/odisha-reporter/media/post_attachments/uploads/2019/06/DSC_0200.jpg)
DSC_0200
ଭୁବନେଶ୍ୱର (ବିଶ୍ୱବନ୍ଦିତା ସ୍ୱାଇଁ): ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଲୋକେ କେତେ କ’ଣ ଉପାୟ ଆପଣାଇଥା’ନ୍ତି। ସେଥିରୁ ଗୋଟେ ହେଉଛି ଯୋଗ। ଯୋଗ ଶାରୀରିକ ସୁସ୍ଥତା, ମାନସିକ ସ୍ଥିରତା, ବୌଦ୍ଧିକ ବିକାଶ ଓ ଆତ୍ମୋନ୍ନତିର ସଂପୂର୍ଣ୍ଣ ପଦ୍ଧତି। ଏହା କେଉଁ ଆବାହମାନ କାଳରୁ ଭାରତରେ ପ୍ରଚଳିତ ହୋଇ ଆସୁଛି।
ରୋଗ ନିବାରଣଠୁ ଆରମ୍ଭ କରି ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେଣୁ ସାଧାରଣ ଲୋକଠୁ ଆରମ୍ଭ କରି ଅଭିନେତ୍ରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଦୈନଦିନ ଜୀବନରେ ଯୋଗକୁ ସାମିଲ୍ କରିଛନ୍ତି। ଏଇ ଯେମିତି ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ। ସେ ସ୍ଲିମ୍, ଫିଟ୍ ଓ ହେଲ୍ଦି ରହିବା ପଛରେ ରହିଛି ଯୋଗ। ସେ କହନ୍ତି, ଦୈନଦିନ ଜୀବନରେ ମାତ୍ରାଧିକ କାର୍ଯ୍ୟ ଭାର ଯୋଗୁ ଆମେ ବହୁ ସମୟରେ ମାନସିକ ଶାନ୍ତି ହରାଇ ଥାଉ। ତେବେ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ।
ସୂର୍ଯ୍ୟମୟୀ କହିଛନ୍ତି ଯେ, ସେ ସବୁକଥାକୁ ଅଧିକ ଭାବନ୍ତି। ଆଉ ଏହା ଏକ ବଦଭ୍ୟାସ। ଯେତେବେଳେ ସେ ଅଧିକରୁ ଅଧିକ ଭାବି ବ୍ୟତିବ୍ୟସ୍ତ ଅନୁଭବ କରନ୍ତି, ସେତେବେଳେ ଯୋଗ କରନ୍ତି। ଏହା ତାଙ୍କୁ ଶାନ୍ତ ରଖେ ଓ ସକାରାତ୍ମକ କରାଇଥାଏ।
ତେବେ ସୂର୍ଯ୍ୟମୟୀ କେବଳ ମନ ଅଶାନ୍ତ ହେଲେ ଯୋଗ କରନ୍ତି ନାହିଁ। ସେ ପ୍ରତିଦିନ ଗୋଟେ ଘଣ୍ଟା ଯୋଗ କରନ୍ତି। ଅନୁଲୋମବିଲୋମ, କପାଳ ଭାତି ଓ ସୂର୍ଯ୍ୟ ନମସ୍କାର ପରି ଯୋଗାସନ ସେ ପ୍ରତ୍ୟେକ ଦିନ କରନ୍ତି।
ସେ କହନ୍ତି, ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଯୋଗ ପାଇଁ କିଛି ସମୟ ବ୍ୟୟ କରିବା ଉଚିତ୍। ଆମେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ଆଦିରେ ସମୟ ବିତାଇ ଦିଅନ୍ତି। ସେଥିରୁ କିଛି ସମୟ ବାହାର କରି କ’ଣ ଯୋଗରେ ଲଗାଇପାରିବାନି! ଯୋଗ କେବେହେଲେ ଆମ ସମୟ ନେଇନଥାଏ, ବରଂ ଆମ ଜୀବନରେ ସମୟ ଯୋଡ଼ିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
