ଚିଠି ଚିରିଦେଇଥିଲେ ମାଲିକ, ଶ୍ରାବଣୀଙ୍କ ପାଖରେ ପହଞ୍ଚିନଥିଲା ସେହି ଦାରୁଣ ଖବର

ଦୂରରୁ ଭାଇକୁ ଲଣ୍ଡା ହୋଇଥିବା ଦେଖି ଶ୍ରାବଣୀ ସଙ୍ଗେ ସଙ୍ଗେ ପଚାରିଲେ ତୋର କ’ଣ ହୋଇଛି? ଭାଇର ଉତ୍ତର ଥିଲା– ଦିଦି, ବାପା ଚାଲି ଯାଇଛନ୍ତି। ଭାଇଠାରୁ ଏଇ କଥା ପଦକ ଶୁଣିବା ପରେ ଶ୍ରାବଣୀଙ୍କ ମୁଣ୍ଡ ଉପରେ ସେତ ଯେମିତି ଛିଣ୍ଡି ପଡ଼ିଥିଲା ସାରା ଆକାଶଟା। ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): କଣ୍ଠଶିଳ୍ପୀରୁ ଆରମ୍ଭ ହୋଇଥିଲା କ୍ୟାରିଅର୍। ମୁକ୍ତାକାଶ ମଞ୍ଚରେ ଜବରଦସ୍ତ ଆଙ୍କରିଂ ଦେଲା ଈର୍ଷଣୀୟ ପ୍ରସିଦ୍ଧି। ଆଉ ଯାବତୀୟ ଚରିତ୍ରରେ ମନଛୁଆଁ ଅଭିନୟରୁ ମିଳିଲା […]

Jatra Heroin Srabani

Jatra Heroin Srabani

Manoranjan Sial
  • Published: Thursday, 08 April 2021
  • Updated: 08 April 2021, 04:37 PM IST

Sports

Latest News

ଦୂରରୁ ଭାଇକୁ ଲଣ୍ଡା ହୋଇଥିବା ଦେଖି ଶ୍ରାବଣୀ ସଙ୍ଗେ ସଙ୍ଗେ ପଚାରିଲେ ତୋର କ’ଣ ହୋଇଛି? ଭାଇର ଉତ୍ତର ଥିଲା– ଦିଦି, ବାପା ଚାଲି ଯାଇଛନ୍ତି। ଭାଇଠାରୁ ଏଇ କଥା ପଦକ ଶୁଣିବା ପରେ ଶ୍ରାବଣୀଙ୍କ ମୁଣ୍ଡ ଉପରେ ସେତ ଯେମିତି ଛିଣ୍ଡି ପଡ଼ିଥିଲା ସାରା ଆକାଶଟା।

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): କଣ୍ଠଶିଳ୍ପୀରୁ ଆରମ୍ଭ ହୋଇଥିଲା କ୍ୟାରିଅର୍। ମୁକ୍ତାକାଶ ମଞ୍ଚରେ ଜବରଦସ୍ତ ଆଙ୍କରିଂ ଦେଲା ଈର୍ଷଣୀୟ ପ୍ରସିଦ୍ଧି। ଆଉ ଯାବତୀୟ ଚରିତ୍ରରେ ମନଛୁଆଁ ଅଭିନୟରୁ ମିଳିଲା ‘ସୁପରଷ୍ଟାର୍’ ମାନ୍ୟତା। ଆମେ କହୁଛୁ ସିଙ୍ଗର୍, ଆଙ୍କର୍ ଆଉ ଭର୍ସାଟାଇଲ୍ ଆର୍ଟିଷ୍ଟ୍ ଶ୍ରାବଣୀ ସାହୁ ଅର୍ଥାତ୍ ଷ୍ଟାର୍ ଆଙ୍କର୍ ଶ୍ରାବଣୀଙ୍କ କଥା।

ମଞ୍ଚରେ ଝିଲମିଲ୍ ଆଲୋକ ଝଲସି ଉଠିଲେ ପ୍ରଥମେ ଆସନ୍ତି ସେ। ଆଉ ଦୁଲୁକି ଉଠେ ସାରା ପେଣ୍ଡାଲ୍। ନିଜ ଲାସ୍ୟମୟୀ ଲୁକ୍, ନିଆରା ଷ୍ଟାଇଲ୍, ଅତ୍ୟାଧୁନିକ ପରିପାଟୀ, ଉପସ୍ଥିତ ବୁଦ୍ଧି ଓ ବିଭିନ୍ନ ପ୍ରସଙ୍ଗରେ ଅକଳନୀୟ ଦଖଲ ସହ ଉଭୟ ଓଡ଼ିଆ ଓ ଇଂଲିଶରେ ଅନର୍ଗଳ କହିବାର ଅପରାହତ ଚାତୁରୀକୁ ଏକାଠି ଧରି ଦର୍ଶକଙ୍କୁ ସେ ଆନମନା କରି ଦିଅନ୍ତି।

ନାଟକମନସ୍କ ହେବା ପୂର୍ବରୁ ଏଣ୍ଟରଟେନମେଣ୍ଟ ଓ ଟ୍ୟାଲେଣ୍ଟର ଫେଣ୍ଟାଫେଣ୍ଟି ପ୍ୟାକେଜ୍ ଦେଇ ଶ୍ରାବଣୀ ଜିଣି ନିଅନ୍ତି ଯାତ୍ରାପ୍ରେମୀଙ୍କ ଦିଲ୍ । ଖାସ୍ ସେଥିପାଇଁ ଅଧାରୁ ଅଧିକ ଦର୍ଶକ ଟିକେଟ୍ କିଣନ୍ତି ଯଲିଉଡର ଏହି ଚୁଲବୁଲି ଆଙ୍କରଙ୍କୁ ମଞ୍ଚରେ ଦେଖିବା ପାଇଁ। ନିଜେ ଯେତିକି ଝୁମନ୍ତି ଦର୍ଶକଙ୍କୁ ଝୁମାନ୍ତି ତା’ଠାରୁ ଢେର୍ ଅଧିକ।

ଶ୍ରାବଣୀଙ୍କ ଏହି ସଫଳତା ପଛର ସଂକଳ୍ପ, ସାଧନା ଓ ଶକ୍ତି ହେଉଛି ଅଭିନୟ ବା କଳା ପ୍ରତି ଥିବା ତାଙ୍କର ଗଭୀର ଅନୁରକ୍ତି ବା ଭଲପାଇବା। ଶୈଶବରେ ପ୍ରଥମେ ଦୁର୍ବଳତା ଥିଲା ସଙ୍ଗୀତ। ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ଜଣାଣ ଗାଇବାରୁ ଆରମ୍ଭ ହୋଇଥିଲା କଣ୍ଠଶିଳ୍ପୀର ଜୀବନ। ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ସ୍କୁଲର ଏକ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ ଶ୍ରାବଣୀ। ସେହି କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିଲେ ତାରିଣୀ ଗଣନାଟ୍ୟର ମାଲିକ ନାରାୟଣ ରାଓ। ଶ୍ରାବଣୀଙ୍କ କଣ୍ଠ ଓ ପ୍ରତିଭା ନାରାୟଣଙ୍କୁ ପ୍ରଭାବିତ କଲା ତ ତୁରନ୍ତ ତାଙ୍କୁ ଦେଲେ ଯାତ୍ରା ପାର୍ଟିର ବୃତ୍ତିଗତ ଅଫର୍।

ଆଗ ପଛ ଭାବିବା ପୂର୍ବରୁ ଘରେ ଶଯ୍ୟାଶାୟୀ ରୋଗୀଣା ବାପାଙ୍କ ଯନ୍ତ୍ରଣାସିକ୍ତ ଶରୀର ଏହି ଅଫରକୁ ସାଦରେ ଗ୍ରହଣ କରି ନେବାକୁ ବାଧ୍ୟ କରିଥିଲା। ଗୀତ ଗାଇବା ପ୍ରତି ଭଲପାଇବା ତ ଥିଲା, ସେଥିରେ ପୁଣି ମିଶିଗଲା ରୋଜଗାର କରି ବାପାଙ୍କ ଯନ୍ତ୍ରଣା ଦୂର କରିବାର ଜିଦ୍। ମ୍ୟାଟ୍ରିକ୍‌ ପରୀକ୍ଷା ଦେଇ ଯାତ୍ରା ପାର୍ଟିରେ ସାମିଲ୍ ହେଲେ ଆଉ ନାଟକର ପ୍ରଚ୍ଛଦପଟ ଗୀତ ଗାଇଲେ ଶ୍ରାବଣୀ।

ବିକଳ୍ପ ବ୍ୟବସ୍ଥା ନଥିବାରୁ ଚିଠି ଚିରି ଦେଇଥିଲେ ମାଲିକ

ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଯଲିଉଡରେ ନିଜ ସ୍ଥିତି ଜାହିର କରିବା ଆରମ୍ଭ କରୁଥିବାବେଳେ ଆସିଲା ଟର୍ଣ୍ଣିଂ ପଏଣ୍ଟ୍। ଯେଉଁ ବାପାଙ୍କ ପାଇଁ ପାଠପଢ଼ା ଅଧାରେ ଡୋରି ବାନ୍ଧି ମଞ୍ଚକୁ କ୍ୟାରିଅର କରିଥିଲେ, ସେହି ବାପା ତାଙ୍କୁ ଛାଡ଼ି ଚାଲିଗଲେ ଅଧା ହୋଇ ନଥିବା ରାସ୍ତାରେ। ଏହାଠାରୁ ଅଧିକ ବେଦନାଦାୟକ ଥିଲା ବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ୍ ହୋଇ ନପାରିବାର କଷ୍ଟ। ସୁଦୂର ସୁରତରେ ଖେଳୁଥିଲା ତାରିଣୀ ଗଣନାଟ୍ୟ ଏବଂ କ୍ୟାନସରରେ ପୀଡ଼ିତ ବାପାଙ୍କ ବାପାଙ୍କ ମୃତ୍ୟୁ ଖବର ସାନ ଭାଇ ଚିଠିରେ ଦେଇଥିଲା। ହେଲେ ଏହି ଚିଠି ପଡ଼ିଥିଲା ପାର୍ଟି ମାଲିକ ନାରାୟଣ ରାଓଙ୍କ ହାତରେ। ବିକଳ୍ପ ବ୍ୟବସ୍ଥା ନଥିବାରୁ ମାଲିକ ଏହି ଚିଠି ଚିରି ଦେଲେ, ଆଉ ଶ୍ରାବଣୀଙ୍କ ପାଖରେ ପହଞ୍ଚିପାରିଲା ନାହିଁ ପ୍ରିୟତମ ପିତୃବ୍ୟଙ୍କ ମୃତ୍ୟୁର ଦାରୁଣ ଖବର।

ଯାତ୍ରା ପାର୍ଟି ଓଡ଼ିଶା ଫେରିବା ପରେ ଭଉଣୀକୁ ଦେଖା କରିବାକୁ ଆସିଥିଲା ଭାଇ। ଆଉ ଦୂରରୁ ଭାଇକୁ ଲଣ୍ଡା ହୋଇଥିବା ଦେଖି ଶ୍ରାବଣୀ ସଙ୍ଗେ ସଙ୍ଗେ ପଚାରିଲେ ତୋର କ’ଣ ହୋଇଛି? ଭାଇର ଉତ୍ତର ଥିଲା– ଦିଦି, ବାପା ଚାଲି ଯାଇଛନ୍ତି। ଭାଇଠାରୁ ଏଇ କଥା ପଦକ ଶୁଣିବା ପରେ ଶ୍ରାବଣୀଙ୍କ ମୁଣ୍ଡ ଉପରେ ସେତ ଯେମିତି ଛିଣ୍ଡି ପଡ଼ିଥିଲା ସାରା ଆକାଶଟା। ଯେଉଁ ବାପାଙ୍କୁ ଭଲ କରିବା ପାଇଁ ସେ ଯାତ୍ରାକୁ ଆସିଥିଲେ, ତାଙ୍କ ଶୁଦ୍ଧିକ୍ରିୟାରେ ସୁଦ୍ଧା ସେ ସାମିଲ ହୋଇପାରିଲେ ନାହିଁ। ଏହି ଅକଳନୀୟ ଯନ୍ତ୍ରଣାର ଖବରଟି ଛାତି ଭିତରେ ଚାପି ଦେବା ପରେ ତାଙ୍କୁ ମିଳିଥିଲା ଆଗାମୀ ଜୀବନଯାତ୍ରା ପାଇଁ ପ୍ରଚୂର ଶକ୍ତି।

