Advertisment

ଭେଟରାନ ଓଡ଼ିଆ ଅଭିନେତା ଚକ୍ରଧର ଜେନା ଆଉ ନାହାନ୍ତି

ମେଗା ସିରିଏଲ ମହାଯଜ୍ଞରେ ରାହୁ ମଙ୍ଗରାଜ ଚରିତ୍ରରେ ସେ ଅଭିନୟ କରି ସମସ୍ତଙ୍କ ପାଖରେ ପରିଚିତ ହୋଇପାରିଥିଲେ। ମାଉସୀ ସିରିଏଲରେ ଦଣ୍ଡ ପାଣି ଭୂମିକା ତାଙ୍କୁ ଆହୁରି ଉପରକୁ ନେଇଥିଲେ।

ଅଦ୍ୟତନ ହୋଇଛି
Jena

Jena

Advertisment

ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଚକ୍ରଧର ଜେନା ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।

Advertisment

ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ସେ ଦୀର୍ଘ ୨୩ ଦିନ ହେବ ଏମ୍ସରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ସୋମବାର ରାତିରେ ହୃଦଘାତ ଯୋଗୁ ଶ୍ରୀ ଜେନା ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ତାଙ୍କ ପରଲୋକରେ ପୂରା ସିନେମା ଇଣ୍ଡଷ୍ଟ୍ରୀ ଦୁଃଖରେ ଭାଙ୍ଗି ପଡ଼ିଛି।

୧୯୫୪ରେ ବାଲେଶ୍ୱର ଜିଲ୍ଲା ଭିଲ୍ଲା ଗାଁରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଜେନା ୧୯୮୩ ରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରୁ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଅଭିନୟ ଯାତ୍ରା ବେଶ ଲମ୍ବା ଥିଲା। ସେ ଦୀର୍ଘ ବର୍ଷ ଧରି ସିନେମା ଜଗତ ସହ ଯୋଡ଼ି ହୋଇ ରହିଥିଲେ। ଅନେକ ହିଟ ସିନେମାରେ ସେ ଅଭିନୟ କରି ନିଜର ଛାପ ଛାଡ଼ିଛନ୍ତି। ଖଳନାୟକ ଠାରୁ ଆରମ୍ଭ କରି କମେଡି ଓ ଚରିତ୍ର ଅଭିନେତା ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଓଡ଼ିଆ ସିନେମା ପ୍ରତି ତାଙ୍କର ଅବଦାନ ଢେର ଅଧିକ ଥିଲା।

Advertisment

ଶ୍ରୀ ଜେନା ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୩ରେ ରିଲିଜ ହୋଇଥିବା ସୁପର ହିଟ ସିନେମା ପଥର ଖସୁଛି ବଡ଼ ଦେଉଳୁରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ରଣଭୂମୀ, ଆଇଲାରେ ଓଡ଼ିଆ, ଅର୍ଜୁନ, ମାୟା, ରଙ୍ଗିଲା ବାବା, ଓମ ନମଃ ଶିବାୟ, କଥାନ୍ତର, ତୁ ମୋ ଆଖିର ତାରା, ପ୍ରେମ ୱେଡସ ପ୍ରିୟା, ମୋ ମନ ଖାଲି ତୋରି ପାଇଁ, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ ଓ ସଞ୍ଜୁ ଆଉ ସଞ୍ଜନା ଭଳି ଅନେକ ସୁପର ଡୁପର ହିଟ୍ ଫିଲ୍ମରେ ସେ ଅଭିନୟ କରିଥିଲେ।

ମେଗା ସିରିଏଲ ମହାଯଜ୍ଞରେ ରାହୁ ମଙ୍ଗରାଜ ଚରିତ୍ରରେ ସେ ଅଭିନୟ କରି ସମସ୍ତଙ୍କ ପାଖରେ ପରିଚିତ ହୋଇପାରିଥିଲେ। ମାଉସୀ ସିରିଏଲରେ ଦଣ୍ଡ ପାଣି ଭୂମିକା ତାଙ୍କୁ ଆହୁରି ଉପରକୁ ନେଇଥିଲା। 

ଚକ୍ରଧର ଜେନାଙ୍କ ଅଭିନୟର ନିପୁଣତା କେବଳ ଆଞ୍ଚଳିକ ସ୍ତରରେ ସୀମିତ ନଥିଲା। ସେ ହଲିଉଡ ସିନେମାରେ ମଧ୍ୟ କାମ କରିଛନ୍ତି। ସିଟି ଅଫ ଜୟ ଓ ଇଲେକ୍ଟ୍ରି କ୍‌ ମୁନରେ ସେ ନଜର ଆସିଥିଲେ। ସିଟି ଅଫ ଜୟ ସିନେମାରେ ସେ ବରିଷ୍ଠ ଅଭିନେତା ଓମ ପୁରୀ ଓ ଶାବନା ଅଜମିଙ୍କ ସହ ସ୍କ୍ରିନ ଶେୟାର କରିଥିଲେ।

ଏହାବାଦ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ହିନ୍ଦୀ ସିରିଏଲ ଅନ୍ତରଦାହରେ ମଧ୍ୟ ସେ ନଜର ଆସିଥିଲେ। ୧୯୯୩ର ହିନ୍ଦୀ ଫିଲ୍ମ ସର୍ଦାରରେ ମଧ୍ୟ ସେ ଅଭିନୟ କରିଥିଲେ। ଏହି ସିନେମାଟି ଲୌହମାନବ ବଲ୍ଲଭଭାଇ ପଟେଲଙ୍କ ଉପରେ ତିଆରି ହୋଇଥିଲା। ସବୁବେଳେ ତାଙ୍କ ଅଭିନୟକୁ ଦର୍ଶକ ଓ ସିନେ ସମୀକ୍ଷକମାନେ ପ୍ରଶଂସା କରୁଥଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରୀ ଜେନା ଓଡ଼ିଶାର ପ୍ରଥମ କଳାକାର ଯିଏ ଇଟାଲୀ ସରକାରଙ୍କ ଠାରୁ କଳା ରତ୍ନ ପୁରସ୍କାର ପାଇଥିଲେ। ଏହାବାଦ ତାଙ୍କୁ ଓଡ଼ିଶାରେ ଅନେକ କଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Odisha Ollywood Actor Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe