Advertisment

ବନ୍ଧୁଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଓ ବିବାଦ

ମାମ୍ମୁଟ୍ଟୀ ଓ ମୋହନଲାଲଙ୍କ ମଧ୍ୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଏହି ଦୁଇ ସୁପରଷ୍ଟାର ଏକାଠି ପ୍ରାୟ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Mammooty and Mohanlal

Mammooty and Mohanlal

ମଲୟାଲମ ସୁପରଷ୍ଟାର ମୋହନଲାଲ ତାଙ୍କ ନୂଆ ଫିଲ୍ମ ‘L2:Empuraan’ ରିଲିଜ ହେବା ପୂର୍ବରୁ ବିବାଦରେ ଫସି ଯାଇଛନ୍ତି। ଅବଶ୍ୟ ଏହି ବିବାଦ ସହିତ ତାଙ୍କ ଫିଲ୍ମର କୌଣସି ସଂପର୍କ ନାହିଁ। ତାଙ୍କର ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ତାଙ୍କୁ ସମାଲୋଚନା କରାଯାଉଛି।

Advertisment

୬୪ ବର୍ଷୀୟ ମୋହନଲାଲ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ବଡ଼ ଷ୍ଟାର। ଗତ ୧୮ ତାରିଖରେ ସେ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ତାଙ୍କର ସାବରୀମାଳା ମନ୍ଦିର ଗସ୍ତ ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ଜଣେ ସୁପରଷ୍ଟାର ହୋଇଥିବାରୁ ଭିଡିଓଟି ଭାଇରାଲ ହୋଇନଥିଲା। ଭିଡିଓଟି ଏଥିପାଇଁ ଭାଇରାଲ ହୋଇଥିଲା ଯେ ମୋହନଲାଲ ସାବରୀମାଳା ମନ୍ଦିର ଯାଇ ତାଙ୍କର ଘନିଷ୍ଠ ବନ୍ଧୁ ତଥା ମଲୟାଲମ ଫିଲ୍ମର ଅନ୍ୟତମ ବଡ଼ ଷ୍ଟାର ମାମ୍ମୁଟ୍ଟୀ (ମହମ୍ମଦ କୁଟ୍ଟୀ ପନପରମ୍ବିଲ ଇସମାଇଲ)ଙ୍କ ପାଇଁ ପ୍ରାର୍ଥନା କରିଥିଲେ।

ମାମ୍ମୁଟ୍ଟୀ ଓ ମୋହନଲାଲଙ୍କ ମଧ୍ୟରେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଘନିଷ୍ଠ ବନ୍ଧୁତା ରହିଆସିଛି। ଏହି ଦୁଇ ସୁପରଷ୍ଟାର ଏକାଠି ପ୍ରାୟ ୫୫ଟି ଫିଲ୍ମରେ ଅଭିନୟ କରିଛନ୍ତି। ନିକଟରେ ୭୩ ବର୍ଷୀୟ ମାମ୍ମୁଟ୍ଟୀ ଅସୁସ୍ଥ ହୋଇପଡ଼ିଥିଲେ। ମାମ୍ମୁଟ୍ଟୀଙ୍କ ଆଶୁ ଆରୋଗ୍ୟ କାମନା କରି ମୋହନଲାଲ ସାବରୀମାଳା ମନ୍ଦିର ଯାଇ ପ୍ରାର୍ଥନା କରିଥିଲେ। ତାଙ୍କର ସାବରୀମାଳା ମନ୍ଦିର ଗସ୍ତ ଅବସରରେ କଟା ଯାଇଥିବା ଏକ ରସିଦ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଧାର୍ମିକ ବିଶ୍ୱାସକୁ ନେଇ ସୃଷ୍ଟି ହୋଇଥିଲା ବିବାଦ।

Advertisment

ମୋହନଲାଲଙ୍କ ଭଳି ଜଣେ ସୁପରଷ୍ଟାର ତାଙ୍କର ସୁପରଷ୍ଟାର ବନ୍ଧୁ ମାମ୍ମୁଟ୍ଟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ପ୍ରାର୍ଥନା କରିବାକୁ ମନ୍ଦିରକୁ ଯିବା ଏକ ଭଲ ଖବର ହୋଇଥିଲେ ହେଁ ଭିନ୍ନ ଧାର୍ମିକ ବିଶ୍ୱାସ ଯୋଗୁ ଏହା ଏକ ବିବାଦୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଛି।

ଭାଇରାଲ ହୋଇଥିବା ରସିଦରେ ମାମ୍ମୁଟ୍ଟୀଙ୍କ ଜନ୍ମ ନାମ ମହମ୍ମଦ କୁଟ୍ଟୀ ଲେଖାଯାଇଛି। ଏହା ଦେଖି କିଛି ଲୋକ ପ୍ରଶ୍ନ କରିଛନ୍ତି ଯେ ଜଣେ ମୁସଲମାନଙ୍କ ପାଇଁ ମୋହନଲାଲ ମନ୍ଦିରରେ ପ୍ରାର୍ଥନା କରିବା କେତେ ଠିକ୍‌। ଏହି କାର୍ଯ୍ୟ ପାଇଁ ମୋହନଲାଲ ମୁସଲିମ ସଂପ୍ରଦାୟକୁ କ୍ଷମା ମାଗିବା ଉଚିତ ବୋଲି ସମାଲୋଚକମାନେ କହିଛନ୍ତି। ଏହା ସହିତ ସମାଲୋଚକମାନେ ମାମ୍ମୁଟ୍ଟୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେମାନେ କହିଛନ୍ତି, ଯଦି ମାମ୍ମୁଟ୍ଟୀ ତାଙ୍କ ପାଇଁ ମନ୍ଦିରରେ ପ୍ରାର୍ଥନା କରିବାକୁ ମୋହନଲାଲଙ୍କୁ କହିଥିବେ, ତା’ହେଲେ ସେ ଇସଲାମ ବିରୋଧୀ କାର୍ଯ୍ୟ କରିଛନ୍ତି ଓ ଏହା ଏକ ଅପରାଧ।

କୁରାନ ଅନୁଯାୟୀ ଇସଲାମ ଧର୍ମାବଲମ୍ବୀମାନେ କେବଳ ଆଲ୍ଲାଙ୍କ ଉପରେ ଆସ୍ଥା ରଖିବେ। ଏହାକୁ ଆଧାର କରି ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ଓ. ଅବଦୁଲ୍ଲା ସୋଶାଲ ମିଡିଆରେ ଲେଖିଛନ୍ତି ଯେ ଯଦି ଏହା ମାମ୍ମୁଟ୍ଟୀଙ୍କ ଜାଣତରେ ହୋଇଥାଏ, ତା’ହେଲେ ସେ ଭୁଲ ମାଗିବା ଉଚିତ। ସେ ମୁସଲିମ ସଂପ୍ରଦାୟକୁ କ୍ଷମା ମାଗିବା ଉଚିତ। ତାଙ୍କର ପକ୍ଷରୁ ଏହା ଏକ ଗୁରୁତର ତ୍ରୁଟି। ଏହା ଏକ ବଡ଼ ଅପରାଧ। ଯଦି ମାମ୍ମୁଟ୍ଟୀଙ୍କ ଅଜାଣତରେ ମୋହନଲାଲ ନିଜ ଆଡ଼ୁ ତାଙ୍କ ପାଇଁ ମନ୍ଦିରରେ ପ୍ରାର୍ଥନା କରିଥିବେ, ତା’ହେଲେ ସେଥିରେ ତାଙ୍କର (ମାମ୍ମୁଟ୍ଟୀଙ୍କର) କୌଣସି ଭୁଲ ନାହିଁ। ମୋହନଲାଲଙ୍କର ଭଗବାନ ଆୟାପ୍ପାଙ୍କ ଉପରେ ଉଚ୍ଚ ଆସ୍ଥା ରହିଛି। ସେହି ଅନୁସାରେ ସେ ସେଠାକୁ ଯାଇ ପୂଜାର୍ଚ୍ଚନା କରିପାରିବେ।

ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମୋହନଲାଲଙ୍କୁ ଏହି ବିବାଦ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ମୋହନଲାଲ କହିଥିଲେ ଯେ ସେ ତାଙ୍କ ବନ୍ଧୁଙ୍କ ପାଇଁ ପ୍ରାର୍ଥନା କରି କିଛି ଭୁଲ୍ କରି ନାହାନ୍ତି। ଏହା ସଂପୂର୍ଣ୍ଣ ଭାବେ ଏକ ବ୍ୟକ୍ତିଗତ ପସନ୍ଦ। ଏହାକୁ ନେଇ ସର୍ବସାଧାରଣରେ ଆଲୋଚନା କରାଯିବା ଉଚିତ୍ ନୁହେଁ। ଯଦି ଆପଣ କାହା ପାଇଁ ପ୍ରାର୍ଥନା କରିବା ପାଇଁ ଚାହାନ୍ତି, ତା’ହେଲେ କେବଳ ତାହା କରନ୍ତୁ। ଏହା ବିଷୟରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। 

ଏହା ସହିତ ମନ୍ଦିରର କୌଣସି କର୍ମଚାରୀ ଉକ୍ତ ରସିଦ ଲିକ୍ କରିଛନ୍ତି ବୋଲି ମୋହନଲାଲ ସଙ୍କେତ ଦେଇଛନ୍ତି। ତେବେ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, ରସିଦର ଯେଉଁ ଅଂଶଟି ଶ୍ରଦ୍ଧାଳୁମାନଙ୍କୁ ଦିଆଯାଏ, ତାହା ଭାଇରାଲ ହୋଇଛି। କଥାଟିକୁ ମୋହନଲାଲ ଭଲ ଭାବେ ବୁଝିପାରି ନଥିବାରୁ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି। ଆମେ ଆଶା କରୁଛୁ ଯେ ସେ ତାଙ୍କ ମନ୍ତବ୍ୟକୁ ସୁଧାରି ନେବେ। ଅନ୍ୟପକ୍ଷରେ ମୋହନଲାଲ ଆଉ ଏ ପ୍ରସଙ୍ଗରେ କିଛି କହିବାକୁ ମନା କରି ଦେଇଛନ୍ତି।

ବିବାଦ ସତ୍ତ୍ୱେ ଏହି ଘଟଣାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି ମୋହନଲାଲ ଓ ମାମ୍ମୁଟ୍ଟୀ। ସେହିପରି ଏହି ଦୁଇ ସୁପରଷ୍ଟାର ବନ୍ଧୁଙ୍କୁ ସମର୍ଥନ କରିଛନ୍ତି ବଲିଉଡ୍‌ର ଭେଟେରାନ ଗୀତିକାର ଓ ଚିତ୍ରନାଟ୍ୟ ଲେଖକ ଜାଭେଦ ଅଖତର। ସେ କହିଛନ୍ତି, ମୁଁ ପ୍ରାର୍ଥନା କରୁଛି ଯେ ଭାରତର ପ୍ରତ୍ୟେକ ମାମ୍ମୁଟ୍ଟୀଙ୍କୁ ମୋହନଲାଲଙ୍କ ଭଳି ବନ୍ଧୁ ମିଳନ୍ତୁ ଓ ପ୍ରତ୍ୟେକ ମୋହନଲାଲଙ୍କୁ ମାମ୍ମୁଟ୍ଟୀଙ୍କ ଭଳି ବନ୍ଧୁ ମିଳନ୍ତୁ। ସେମାନଙ୍କର ବନ୍ଧୁତା ଛୋଟ, ସଂକୀର୍ଣ୍ଣମନା ଓ ନକାରାତ୍ମକ ଭାବନା ରଖୁଥିବା ଲୋକଙ୍କ ବୁଝିବା ବାହାରେ। ତେବେ ସେମାନଙ୍କୁ କିଏ ଡରୁଛି।  

ମାମ୍ମୁଟ୍ଟୀଙ୍କୁ କ୍ୟାନସର ହୋଇନାହିଁ

ଏହା ମଧ୍ୟରେ ମାମ୍ମୁଟ୍ଟୀଙ୍କ ଟିମ୍ ଏକ ବୟାନ ଜାରି କରିଛନ୍ତି। ସେଥିରେ ଦର୍ଶାଯାଇଛି ଯେ ମାମ୍ମୁଟ୍ଟୀଙ୍କୁ କ୍ୟାନସର ହୋଇଛି ବୋଲି ଯାହା କୁହାଯାଉଛି, ତାହା ଏକ ଗୁଜବ। ରମଜାନ ମାସ ଚାଲିଥିବାରୁ ମାମ୍ମୁଟ୍ଟୀ କାର୍ଯ୍ୟରୁ ବିରତି ନେଇଛନ୍ତି। କାରଣ ରମଜାନ ପାଇଁ ସେ ଉପବାସ ରଖୁଛନ୍ତି। ରମଜାନ ମାସ ଶେଷ ହେବା ପରେ ମାମ୍ମୁଟ୍ଟୀ ପୁଣି ଶୁଟିଂ ଆରମ୍ଭ କରିବେ। ସେ ମହେଶ ନାରାୟଣନଙ୍କ ଆଗାମୀ ଫିଲ୍ମରେ କାର୍ଯ୍ୟ କରିବାକୁ ଚୁକ୍ତି କରିସାରିଛନ୍ତି। ଏଥିରେ ତାଙ୍କ ସହିତ ମୋହନଲାଲ ମଧ୍ୟ ଅଭିନୟ କରିବେ।

Mohanlal Mammootty