Late Shantiraj Khosla
କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଆ ସଙ୍ଗୀତ ଜଗତକୁ ଆଉ ଏକ ଝଟକା। ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର ଆଜି ପରଲୋକ ହୋଇଯାଇଛି। କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।
ମେ’ ୨୨ ତାରିଖରେ ଶାନ୍ତରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ହୋମ୍ଆଇସୋଲେସନ୍ରେ ଥିଲେ। ତେବେ ଆଜି ସକାଳେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲର ଆଉଟ୍ଡୋରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶାନ୍ତରାଜଙ୍କ ନିଜ ଘର କୋରାପୁଟ ଜିଲ୍ଲା ଜୟପୁରରେ। ହେଲେ ଦୀର୍ଘବର୍ଷ ହେବ କଟକରେ ରହି ସଙ୍ଗୀତ ସାଧନାରେ ନିମଗ୍ନ ଥିଲେ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ନିଜସ୍ୱ ଏକ ଛାପ ଛାଡ଼ିଯାଇଛନ୍ତି ଶାନ୍ତିରାଜ। ‘ଡନ୍’, ‘ମୋ ସପନର ସୌଦାଗର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଧନରେ ରଖିବୁ ଶପଥ ମୋର’ ଭଳି ଅନେକ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେହିଭଳି ‘ଜାଇଫୁଲ’, ‘ବାଇଚଢ଼େଇ’ ଓ ‘ଏମିତି ରଙ୍ଗ ଦେ ଲୋ ଫୁଲ’ ଭଳି ଅନେକ ସୁପରହିଟ୍ ଆଲ୍ବମ୍ରେ ସେ ମ୍ୟୁଜିକ୍ ଆରେଞ୍ଜର ଭାବେ କାର୍ଯ୍ୟ କରିଥିଲେ।
ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/shantiraj.jpg)