ଏହା ପରେ ଭାୟା ଜନତା ଗଣନାଟ୍ୟ ହୋଇ ତାରାପୁର ଅପେରାକୁ ଆସିଲେ ଶ୍ରାବଣୀ ଓ ଆରମ୍ଭ କଲେ ଆଙ୍କରିଂର ଚ୍ୟାଲେଞ୍ଜିଂ କ୍ୟାରିଅର୍। ଏହି ଆଙ୍କରିଂ ହିଁ ତାଙ୍କୁ ରାଜ୍ୟ ଓ ବାହାରେ ଦେଇଥିଲା ଚିର ଇପସିତ ସଫଳତା। ଏହା ପରେ ଶ୍ରାବଣୀଙ୍କ କ୍ୟାରିଅରର ଗାଡ଼ି ଧାରାଶ୍ରାବଣ ପରି ଅବିରତ ଗଡ଼ି ଚାଲିଛି ସଫଳତାର ସୁରକ୍ଷିତ ଟ୍ରାକ୍‌ରେ।

ଝିଲମିଲ୍ ଆଲୁଅର ରଙ୍ଗୀନ ଖେଳରେ ମିଳିଥିଲେ ଜୀବନସାଥୀ

ଷ୍ଟାର୍ ଆଙ୍କର ହେବା ପରେ ସେହି ଝିଲମିଲ୍ ଆଲୁଅର ରଙ୍ଗୀନ ଖେଳରେ ମିଳିଥିଲେ ଜୀବନସାଥୀ। ସେ ସମୟର ଟପ୍‌ ହିରୋ ତପନ ସ୍ୱାଇଁଙ୍କୁ ମନ ଦେବା ପରେ ବିଧିବଦ୍ଧ ବୈବାହିକ ଜୀବନ ଆରମ୍ଭ କଲେ। ବିବାହ ପରେ ସ୍ୱାମୀ-ସ୍ତ୍ରୀ ଫେରିଲେ ମଞ୍ଚକୁ। ଏଥର ଶ୍ରାବଣୀ କିନ୍ତୁ ‘ଥ୍ରୀ ଇନ୍ ୱାନ୍’ ଅର୍ଥାତ୍ ସିଙ୍ଗିଂ, ଆଙ୍କରିଂ ସହ ଆରମ୍ଭ କଲେ ଅଭିନୟ। ଶ୍ରାବଣୀଙ୍କ ପ୍ରଥମ ନାଟକ ହେଉଛି ‘ବଦନାମ ବାଦଶା’। ଏଥିରେ ବାଇଜୀ କୋଠୀର ମାଲିକାଣୀ ସାରିକା ଆକ୍କା ଭୂମିକାରେ ଶ୍ରାବଣୀଙ୍କ ନିଆରା ଅନ୍ଦାଜର ଅଭିନୟ ରାତାରାତି ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ଖ୍ୟାତି। ‘ଶିବାନୀ’, ‘ତୁଳସୀ’, ‘ରଙ୍ଗମହଲ’ ଓ ରାଜଧାନୀ ହୋଇ ଏବେ କଳିଙ୍ଗ ଗଣନାଟ୍ୟରେ ଅଛନ୍ତି ଶ୍ରାବଣୀ।

‘ବଦନାମ ବାଦଶା’, ‘ଅର୍ଦ୍ଧାଙ୍ଗିନୀ’, ‘ଦିନକ ପାଇଁ ଦ୍ରୌପଦୀ ହେବି’, ‘ଲକ୍ଷେ ଶିବ ପୂଜି ପାଇଛି ବର’, ‘ସଧବା ଓଢ଼ଣୀ ବିଧବା ବୋହୂ’, ‘କଳି ଯୁଗ କୁନ୍ତି’, ‘ଭୁଲ ହୋଇଗଲା ତୋତେ ଭଲ ପାଇ’, ‘ଦି ଘଣ୍ଟାର ବୋହୂ ଦି ପଟ ଶଙ୍ଖା’, ‘ସ୍ୱାମୀ ଆସିଥିଲା ରାତିକ ପାଇଁ’, ‘ଠିକଣା ହଜିଛି ଜଗା ଭାଇର’ ଓ ‘ଶ୍ରାବଣ ମାସର ଶେଷ ରାତି’ ପରି ଶତାଧିକ ନାଟକରେ ଅଭିନୟ କରିସାରିଥିବା ଯଲିଉଡର ଏହି ଚୁଲବୁଲି ଅଭିନେତ୍ରୀ ଆଗକୁ ଆହୁରି କିଛି ନୂଆ ମାଇଲ ଖୁଣ୍ଟ ଅତିକ୍ରମ କରିବାର ଇଚ୍ଛା ରଖିଛନ୍ତି।

https://youtu.be/wOC2xUVaQfk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos