ମୁମ୍ବାଇ: ରେଲ୍ୱେ ଷ୍ଟେସନରୁ ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍। ତା ପରେ ବଲିଉଡ୍ ଫିଲ୍ମରେ ଗାଇବାର ବିଗ୍ ଅଫର ପାଇଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ? ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଛନ୍ତି। ଗୁଗୁଲ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍ ସର୍ଚ୍ଚଡ୍ ପର୍ସନ୍ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି।
ରେଲ୍ୱେ ଷ୍ଟେସନ୍ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ଲତା ମଙ୍ଗେଶକରଙ୍କ ଏକ ଗୀତ ‘ଏକ୍ ପ୍ୟାର୍ କା ନଗ୍ମା ହେ’କୁ ନିଜ ସ୍ୱରରେ ଗାଇ ଏମିତି ପ୍ରସିଦ୍ଧ ହୋଇଗଲେ ଯେ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍ କରିଥିଲେ। ହେଲେ ପରିସ୍ଥିତି ଏବେ ଅଲଗା ପ୍ରକାର ହୋଇଯାଇଛି। ଏବେ ହିମେଶ୍, ରାନୁଙ୍କ ଉପରେ କୌଣସି ପ୍ରଶ୍ନ ଶୁଣିଲା ମାତ୍ରେ ହିଁ ଚିଡ଼ି ଯାଉଛନ୍ତି। ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି।
ଆପଣ ଭାବୁଥିବେ ପ୍ରକୃତରେ ଉଭୟଙ୍କ ମଧ୍ୟରେ ଏମିତି କ’ଣ ଘଟିଲା, ଯେଉଁଥିପାଇଁ ହିମେଶ୍ ଏମିତି ପ୍ରତିକ୍ରିୟା ଦେଇଛନ୍ତି।
ନିକଟରେ ମୁମ୍ବାଇରେ ଏକ ଇଭେଣ୍ଟରେ ଲାଇଭ୍ ପର୍ଫର୍ମାନ୍ସ ପାଇଁ ହିମେଶ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ହିମେଶଙ୍କୁ ରାନୁଙ୍କ ଉପରେ କିଛି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ହିମେଶ କହିଥିଲେ- ‘ମୁଁ ତାଙ୍କ ମ୍ୟାନେଜର୍ ନୁହେଁ ଯେ ଆପଣ ତାଙ୍କ କଥା ମତେ ପଚାରୁଛନ୍ତି। ଇଣ୍ଡଷ୍ଟ୍ରିରେ ମୁଁ କେବଳ ରାନୁଙ୍କୁ ବ୍ରେକ୍ ଦେଇ ନାହିଁ, ବରଂ ଆହୁରି ଅନେକ ଷ୍ଟାର୍ସ୍ଙ୍କୁ ଦେଇଛି।’
ଏସବୁ ପରେ ମଧ୍ୟ ହିମେଶ, ରାନୁଙ୍କୁ ପ୍ରଶଂସା କରିଥିଲେ। ଆଗାମୀ କେଉଁ ପ୍ରୋଜେକ୍ଟରେ ରାନୁଙ୍କୁ ସେ ସୁଯୋଗ ଦେବେବୋଲି ଏକ ପ୍ରଶ୍ନରେ ହିମେଶ ଉତ୍ତର ରଖିଥିଲେ, ‘ରାନୁ ବହୁତ ଭଲ ଗୀତ ଗାଉଛନ୍ତି। ରାନୁଙ୍କୁ ଇଣ୍ଡଷ୍ଟ୍ରିରେ କିଭଳି କାମ ମିଳିବ, ସେନେଇ ମୁଁ ଅନ୍ୟ ମ୍ୟୁଜିକ୍ ଡାଇରେକ୍ଟର୍ସ ଓ ପ୍ରଡ୍ୟୁସର୍ଙ୍କ ସହ କଥା ହେବି।’
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।