/odisha-reporter/media/media_files/2025/11/18/suryamayee-2025-11-18-15-23-38.jpg)
ରିଲିଜ ହୋଇଛି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମିଶ୍ରଙ୍କ ଆଉ ଏକ ହିନ୍ଦୀ ମ୍ୟୁଜିକ ଭିଡିଓ ‘ସଜନା’ । ଏହା ଦର୍ଶକଙ୍କ ମନକୁ ଛୁଇଁଛି ଓ ଖୁବ୍ ପ୍ରଶଂସା ସାଉଣ୍ଟୁଛି ।
‘ସଜନା’- ଏକ ହୃଦୟସ୍ପର୍ଶୀ ହିନ୍ଦୀ ପପ୍-କ୍ଲାସିକାଲ ଫ୍ୟୁଜନ ଯାହା ସଂଗୀତରେ ସବୁବେଳେ ପରୀକ୍ଷା ନିରୀକ୍ଷାରେ ବିଶ୍ୱାସ କରୁଥିବା ଅଭିଜିତଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ସଜନା- ଚିରନ୍ତନ ପ୍ରେମର ଚିର ସବୁଜ ପ୍ରତୀକ, ଯେଉଁଠି ଗୋଟେ ପ୍ରେମିକା ନିଜ ପ୍ରେମିକ ପାଇଁ ଅନ୍ତରର ଅଭିମାନକୁ ଭାଙ୍ଗି ଅତୀତର ସ୍ମୃତିକୁ ମନେପକାଇ ଆପଣାର ମନର ମଣିଷକୁ ଆମନ୍ତ୍ରଣ କରୁଛି । ଗୀତଟି ବିଚ୍ଛେଦର କୋମଳ ଯନ୍ତ୍ରଣାକୁ ପ୍ରତିଫଳିତ କରୁଥିବା ବେଳେ ନାୟିକାଙ୍କ ଆତ୍ମସଂଗୀତକୁ ଗାଇ ଶୁଣେଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ।
ଏହି ମ୍ୟୁଜିକ ଭିଡିଓରେ ଓଲିଉଡ଼ ନାୟିକା ସୂର୍ଯ୍ୟମୟୀ ମହାପାତ୍ର ଅତି ନିଖୁଣ ଭାବେ ଅଭିନୟ କରିଛନ୍ତି । ସିନେମାରେ ନିଜର ସଫଳ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୂର୍ଯ୍ୟମୟୀ ବି ହିନ୍ଦୀ ଆଲବମରେ ବେଶ ଚମତ୍କାର ଅଭିନୟ କରିଛନ୍ତି। ‘ସଜନା’ ସୂର୍ଯ୍ୟମୟୀଙ୍କ ପ୍ରଥମ ହିନ୍ଦୀ ଗୀତ ହୋଇଥିବା ବେଳେ ଏହି ମ୍ୟୁଜିକ ଭିଡିଓ କରି ସେ ବେଶ ଖୁସି ଥିବାବେଳେ ନୂଆ ଧାରା ସୃଷ୍ଟି କରିଛନ୍ତି ।
ସଜନାରେ ଅଭିଜିତ ମିଶ୍ର ଉଭୟ କଣ୍ଠଦାନ ସହ ସଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳି ଥିବା ବେଳେ ରାଜକୁମାର ମାହାତୋ ଗୀତ ରଚନା କରିଛନ୍ତି । କେବଳ ସଜନା ନୁହେଁ ପୂର୍ବରୁ- ଲୁଟ ଗଏ, ନାରୀ, ତୁମ ଔର ହମ୍, କରାର୍ ଦେ, ମେଁ ତେରା ହୋନେ ଲଗାହୁଁ, ସଓ୍ଵାଲ, ତେରେ ଲିଏ ପରି ଅନେକ ଗୀତରେ ନିଜ ଯାଦୁଗରୀ ସ୍ପର୍ଶ ଦେଇଥିବା ଅଭିଜିତ ଲୋକପ୍ରିୟ ଭଜନ ‘ଜଗା ତୁ ଯାଦୁଗର’ ପାଇଁ ଗତବର୍ଷ ଜାତୀୟ ସ୍ତରର ପୁରସ୍କାର ଲାଭ କରିଥିଲେ ।
ମେକାନିକାଲ ଇଞ୍ଜିନିୟରରୁ ମ୍ୟୁଜିକର ମାୟାରେ ପଡ଼ିଥିବା ଅଭିଜିତ ୧୫ରୁ ଅଧିକ ସିନେମାରେ କଣ୍ଠଦାନ କରିଛନ୍ତି, ଅନେକ ଯାତ୍ରା ଏବଂ ସିଲିଏଲର ଟାଇଟେଲ୍ ଟ୍ରାକ୍ ଗାଇଛନ୍ତି । ୩୦୦ରୁ ଅଧିକ ଗୀତରେ ନିଜ ନିଆରା ଅନ୍ଦାଜ ପାଇଁ ଦର୍ଶକଙ୍କ ପ୍ରିୟ ପାଲଟିଥିବା ଅଭିଜିତ ସଜନାକୁ ନେଇ ଆଶାବାଦୀ ଅଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
