ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏଫ୍‌ଆଇଆର୍‌ ଦେଲେ ସନଲିସା

‘ପ୍ରଥା’ ଫିଲ୍ମର ପୋଷ୍ଟର ଚିରାକୁ ନେଇ ଭାଙ୍ଗି ପଡ଼ିଛନ୍ତି ନବାଗତା ଫିଲ୍ମ ପ୍ରଯୋଜକ ସନଲିସା ପତି। ସେ କୋହଭରା କଣ୍ଠରେ କହିଛନ୍ତି, ୨ କୋଟି ଟଙ୍କା ବିନିଯୋଗ କରି ସିନେମା କରିଛି।

ପ୍ରଥା ଫିଲ୍ମ ପ୍ରଯୋଜକ

  • Published: Saturday, 04 November 2023
  • , Updated: 04 November 2023, 07:26 PM IST

ଓଲିଉଡ୍‌ ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ନାଁରେ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଅନ୍‌ଲାଇନରେ ଏଫ୍‌ଆଇଆର୍‌ କରିଛନ୍ତି ‘ପ୍ରଥା’ ଫିଲ୍ମର ପ୍ରଯୋଜକ ସନଲିସା ପତି। ଝାରସୁଗୁଡ଼ାରେ ଫିଲ୍ମ ହଲରେ ‘ପ୍ରଥା’ ଫିଲ୍ମ ପୋଷ୍ଟର ଚିରାକୁ ନେଇ ସେ ଏଫ୍‌ଆଇଆର୍‌ କରିଛନ୍ତି। ଝାରସୁଗୁଡ଼ାରେ ‘ପ୍ରଥା’ ଚଳଚ୍ଚିତ୍ରକୁ ଚଳାଇ ନଦେବା ଓ ପୋଷ୍ଟର ଚିରା ପଛରେ ରହିଛି ମନୋଜ ମିଶ୍ରଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଗିରଫ ପାଇଁ ସେ ଦାବି କରିଛନ୍ତି।

‘ପ୍ରଥା’ ଫିଲ୍ମର ପୋଷ୍ଟର ଚିରାକୁ ନେଇ ଭାଙ୍ଗି ପଡ଼ିଛନ୍ତି ନବାଗତା ଫିଲ୍ମ ପ୍ରଯୋଜକ ସନଲିସା ପତି। ସେ କୋହଭରା କଣ୍ଠରେ କହିଛନ୍ତି, ୨ କୋଟି ଟଙ୍କା ବିନିଯୋଗ କରି ସିନେମା କରିଛି। ଝାରସୁଗୁଡ଼ାରେ ବିରୋଧ ପଛରେ ରହିଛି ମନୋଜ ଓ ତାଙ୍କ ସମର୍ଥକଙ୍କ ହାତ। ମୋର ଟଙ୍କା କ’ଣ ଟଙ୍କା ନୁହେଁ କି? ମୋତେ ଏଭଳି ହଇରାଣ କରାଯାଉଥିବାରୁ ମୁଁ ସଂସ୍କୃତି ମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବି ବୋଲି ସନଲିସା କହିଛନ୍ତି।

ସନଲିସା ପଟେଲ କହିଛନ୍ତି, ମୁଁ ଝାରସୁଗୁଡ଼ା ଝିଅ ଓ ସମ୍ୱଲପୁର ବୋହୂ। ଶୁକ୍ରବାର ମୋ ଫିଲ୍ମ ‘ପ୍ରଥା’ ଅଲ୍‌ ଓଡ଼ିଶା ରିଲିଜ୍‌ ହୋଇଥିଲା। ତେଣୁ ଦର୍ଶକଙ୍କ ସହିତ ମୋ’ ପରିବାର ଲୋକେ ଶୁକ୍ରବାର ଦିନ ଝାରସୁଗୁଡ଼ାରେ ଏକ ଫିଲ୍ମ ହଲ୍‌ରେ ଫିଲ୍ମ ଦେଖୁଥିଲେ। ସେହି ସମୟରେ ୪ରୁ ୫ ଜଣ ଲୋକ ମୋ’ ଫିଲ୍ମର ପୋଷ୍ଟର ଚିରି ଦେଲେ। ଫିଲ୍ମ ଚଲାଇବାକୁ ଦେଲେ ନାହିଁ। ମୁଁ ଝାରସୁଗୁଡ଼ାରେ ଝିଅ ହୋଇଥିଲେ ମଧ୍ୟ ମୋ’ ଫିଲ୍ମକୁ ସେଠାରେ ବିରୋଧ କରାଗଲା। ଏହା ମୋତେ ବହୁତ କଷ୍ଟ ଦେଇଛି ବୋଲି ସନଲିସା କହିଛନ୍ତି।

