ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ର ଅନ୍ୟତମ ଭେଟେରାନ୍ ଆକ୍ଟର ହେଉଛନ୍ତି ବିଜୟ ମହାନ୍ତି। ୧୯୭୭ରେ ‘ଚିଲିକା ତୀରେ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍ରେ ପାଦ ଥାପି ଥିଲେ। ୩୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ବିଜୟ ମହାନ୍ତିଙ୍କ ଅଭିନୟରେ ଏକ ବିଶେଷ ଆକର୍ଷଣ ରହିଛି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି।
ଆପଣମାନେ ତ ଜାଣିଥିବେ ବିଜୟ ଦିଲ୍ଲୀ ସ୍ଥିତ ନ୍ୟାଶ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ୍ଏସ୍ଡି)ର ଛାତ୍ର ଥିଲେ। ଆଉ ସେଠାରେ ରାଜ୍ ବବ୍ବର, ନଶିରୁଦ୍ଦିନ୍ ଶାହ ଓ ସ୍ୱର୍ଗତ ଓମ୍ ପୁରୀ ପ୍ରମୁଖ ତାଙ୍କର ସହପାଠୀ ଥିଲେ। ଅଭିନୟର ବିଭିନ୍ନ ଦିଗ ପ୍ରତି ତାଙ୍କର ଶିକ୍ଷାଲାଭ କରିବାର ଏତେ ଆଗ୍ରହ ଥିଲେ ଯେ, ସେ ସେଠାରେ ଏକ ପ୍ରକାର ତପସ୍ୟା ସ୍ତରକୁ ଚାଲି ଯାଇଥିଲେ।
ଏନ୍ଏସ୍ଡିରେ ପଢ଼ିବା ପାଇଁ ବିଜୟଙ୍କୁ ତାଙ୍କର ଜଣେ ବଡ଼ ଭାଇ ପ୍ରସନ୍ନ ମହାନ୍ତି ପରାମର୍ଶ ଦେଇଥିଲେ। କାରଣ ସେ କଲେଜ୍ରେ କରିଥିବା କିଛି ଡ୍ରାମା ତାଙ୍କ ଭାଇ ଦେଖିଥିଲେ। କଲେଜରେ ଥରେ ତାଙ୍କୁ ବେଷ୍ଟ୍ ଆକ୍ଟର ପୁରସ୍କାର ବି ମିଳିଥିଲା।
ଓଡ଼ିଆ ଚଳଚ୍ଚିତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ୨୦୧୪ ମସିହାରେ ବିଜୟ ମହାନ୍ତିଙ୍କୁ ‘ଜୟଦେବ ପୁରସ୍କାର‘ ପ୍ରଦାନ କରାଯାଇଥିଲା। ରାଜ୍ୟରେ ସିନେମା କ୍ଷେତ୍ରରେ ଏହା ହେଉଛି ସର୍ବୋଚ୍ଚ ସମ୍ମାନ। ସେହିପରି ‘ଆରତି’ (୧୯୮୧), ‘ମମତା ମାଗେ ମୂଲ’ (୧୯୮୫), ‘ଏଇ ଆମ ସଂସାର’ (୧୯୮୬), ‘ଆମ ଘର ଆମ ସଂସାର’ (୧୯୯୧), ‘ଭୀଷ୍ମ ପ୍ରତିଜ୍ଞା’ (୧୯୯୩) ଓ ‘ଭାଇ ହେଲା ଭଗାରି’ (୧୯୯୪) ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।