‘ତୁଛାକୁ ମହୁ, ଗୁଡ଼ ପଡ଼ିଲେ କି ରହିବ ଆଉ’,“ଝୁଣ୍ଟିଆକୁ ଚୁଡ଼ି ଝମର ଝମର’ ଆଦି ଗୀତ ପାଇଁ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିବା ବିନୋଦିନୀ ଦେବୀ ଆଉ ନାହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ବିନୋଦିନୀ ଦେବୀ ଆଜି ସକାଳେ ଅନୁଗୁଳଠାରେ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଛନ୍ତି। ତାଙ୍କ ମୃତ୍ୟୁ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ପ୍ରତି ଏକ ଅପୂରଣୀୟ କ୍ଷତି।
କଟକର ତିଗିରିଆରେ ୧୯୩୭ ମସିହାରେ ଜନ୍ମ ନେଇଥିବ ବିନୋଦିନୀ ଦେବୀ ଓଡ଼ିଆ ଚଳଚ୍ଚିତ୍ର ସଂଗୀତର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ। ୧୯୬୫ ମସିହାରେ ମୁକ୍ତିପ୍ରାପ୍ତ ‘ମଲାଜହ୍ନ’ରୁ ଚଳଚ୍ଚିତ୍ର ପାଇଁ ଗୀତ ରଚନା ଆରମ୍ଭ କରି ଓଡ଼ିଆ ଚଳଚ୍ଚିତ୍ରର ‘ପ୍ରଥମ ନାରୀ ଗୀତିକାର’ ହେବାର ସୌଭାଗ୍ୟ ହାସଲ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୧୯୫୮ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକବି ପାଲଟି ଯାଇଥିଲେ।
ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ଗୀତ ରଚନା କରିଛନ୍ତି ବିନୋଦିନୀ ଦେବୀ। ୧୯୭୮ ମସିହାରେ ‘ତଅପୋଇ’, ୭୯ରେ ‘ଶ୍ରୀଜଗନ୍ନାଥ’, ୮୩ରେ ‘ମହାସତୀ ସାବିତ୍ରୀ’ ଓ ୨୦୦୭ରେ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରି ସେ ଘରେ ଘରେ ବିନୋଦିନୀ ମାଉସୀ ଭାବେ ପରିଚିତ ହୋଇ ପାରିଥିଲେ।
ଲୋକକଳ୍ପନାକୁ ବିନିଯୋଗ କରି ଚଳଚ୍ଚିତ୍ର ଗୀତରେ ସାଧାରଣ ପଦ୍ୟ ଭାଷା କିନ୍ତୁ ଅସାଧାରଣ ଭାବର ସ୍ପଷ୍ଟ ଓ ସ୍ୱଚ୍ଛନ୍ଦ ନିୟମ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି। ପୁନଶ୍ଚ ଓଡ଼ିଆ ଲୋକଭାଷା ଓ ଲୋକକଳ୍ପନାର ଚମତ୍କାର ଶବ୍ଦ ରସାୟନ ତାଙ୍କ ଗୀତିକବିତା ସବୁରେ ପ୍ରସ୍ପୁଟିତ ହୋଇ ରହିଛି।
ବିନୋଦିନୀ ମାଉସୀଙ୍କ କାଳଜୟୀ ଗୀତିଗ୍ରନ୍ଥଗୁଡ଼ିକ ହେଉଛି, ‘ଖୋକାଟିଏ ଖୋକିଟିଏ’ (ଶିଶୁଗୀତି ସଙ୍କଳନ, ୧୯୮୬), ‘ଅମୃତା’ (ଭକ୍ତିଗୀତି ସଙ୍କଳନ, ୧୯୯୬), ଟିକି ଟିକି ନାଲି କାଇଁଚ (ଶିଶୁଗୀତି ସଙ୍କଳନ, ୧୯୯୯), ‘ଏଇ କଳା ମୋର କଳଙ୍କ’ (ଆଧୁନିକ ଗୀତ ସଂକଳନ, ୨୦୦୦)।
ବହୁ କଳାର ଅଧିକାରିଣୀ ବିନୋଦିନୀ ମାଉସୀ ଅନୁବାଦ ଓ ଶିଶୁ ସାହିତ୍ୟରେ ମଧ୍ୟ ପ୍ରବୀଣା। ‘ଚୋରାବାଲିରେ’, ‘ରକତ ଟଳମଳ ଖଇର ପାଞ୍ଚପଳ’, ‘ମୁଁ ଯେ ଭରା ବସନ୍ତ ଶାଖାରେ ଏକାକୀ କଜଳ ପାତି’, ‘ମୁଁ ତୁମ ବଧୂ ନୁହେଁ ବନ୍ଧୁ’, ‘କାଳିଆ ଆସିଲା’, ‘ନିରିମାଖୀ କୁଆଁରୀ ମୁଁ’ ଓ ‘ଏଇ କଳା ମୋର କଳଙ୍କ’ ଅ।ଦି ତାଙ୍କର ଅନେକ ଉଲ୍ଲେଖନୀୟ ରଚନା ଗୀତ ମଧ୍ୟରେ ଅନ୍ୟତମ।
ବିନୋଦିନୀ ଦେବୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।