ସେ କହିଛନ୍ତି, ‘ପ୍ରଥା’ ହେଉଛି ମୋର ପ୍ରଥମ ଓଡ଼ିଆ ସିନେମା। ଏହି ଫିଲ୍ମକୁ ହିନ୍ଦୀ ଓ ପଞ୍ଜାବୀ ଭାଷାରେ ମଧ୍ୟ ରିଲିଜ୍‌ ହେବାର ରହିଛି। ଯେହେତୁ ମୁଁ ଓଡ଼ିଶାର ଝିଅ, ତେଣୁ ଓଡ଼ିଆ ଭାଷାରେ ରିଲିଜ୍‌ କରିବାକୁ ଲକ୍ଷ୍ୟ ରଖିଥିଲି। ଗଣେଶ ପୂଜାରେ ଫିଲ୍ମ ରିଲିଜ୍‌ କରିବାକୁ ଲକ୍ଷ୍ୟ ରଖିଥିଲି। ହେଲେ ଡିଷ୍ଟ୍ରିବ୍ୟୁଟର ହଲ୍‌ ଲିଷ୍ଟ ଦେଇପାରିଲେ ନାହିଁ। ତେଣୁ ପରେ ଦଶହରାରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଲି। ସେତେବେଳେ ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ରିଲିଜ ହେଉଥିବାରୁ ଶୁକ୍ରବାର ଫିଲ୍ମ ରିଲିଜ କରିଥିଲି। ହେଲେ ଝାରସୁଗୁଡ଼ାରେ ମୋ’ ଫିଲ୍ମକୁ ବିରୋଧ କରାଗଲା। ଆଜି ଝାରସୁଗୁଡ଼ାରେ ‘ପ୍ରଥା’ ଫିଲ୍ମକୁ ହଟାଇ ଦିଆଯାଇଛି। ତା’ ବଦଳରେ ମାଇଣ୍ଡ ଗେମ୍‌ ଫିଲ୍ମ ଚାଲିଛି। ଏନେଇ ଝାରସୁଗୁଡ଼ା ଏସ୍‌ପିଙ୍କ ସହିତ କଥା ହୋଇଛି। ଫିଲ୍ମ ପୋଷ୍ଟର ଚିରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଏସ୍‌ପି ମଧ୍ୟ ମୋତେ କଥା ଦେଇଛନ୍ତି। ପୁଲିସ୍‌ ପ୍ରୋଟେକ୍‌ସନ୍‌ରେ ପୁଣି ଥରେ ‘ପ୍ରଥା’ ଚାଲିବ ବୋଲି ସେ କଥା ଦେଇଛନ୍ତି ସନଲିସା କହିଛନ୍ତି।

ସେ ଆହୁରି କହିଛନ୍ତି, ‘ପ୍ରଥା’ ଫିଲ୍ମ ରିଲିଜ୍‌ ପୂର୍ବରୁ ମୁଁ ମନୋଜ ଦାଦା ଓ ଅନ୍ୟ କିଛି ଲୋକଙ୍କ ସହିତ କଥା ହୋଇଥିଲି। ପରବର୍ତ୍ତୀ ସମୟରେ ସମ୍ୱଲପୁରୀ ଭାଷାରେ ଫିଲ୍ମ ଡବିଂ କରିବି ବୋଲି ସେମାନଙ୍କୁ କଥା ଦେଇଥିଲି। ଏହା ପରେ ସେମାନେ ରାଜି ହୋଇଥିଲେ। ଫିଲ୍ମକୁ ସମର୍ଥନ ଦେବେ ବୋଲି କହିଥିଲେ। ସବୁ ହଲ୍‌ରେ ଚାଲିବ ବୋଲି ମୋତେ କହିଥିଲେ। ଏହା ସତ୍ତ୍ୱେ ବିରୋଧ କରାଯାଇଛି। ଆଜି ଝାରସୁଗୁଡ଼ାରୁ ପ୍ରଥା ଫିଲ୍ମ ହଟି ଯାଇଛି। ତା’ ବଦଳରେ ମାଇଣ୍ଡ ଗେମ୍‌ ଫିଲ୍ମ ଚାଲିଛି ବୋଲି ସନଲିସା କହିଛନ୍ତି।

କିଏ ବିରୋଧ କରୁଛି ପ୍ରଶ୍ନରେ ସନଲିସା କହିଛନ୍ତି, କିଏ ବିରୋଧ କରୁଛି, କହିପାରିବି ନାହିଁ। କିନ୍ତୁ କମେଣ୍ଟରେ ଆସୁଛି। ମନୋଜ ମିଶ୍ର କହିଲେ, ପ୍ରଥା ଫିଲ୍ମ ହଟାନ୍ତୁ ଓ ମାଇଣ୍ଡ ଗେମ୍‌ ଲଗାନ୍ତୁ। ଏବେ ମାଇଣ୍ଡ ଗେମ୍‌ ଫିଲ୍ମ ହଲ୍‌ରେ ଲାଗିଛି। ଯଦି ମନୋଜ ମିଶ୍ର ଦାଦା ମୋତେ ଭଉଣୀ ବୋଲି ଭାବନ୍ତି, ତାହାହେଲେ ଜଣେ ଭଉଣୀଙ୍କୁ କ’ଣ ତାଙ୍କର ସମର୍ଥନ କରିବାର ଦରକାର ନୁହେଁ କି? ‘ପ୍ରଥା’ ଫିଲ୍ମଟି କୋରାପୁଟିଆ ଭାଷାରେ ତିଆରି ହୋଇଛି। କୋରାପୁଟରେ ଶୁଟିଂ ହୋଇଛି। ଯେହେତୁ ପ୍ୟାନ୍‌ ଇଣ୍ଡିଆ ରିଲିଜ ରଖିଛି, ତେଣୁ ଏଥିରେ କିଛି ବଲିଉଡ୍‌ କଳାକାର ଅଭିନୟ କରୁଛନ୍ତି। ଏଥିରେ କୋରାପୁଟର ଲୋକାଳ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି ବୋଲି ସନଲିସା କହିଛନ୍ତି।

Related story