ମୁମ୍ବାଇ: ଚାଲିଗଲେ ଲୋକପ୍ରିୟ ଗୀତିକାର ନାସିର ଫରାଜ। ବଲିଉଡ଼ ପାଇଁ ଅନେକ ହିଟ୍ ଗୀତ ଲେଖିଥିବା ନାସିର ହୃଦ୍ରୋଗରେ ପୀଡ଼ିତ ଥିଲେ। ନାସିର ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକାଧିକ ଗୀତ ଲେଖିଛନ୍ତି । ତାଙ୍କର ପ୍ରତିଟି ଶବ୍ଦ ବେଶ ମଧୁର ଏବଂ ଏହା ଦର୍ଶକଙ୍କୁ ବେଶ ଛୁଇଁପାରିଥିଲା। କୁହାଯାଉଛି ଯେ ସେ ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରୁଥିଲେ। ତାଙ୍କର କିଛି ହୃଦ ସମ୍ବନ୍ଧୀୟ ରୋଗ ଥିଲା। ସେ ୭ ବର୍ଷ ପୂର୍ବରୁ ମଧ୍ୟ ଅସ୍ତ୍ରୋପଚାର କରିଥିଲେ। ତେବେ ରବିବାର ଦିନ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୁମ୍ବାଇର ନାଲାସୋପାରା ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ନାସିର ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଦୁଇଟି ସୁପରହିଟ୍ ଗୀତ ‘ଦିଲ୍ କ୍ୟୁଁ ମେରା ଶୋର କରେ’ ଏବଂ ‘ଜିନ୍ଦଗୀ ଦୋ ପଲ୍ କି’ ରଚନା କରିଥିଲେ। ଏହା ବ୍ୟତୀତ ସେ ବାଜିରାଓ ମସ୍ତାନୀ, କ୍ରିସ୍, କାବିଲ ଓ ଏତ୍ବାର୍ ଆଦି ଅନେକ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି। ତାଙ୍କ ବନ୍ଧୁ ତଥା ଗାୟକ ମୁଜ୍ତବା ଅଜିଜ୍ ନାଜା ନାସିରଙ୍କ ବିୟୋଗ ଖବର ଦେଇଛନ୍ତି। ରବିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କିନ୍ତୁ ସେ ଡାକ୍ତରଖାନା ଯାଇ ନଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ମୁଜ୍ତବା ସୂଚନା ଦେଇଛନ୍ତି। ସେ ଏକାଧାରରେ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦେଶକ ମଧ୍ୟ ଥିଲେ।