୀ ଜାହ୍ନବୀ କପୁର ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ଦୀପକ ଡୋବ୍ରିଆଲ, ମୀତା ବଶିଷ୍ଟ, ନିରଜ ସୁଦ ଅଛନ୍ତି। ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଆସନ୍ତା ସପ୍ତାହରେ ସେ ଫିଲ୍ମ ଶୁଟଂ ପାଇଁ ପଟିଆଲା ଯାଇଥା’ନ୍ତେ।
ପୂର୍ବରୁ ମଧ୍ୟ ଏହି ଫିଲ୍ମର ଶୁଟିଂକୁ ନେଇ ପଞ୍ଜାବରେ ବିରୋଧ ହୋଇଥିଲା। ଗତ ୧୩ ଜାନୁଆରୀରେ ଫତେଗଡ ସାହେବର ବସ୍ସି ପଠାନାରେ ଏହି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆନ୍ଦୋଳନକାରୀ କୃଷକମାନେ ସଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମ ଶୁଟିଂ ବନ୍ଦ କରିଦେଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।