ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମ। ପଦ୍ମଭୂଷଣ ସମ୍ମାନରେ ସାମ୍ମାନିତ ବାଣୀ ଜୟରାମଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚେନ୍ନାଇ ସ୍ଥିତ ନିଜ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଚେନ୍ନାଇ ସ୍ଥିତ ଘରୁ ତାଙ୍କର ମୃତଦେହ ମିଳିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁର କାରଣ ଜଣାପଡିନାହିଁ। ବର୍ତ୍ତମାନ ପୁଲିସ ତାଙ୍କ ମୃତ୍ୟୁର କାରଣ ଖୋଜୁଛି। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ଚାରିଆଡ଼େ ଶୋକରଛାୟା ଖେଳିଯାଇଛି।
ବାଣୀ ଜୟରାମଙ୍କ ମୃତ୍ୟୁ ଅତି ରହସ୍ୟମୟ ଢଙ୍ଗରେ ହୋଇଥିବା କୁହାଯାଉଛି। ମୃତ୍ୟୁର ସେପରି କୌଣସି କାରଣ ଜଣାପଡିନଥିଲେ ବି ତାଙ୍କ ବାସଭବନରୁ ମୃତଦେହ ଉଦ୍ଧାର ହୋଇଛି।
ବାଣୀ ଜୟରାମ ନିକଟରେ ଜଣେ ସଫଳ ଗାୟିକା ରୂପେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୫୦ ବର୍ଷ ପୂରଣ କରିଥିଲେ। ସେ ନିଜ କ୍ୟାରିୟରରେ ୧୦,୦୦୦ରୁ ଅଧିକ ଗୀତ ରେକର୍ଡ କରିଥିଲେ। ବାଣୀ ଜୟରାମ ଆର୍ ଡି ବର୍ମନ, କେ.ଭି ମହାଦେବନ, ଓପି ନାୟାର ଏବଂ ମଦନ ମୋହନଙ୍କ ସମେତ ବଲିଉଡର ଅନ୍ୟାନ୍ୟ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଥିଲେ। ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା।
ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ହିନ୍ଦୀ, ଉର୍ଦ୍ଦୁ, ମରାଠୀ, ବଙ୍ଗାଳୀ, ଭୋଜପୁରୀ ବ୍ୟତୀତ ଓଡ଼ିଆରେ ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଏବଂ ଓଡିଶା ଆଦି ରାଜ୍ୟରୁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।