Advertisment

ମଞ୍ଚରେ ନାଚ ଶିଖାଉଥିବା ବେଳେ ଟଳିପଡ଼ିଲେ ନୃତ୍ୟ ନିର୍ଦ୍ଦେଶକ

ଯେଉଁ ନୃତ୍ୟକୁ ପେଶାକରି ସାରା ଜୀବନ ରଙ୍ଗ ମଞ୍ଚରେ ନାଚିଥିଲେ, ଆଜି ଜୀବନର ଶେଷ ସିନ୍‌ରେ ଶେଷ ନୃତ୍ୟ କରୁଥିବା ବେଳେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ନେପା ସାର।

author-image
Manoranjan Sial
ଅଦ୍ୟତନ ହୋଇଛି
Jatra

Jatra

ସତରେ ଏମିତି କ’ଣ ଆସେ ମୃତ୍ୟୁ? କୋଳାହଳମୟ ପରିବେଶ। ମଞ୍ଚ ପାଖରେ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର ଓ ନାଟକର ସମସ୍ତ କଳାକାର ଅଛନ୍ତି। ଆଉ ମଞ୍ଚ ଉପରେ ବିଜିଏମ୍‌ର ତାଳେ ତାଳେ ନିଜ ସାଥୀ କଳାକାରଙ୍କ ହାତକୁ ଧରି ନୃତ୍ୟର ଶୈଳୀ ଶିଖାଉଥିଲେ ନେପା ସାର୍‌ ଓରଫ ପୀତବାସ ନାୟକ। ବିଜିଏମ୍‌ର କର୍କଶ ଧୂନ ଭିତରେ ହଠାତ୍‌ ସ୍ତବ୍ଧ ହୋଇଗଲା ପରିବେଶ। ସେହି ମଞ୍ଚରେ ଟଳିପଡ଼ିଲେ ସମସ୍ତଙ୍କ ଅତିପ୍ରିୟ ନେପା ସାର୍‌। ଧାଁ ଦୌଡ଼ ପଡ଼ିଲା। ସମସ୍ତେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଲେ। ହେଲେ ଡାକ୍ତର ଦେଲେ ଦୁଃଖଦ ଖବର। କହିଲେ, ନୋ ମୋର...। ବାସ୍‌- ତା’ପରେ ସବୁଆଡେ ଖେଳି ଯାଇଲା ଦୁଃଖର ଛାଇ। ଲୁହରେ ଭିଜିଲା ସମସ୍ତ ଆଖି।

Advertisment

ଚଳିତ ବର୍ଷ ପାଇଁ ‘ଯାତ୍ରା ଯାଜ୍ଞସେନୀ’ର ଆଖଡ଼ା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଷଠିପୁରଠାରେ ଚାଲିଥିଲା। ଆଜି ସୁଧାଂଶୁ ନାୟକଙ୍କ ରଚିତ ନାଟକ “ଆଖିର ଦୋଷ ନା ଲୁହର ଦୋଷ”ର ଚାଲିଥିଲା ଜୋରଦାର ନିହରସେଲ୍‌। ନିର୍ଦ୍ଦେଶନା ଦେଉଥିଲେ ଅଶ୍ରୁମୋଚନ ମହାନ୍ତି। ଅଭିନେତା ଓ ଅଭିନେତ୍ରୀମାନେ ଦମ୍‌ଦାର ସଂଳାପ କହୁଥିଲେ। ନାଟକ ମଝିରେ ଏକ ସିନ୍‌ରେ କଳାକାରଙ୍କୁ ନୃତ୍ୟର ଅଙ୍ଗଭଙ୍ଗି ଶିଖାଉଥିଲେ ନୃତ୍ୟ ଗୁରୁ ନେପା ସାର୍‌। ହଠାତ୍‌ ସେ ତଳେ ପଡ଼ି ଯାଇଥିଲେ। ପ୍ରଥମେ କେହି କିଛି ବୁଝି ପାରିଲେ ନାହିଁ। ତା’ପରେ ସେ ତଳେ ପଡ଼ି ଛାତି ଯନ୍ତ୍ରଣା ହେଉଛି ବୋଲି କହିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯେଉଁ ନୃତ୍ୟକୁ ପେସାକରି ସାରା ଜୀବନ ରଙ୍ଗ ମଞ୍ଚରେ ନାଚିଥିଲେ, ଆଜି ଜୀବନର ଶେଷ ସିନ୍‌ରେ ଶେଷ ନୃତ୍ୟ କରୁଥିବା ବେଳେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ନେପା ସାର। ଯାତ୍ରା ଜଗତରେ ନେପା ସାର୍‌ ହେଉଛନ୍ତି ଜଣେ ଚର୍ଚ୍ଚିତ ନୃତ୍ୟ ନିର୍ଦ୍ଦେଶକ। ତାଙ୍କ ସଫଳ ନୃତ୍ୟ ନିର୍ଦ୍ଦେଶନାରେ ଅନେକ ନାଟକ ହିଟ୍‌ ହୋଇଛି। ତାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି।

Advertisment

ନେପା ସାରଙ୍କ ମୃତ୍ୟୁରେ ନାଟ୍ୟ ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି, ‘ଯାତ୍ରା ଯାଜ୍ଞସେନି’ର ମଞ୍ଚ ଉପରେ ନୃତ୍ୟ ନିର୍ଦ୍ଦେଶକ ନେପା ସାର୍‌ ହୃଦଘାତରେ ଚାଲିଗଲେ। ଏହି ମୃତ୍ୟୁ କଳାକାର ଜଗତକୁ ସ୍ତମ୍ଭିଭୁତ କରିଦେଇଛି। ଏମିତି କେମିତି ମରଣ ଆସିଲା? ଆମ ନାଟକର ନାଁ ଥିଲା “ଆଖିର ଦୋଷ ନା ଲୁହର ଦୋଷ”। ସତେ ଯେମିତି ସେ ଆମ ସମସ୍ତଙ୍କୁ କନ୍ଦେଇଦେଇ ଚାଲିଗଲେ। ଆଉ ଗଲାବେଳେ କହିଦେଇଗଲେ, ଏଠି କାହାର ଦୋଷ ନାହିଁ, ସବୁ ଦୋଷ ଆମ ନିଜର। ଆମେ ସମସ୍ତେ ଏମିତି ଏକ ଧାରାଦେଇ ଚାଲିଛେ, କେତେବେଳେ କିଏ ଚାଲିଯିବା କେହି ଜାଣିପାରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ନାଟ୍ୟକାର ସୁଧାଂଶୁ ଜେନା କହିଛନ୍ତି, ପୀତବାସ ନାୟକ ହେଉଛନ୍ତି ମୋ କକା ପୁଅ ଭାଇ। ମୋ ପରିବାରର। ମୋରି ନାଟକ “ଆଖିର ଦୋଷ ନା ଲୁହର ଦୋଷ”ରେ ନାଚ ଶିଖାଉ ଶିଖାଉଥିବା ବେଳେ ମୁଣ୍ଡ ଘୂରାଇଦେଲା। ସେ ତଳେ ପଡ଼ିଗଲା। ଆଉ ସମସ୍ତଙ୍କୁ ଛାଡ଼ି ଚାଲିଗଲା ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Entertainment Jajpur Jatra Artiste