ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଳନାୟକ ରାଇମୋହନ ପରିଡ଼ା ଅନେକ ହିରୋଙ୍କ ସହିତ କାମ କରିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ ମହାନ୍ତି ମଧ୍ୟ ଅଛନ୍ତି। ‘ଉଦଣ୍ଡି ସୀତା’, ‘ଦେ ମା ଶକ୍ତି ଦେ’ ଓ ‘ସତ ମିଛ’ ପରି ଫିଲ୍ମରେ ଦୁହେଁ ଏକାଠି ଅଭିନୟ କରିଥିଲେ। ଏହି ଫିଲ୍ମଗୁଡ଼ିକରେ ସେମାନଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ବି ଆପଣମାନେ ଦେଖିଥିବେ। ସେ ସମୟରେ ବେଷ୍ଟ ହିରୋ ଓ ଭିଲିଆନ୍ ଯୋଡ଼ିରେ ବି ଏ ଦୁହେଁ ସାମିଲ୍ ଥିଲେ। ଉତ୍ତମ ମହାନ୍ତିଙ୍କ ସହ ଅନେକ ଫିଲ୍ମରେ ଲଢ଼େଇ କରିଥିବା ରାଇମୋହନ ଏବେ ତାଙ୍କ ପୁଅ ବାବୁସାନ୍ଙ୍କ ସହ ଲଢେଇ କରିଛନ୍ତି। ଆଉ ଏ ଲଢ଼େଇ ହୋଇଛି ଆଜି ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍ନୁ’ରେ।
ସେ କହିଛନ୍ତି, “ବାବୁସାନ୍ ଜଣେ ଜବରଦସ୍ତ କଳାକାର। କେମିତି ବା ନ ହେବେ? ବାପମା’ ଦୁହେଁ କଳାକାର। ତେଣୁ ତାଙ୍କ ଜିନ୍ରେ ଅଭିନୟ ରହିଛି। ସେଥିପାଇଁ ସେ ଏତେ ସୁନ୍ଦର ଅଭିନୟ କରିପାରନ୍ତି ଓ ସବୁ ଚରିତ୍ରକୁ ନ୍ୟାୟ ଦେଇପାରନ୍ତି। ଦର୍ଶକଙ୍କର ସେ ଭରପୂର ମନୋରଞ୍ଜନ କରିପାରନ୍ତି। ସେଥିପାଇଁ ତ ବାପାଙ୍କ ପରି ସେ ବି ଆଜି ଜଣେ ସୁପରଷ୍ଟାର ହୋଇପାରିଛନ୍ତି।”