ମୁମ୍ବାଇ: ବଲିଉଡ୍ ଓ ଡ୍ରଗ୍ସ ଲିଙ୍କର ତଦନ୍ତ ପାଇଁ ଅର୍ଜୁନ ରାମପାଲ୍ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହୋଇଥିଲେ। ତାଙ୍କୁ ପାଖାପାଖି ୭ ଘଣ୍ଟା ଜେରା କରିଛି ଏନସିବି। ଅର୍ଜୁନ ରାମପାଲ କହିଛନ୍ତି ଯେ ଡ୍ରଗ୍ସ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତାଙ୍କ ଘରେ ମିଳିଥିବା ଔଷଧ ଏବଂ ପ୍ରେସକ୍ରିପସନ୍ ସେ ଏନସିବି ଅଧିକାରୀଙ୍କୁ ହସ୍ତାନ୍ତର କରିଦେଇଛନ୍ତି।
ବଲିଉଡ୍ ଡ୍ରଗ ଲିଙ୍କକୁ ନେଇ ଏବେ ଏନସିବି ଜୋରଦାର ତଦନ୍ତ ଚଲାଇଛି। ଯେତେ ଯେତେ ତଦନ୍ତ ଆଗକୁ ବଢ଼ୁଛି ସେତେ ସେତେ ସେଲେବ୍ରିଟି ଏହି ଫାଶରେ ପଡ଼ୁଛନ୍ତି। ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ଏନସିବି ପଚରାଉଚରା କରିଥିଲା। ଜଣାଇଦେବାକୁ ଚାହୁଁ, ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍ଙ୍କୁ କୋକିନ୍ ସପ୍ଲାୟରଙ୍କ ସହ ଲିଙ୍କ ଥିବା ନେଇ ଏନସିବି ଗିରଫ କରିବା ପରେ ଅର୍ଜୁନ ରାମପାଲଙ୍କ ବଙ୍ଗଳାରେ ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା। ତାଙ୍କ ଘରୁ ବ୍ୟାନ୍ ହୋଇଯାଇଥିବା କିଛି ଔଷଧ ମିଳିଥିଲା।
View this post on Instagram
ଅନ୍ୟପକ୍ଷରେ, ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଏନସିବି ଅଷ୍ଟ୍ରେଲୀୟାନ ଆର୍କିଟେଟ୍ ପଲ୍ ବାର୍ଟଲଙ୍କୁ ଗିରଫ କରିଛି। ଗତ ବୁଧବାର ଏନସିବି ପଲ୍ଙ୍କ ବାନ୍ଦ୍ରାସ୍ଥିତ ଘରେ ଚଢ଼ାଉ କରିଥିଲା ହେଲେ କିଛି ବି ମିଳି ନଥିଲା। ପରେ ତାଙ୍କୁ ଏନସିବି ସମନ କରି ପଚରାଉଚରା ପାଇଁ ଡକାଇଥିଲା। ପାଖାପାଖି ୯ ଘଣ୍ଟା ପରରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଡ୍ରଗ୍ ସପ୍ଲାୟର୍ ଆଗିସିଆଲୋସ୍ ଡେମେଟ୍ରିଏଡସ୍ (ଗାବ୍ରିଏଲାଙ୍କ ଭାଇ) ଏବଂ ଅର୍ଜୁନ ରାମପାଲଙ୍କ ସହ ପଲ୍ ବାର୍ଟଲ୍ ବେଶ୍ ନିକଟତର। ଏନସିବି ସୂତ୍ର ଅନୁଯାୟୀ ଅର୍ଜୁନ ରାମପାଲ ଏବଂ ପଲ ବାର୍ଟାଲଙ୍କୁ ଆଉଥରେ ମୁହାଁମୁହିଁ ପଚରାଉଚରା କରାଯାଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।