Advertisment

ନିଶା ପାଇଁ ଝଡ଼, ଅଧାରେ ରହିଲା ନାଟକ ‘ପଡ଼ିଗଲି ମୁଁ ତୋ ପ୍ରେମରେ’

ଗ୍ରୀନ୍‌ ରୁମ୍‌ରେ ଏହି ଖବର ପ୍ରଚାରିତ ହେବା ପରେ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁ କଳାକାରଙ୍କୁ ଯାତ୍ରା ଇଣ୍ଡଷ୍ଟ୍ରୀ ବ୍ୟାନ୍‌ କରିଛି, ତାଙ୍କୁ ଡ୍ୟାନ୍ସ କରିବା ପାଇଁ ଅନୁମତି ଦେଲା କିଏ?

author-image
Manoranjan Sial
Jatra Actress

Jatra Actress

ବିବାଦୀୟ ନାୟିକା ନିଶା ମହାରଣା ପାଇଁ ଷ୍ଟେଜ୍‌ରେ ସୃଷ୍ଟି ହୋଇଛି ଝଡ଼। ନାଟକ ଆରମ୍ଭ ହୋଇଥିବାରୁ ଡ୍ୟାନ୍ସ କରିବାକୁ ଦେଲେନାହିଁ କଳାକାର। ସେଥିପାଇଁ କଳାକାର ଓ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯେଉଁଥିପାଇଁ ଅଧାରୁ ବନ୍ଦ ରହିଲା ନାଟକ ‘ପଡ଼ିଗଲି ମୁଁ ତୋ ପ୍ରେମରେ’। ଆଉ ରାତିରେ ହୋ-ହଲ୍ଲା ହୋଇ ଘରକୁ ଫେରିଲେ ଯାତ୍ରା ପ୍ରେମୀ। ଏପରି ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ।

Advertisment

ରାଜକନିକା ଥାନା ଅବଦୁଲପୁରରେ ଖେଳୁଥିଲା ‘ଅପେରା ସାଇଦୁର୍ଗା’। ମଙ୍ଗଳବାର ଥିଲା ପ୍ରଥମ ରଜନୀ। ହାଉସ୍‌ଫୁଲ୍‌ ଥିଲା କ୍ୟାମ୍ପ। ‘ପଡ଼ିଗଲି ମୁଁ ତୋ ପ୍ରେମରେ’ ନାଟକ ଦେଖିବାକୁ ଦର୍ଶକଙ୍କର ଥିଲା ଅସମ୍ଭାଳ ଭିଡ଼। ସବୁ ଠିକ୍‌ଠାକ୍‌ ଥିଲା। ନିର୍ଦ୍ଧାରିତ ସମୟରେ ମେଲୋଡି ଓ ଡ୍ୟାନ୍ସ ହୋଇଥିଲା। ପରେ ଆରମ୍ଭ ହୋଇଥିଲା ନାଟକ। ୪ରୁ ୫ଟି ସିନ୍‌ ଯାଇଥିଲା। ଠିକ୍‌ ସେହି ସମୟରେ ଗ୍ରୀନ୍‌ ରୁମ୍‌ରେ ଶୁଣିବାକୁ ମିଳିଲା ଡ୍ୟାନ୍ସ କରିବାକୁ ଆସୁଛନ୍ତି ନିଶା ମହାରଣା।

ଗ୍ରୀନ୍‌ ରୁମ୍‌ରେ ଏହି ଖବର ପ୍ରଚାରିତ ହେବା ପରେ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁ କଳାକାରଙ୍କୁ ଯାତ୍ରା ଇଣ୍ଡଷ୍ଟ୍ରୀ ବ୍ୟାନ୍‌ କରିଛି, ତାଙ୍କୁ ଡ୍ୟାନ୍ସ କରିବା ପାଇଁ ଅନୁମତି ଦେଲା କିଏ? ଏହାର ଉତ୍ତର କାହା ପାଖରେ ନଥିବା ବେଳେ କଳାକାରଙ୍କ ମଧ୍ୟରେ ଗୁଞ୍ଜରିତ ହେଉଥିଲା ଅସନ୍ତୋଷ। ଶେଷରେ କଳାକାରମାନେ ନାଶାଙ୍କୁ ଷ୍ଟେଜ୍‌ରେ ଚଢ଼ାଇବାକୁ ଦେବେନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏହାକୁ ନେଇ କଳାକାର ଓ ଯାତ୍ରା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଯାତ୍ରା କମିଟିର କର୍ମକର୍ତ୍ତାମାନେ ଜଣେ କଳାକାରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ଖଣ୍ଡ ଯୁଦ୍ଧ ପରେ ନିଶା ଡ୍ୟାନ୍ସ କରିନପାରି ଫେରି ଯାଇଥିଲେ। ଗଣ୍ଡଗୋଳ ଯୋଗୁ ଯାତ୍ରା ମଧ୍ୟ ଅଧାରୁ ବନ୍ଦ ହୋଇଯାଇଥିଲା। ହୋ-ହଲ୍ଲା କରି ଦର୍ଶକମାନେ ଘରକୁ ଫେରିଥିଲେ। ଅନ୍ୟ ପକ୍ଷରେ ଆଜି କଳାକାରମାନେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାତ୍ରା କମିଟି କର୍ମକର୍ତ୍ତାମାନେ ମାଡ଼ ମାରିଥିବା ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ଯାତ୍ରା କମିଟି କର୍ମକର୍ତ୍ତା ଓ କଳାକାରଙ୍କୁ ଆଲୋଚନା ପାଇଁ ଡାକିଛି। ସନ୍ଧ୍ୟା ବେଳେ ବୈଠକ ବସିବ। ବୈଠକ ପରେ ସେଠାରେ ଯାତ୍ରା ପରିବେଶଣ ହେବ କି ନାହିଁ ଜଣାପଡ଼ିବ।

ରିପୋର୍ଟ-ଆଳିରୁ ବନମାଳୀ ସାହୁ

Jollywood Kendrapada Jollywood Star