ମୁମ୍ବାଇ(ଓଡ଼ିଶା ରିପୋର୍ଟର୍): 'ଦବଙ୍ଗ' ଖାନ୍ ସଲମାନ୍ଙ୍କ ଭଉଣୀ ଅର୍ପିତା ସୋଶାଲ୍ ମିଡିଆରେ ନିକଟରେ ଏକ ଫଟୋ ଶେୟାର୍ କରିଥିଲେ। ଏହି ଫଟୋରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବୋହୂ ବେଶରେ ଅଛନ୍ତି ଏବଂ ସଲମାନ୍ଙ୍କ ମା' ସଲ୍ମା ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।
ଏହି ଫଟୋଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ କେତେକ ଫ୍ୟାନ୍ସଲମାନ୍ ଓ କ୍ୟାଟ୍ରିନାଙ୍କ ବିବାହ ସରିଯାଇଛି ବୋଲି ଧରି ନେଇଥିବାବେଳେ ଆଉ କେତେକ ଏହାକୁ ବିବାହ ପୂର୍ବର ସୂଚନା ବୋଲି ଭାବିଛନ୍ତି। କିନ୍ତୁ ପ୍ରକୃତରେ ସେମିତି କିଛି ହୋଇନାହିଁ। ପ୍ରକୃତ କଥା ହେଉଛି, ସଲମାନ୍ ଓ କ୍ୟାଟ୍ରିନା ଅଭିନୀତ ଫିଲ୍ମ ‘ଭାରତ’ର ଏବେ ଶୁଟିଂ ଚାଲିଛି। ଆଉ ସେଥିପାଇଁ ଦୁହେଁ ଏବେ ମାଲ୍ଟାରେ ଅଛନ୍ତି। ସଲମାନ୍ଙ୍କ ମା’ ସଲ୍ମା ମଧ୍ୟ ସେଠାରେ ଅଛନ୍ତି।
ଫିଲ୍ମରେ ନିଜ ଚରିତ୍ରର ଆବଶ୍ୟକତା ଅନୁସାରେ, ଶୁଟିଂବେଳେ କ୍ୟାଟ୍ରିନା ବୋହୂ ବେଶରେ ଥିବାବେଳେ ସେଟ୍ରେ ଥିବା ସଲମାନ୍ଙ୍କ ମା’ ସଲ୍ମାଙ୍କ ନିକଟକୁ ଯାଇଥିଲେ। ଆଉ କ୍ୟାଟ୍ରିନାଙ୍କୁ ସଲ୍ମା ଆଲିଙ୍ଗନ କରିବାବେଳେ ସଲମାନ୍ଙ୍କ ଭଉଣୀ ସେ ସମୟରେ ଫଟୋ ଉଠାଇଥିଲେ। ଯାହାକୁ ଅର୍ପିତା ତାଙ୍କ ଟ୍ୱିଟର୍ ଆକାଉଣ୍ଟ୍ରେ ବି ପୋଷ୍ଟ୍ କରିଥିଲେ। ପରେ ସେ ତାକୁ ଡିଲିଟ୍ କରିଦେଇଥିଲେ।
ସେ ଯାହା ହେଉ ନା କାହିଁକି, ସଲମାନ୍ ଓ କ୍ୟାଟ୍ରିନାଙ୍କ ଫ୍ୟାନ୍ମାନଙ୍କୁ କିନ୍ତୁ ଏହି ଫଟୋଟି ବେଶ୍ ଖୁସି ଆଣି ଦେଇଛି। ଅବଶ୍ୟ ସଲମାନ୍ ଓ କ୍ୟାଟ୍ରିନାଙ୍କ ଲଭ୍ଷ୍ଟୋରୀ ଏବେ ପୁରୁଣା ହୋଇଗଲାଣି। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ପରେ ଉଭୟଙ୍କ ଧ୍ୟରେ ଦୂରତା ବୃଦ୍ଧି ପାଇଥିଲା। କିନ୍ତୁ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ପରେ ଦୁହିଁଙ୍କ ମଧ୍ୟରେ ପୁଣି ନିବିଡ଼ତା ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି।