Advertisment

ମେକ୍‌ଅପ୍‌ ନେଉ ନେଉ ଟଳି ପଡ଼ିଲେ ନାୟକ, ଅଧାରେ ରହିଲା ନାଟକ

ନାଟକ ପରିବେଷଣ ପାଇଁ ଗ୍ରୀନ୍ ରୁମ୍‌ରେ ମେକ୍ଅପ୍ ନେଉଥିଲେ ସବୁ କଳାକାର। ନାୟକ ଜୟନ୍ତ ମହାପାତ୍ର ମଧ୍ୟ ହାତରେ ଆଇନା ଧରି ମୁହଁରେ ରଙ୍ଗ ମାଖୁଥିଲେ। ବେଶ୍ ମଜା ମଜଲିସ୍ କରୁଥିଲେ। ହଠାତ୍ ତାଙ୍କ ହାତରୁ ଖସି ପଡ଼ିଲା ଆଇନା। ସଙ୍ଗେ ସଙ୍ଗେ ତଳେ ପଡ଼ିଗଲେ।

Jayant Mohapatra

Jayant Mohapatra

Advertisment

ଅଧା ରହିଗଲା ଅଭିନୟ। ମେକ୍‌ଅପ୍‌ ନେଉ ନେଉ ଟଳି ପଡ଼ିଲେ ନାୟକ। ଶ୍ରାବଣରେ ଭିଜିବା ପୂର୍ବରୁ ଲୁହରେ ଭିଜିଲା ପୂରା ଷ୍ଟେଜ୍‌। ଆଉ ଭିଜିଲେ ସାଥୀ କଳାକାର ଓ ପୂରା ଯଲିଉଡ୍‌। ଅଧା ରହିଲା ନାଟକ। ଛଳ ଛଳ ଆଖିରେ ରାତି ଅଧରେ ଘରକୁ ଫେରିଲେ ଯାତ୍ରା ପ୍ରେମୀ।

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ରେଖିଦେଈପୁର ପଞ୍ଚାୟତ ପାଇକରାପୁର ଗାଁରେ ରବିବାର ରାତିରେ ଖେଳୁଥିଲା ‘ଦରବାର ଅପେରା’। ‘ଶ୍ରାବଣ ଦେଇଗଲା ଦୁଃଖ ଛ’ ଗୁଣ’ ନାଟକ ଦେଖିବା ପାଇଁ ହାଉସ୍‌ଫୁଲ୍‌ ଥିଲା ଯାତ୍ରା ଟେଣ୍ଟ। ନିର୍ଦ୍ଧାରିତ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ। ଗୋଟେ ପରେ ଗୋଟେ ଧମାକାଦାର ଡ୍ୟାନ୍ସ ପରିବେଷଣ କରାଯାଇଥିଲା।

ସେପଟେ ନାଟକ ପରିବେଷଣ ପାଇଁ ଗ୍ରୀନ୍ ରୁମ୍‌ରେ ମେକ୍ଅପ୍ ନେଉଥିଲେ ସବୁ କଳାକାର। ନାୟକ ଜୟନ୍ତ ମହାପାତ୍ର ମଧ୍ୟ ହାତରେ ଆଇନା ଧରି ମୁହଁରେ ରଙ୍ଗ ମାଖୁଥିଲେ। ବେଶ୍ ମଜା ମଜଲିସ୍ କରୁଥିଲେ। ହଠାତ୍ ତାଙ୍କ ହାତରୁ ଖସି ପଡ଼ିଲା ଆଇନା। ସଙ୍ଗେ ସଙ୍ଗେ ତଳେ ପଡ଼ିଗଲେ। ସାଥୀ କଳାକାରମାନେ ହଠାତ୍ କିଛି ବୁଝି ପାରିଲେ ନାହିଁ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦାନଗଦି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

Advertisment

ଜୟନ୍ତଙ୍କ ଅନୁପସ୍ଥିତିରେ ନାଟକ ବଦଳାଇଥିଲେ ଆୟୋଜକ। ‘ଶ୍ରାବଣ ଦେଇଛି ଦୁଃଖ ଛ’ ଗୁଣ’ ବଦଳରେ ‘ଭାଇ ସାତପର ଭାରିଜା ନିଜର’ ନାଟକ ମଞ୍ଚସ୍ଥ ହୋଇଥିଲା। ସାମାନ୍ୟ ବିଳମ୍ୱ ହେଲେ ମଧ୍ୟ ନାଟକ ଆରମ୍ଭ ହେଲା। ନିଜ ଚରିତ୍ରରେ ଭିଜି ଯାଇଥିଲେ ସବୁ କଳାକାର। ହେଲେ ହଠାତ୍ ସ୍ତବ୍ଧ ହୋଇଗଲା ଗ୍ରୀନ୍ ରୁମ୍‌। ମେଡ଼ିକାଲ୍‌ରୁ ଆସିଲା ଦୁଃଖଦ ଖବର। ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତ ମହାପାତ୍ର ଆଖି ବୁଜିଲେ।

ଜୟନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ସହ କଳାକାର। ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ସତ ମୃତ୍ୟୁ ଦେଖି ଆଉ ଷ୍ଟେଜରେ ମିଛ ଅଭିନୟ କରିପାରିଲେ ନାହିଁ। ତେଣୁ ଅଧାରୁ ନାଟକ ବନ୍ଦ ରହିଲା। ଆଉ ଜୟନ୍ତଙ୍କ ମୃତ୍ୟୁ ନେଇ ଷ୍ଟେଜରେ ଘୋଷଣା କରାଗଲା। ଜୟନ୍ତଙ୍କ ମୃତ୍ୟୁ ଖବର ଶୁଣି ଟିକେଟ କାଟି ଯାତ୍ରା ଦେଖୁଥିବା ଦର୍ଶକ ମଧ୍ୟ ଭାଙ୍ଗି ପଡ଼ିଥିଲେ।

ଅନେକ ନାଟକ ନାୟକ ହେଉଛନ୍ତି ଜୟନ୍ତ ମହାପାତ୍ର। ସେ କେତେବେଳେ କନ୍ଦାଇଛନ୍ତି ତ ଆଉ କେତେବେଳେ ହସାଇଥିଲେ। ହେଲେ ହସାଇ ହସାଇ ଏମିତି କନ୍ଦାଇ ଚାଲିଯିବେ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ସୋମବାର ସନ୍ଧ୍ୟାରେ ଜୟନ୍ତଙ୍କ ମୃତଦେହ ଜନ୍ମମାଟି ବାଲେଶ୍ୱର ଜିଲ୍ଲା ରାଜବରହମପୁରକୁ ଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ରିପୋର୍ଟ-ଯାଜପୁରରୁ ଗୁଲାମ ଗସ୍

Jatra Artiste Jollywood Balasore Jajpur Jollywood Star
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe