Advertisment

ଭାରତରେ ରିଲିଜ୍ ହେବ ପାକିସ୍ତାନ ସିନେମା, ଚେତାବନୀ ଦେଲେ ରାଜ ଠାକରେ

ଗାନ୍ଧି ଜୟନ୍ତୀରେ ଭାରତରେ ପାକିସ୍ତାନ ସିନେମା 'ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ' ରିଲିଜ୍ ହେବାକୁ ଯାଉଛି।

author-image
Debibandita Barick
Raj Thackeray & Pak Film Poster

Raj Thackeray & Pak Film Poster

ଆସନ୍ତା ଅକ୍ଟୋବର 2 ଅର୍ଥାତ୍ ଗାନ୍ଧି ଜୟନ୍ତୀରେ ଭାରତରେ ପାକିସ୍ତାନ ସିନେମା 'ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ' ରିଲିଜ୍ ହେବାକୁ ଯାଉଛି। ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ଏହାକୁ ତୀବ୍ର ବିରୋଧ କରିଛନ୍ତି। 

Advertisment

ମହାରାଷ୍ଟ୍ରର କୌଣସି ବି ସିନେମା ହଲରେ ଏହି ସିନେମା ରିଲିଜ୍ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଯଦି ରିଲିଜ୍ ହୁଏ ତେବେ ସିନେମା ହଲ୍ ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ରାଜ ଠାକରେ ମରାଠୀ ଭାଷାରେ ଏକ ଏକ୍ସ ପୋଷ୍ଟ କରି କହିଛନ୍ତି, "ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଚଳଚ୍ଚିତ୍ର 'ଦି ଲିଜେଣ୍ଡ ମୌଲା ଜଟ୍ଟ' ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି। MNS କୌଣସି ପରିସ୍ଥିତିରେ ମହାରାଷ୍ଟ୍ରରେ ଏହି ସିନେମାକୁ ରିଲିଜ୍ ହେବାକୁ ଦେବ ନାହିଁ।" ଏଥିସହ ସେ ଭାରତରେ କାହିଁକି ପାକିସ୍ତାନ ଅଭିନେତାଙ୍କ ସିନେମାକୁ ରିଲିଜ୍ ହେବାକୁ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି। 

Advertisment

ସେ ଆହୁରି କହିଛନ୍ତ, "କଳାର କୌଣସି ସୀମା ନାହିଁ, ଯାହା ଅନ୍ୟ କ୍ଷେତ୍ରରେ ଶୋଭନୀୟ। କିନ୍ତୁ ପାକିସ୍ତାନୀ କଳାକାରଙ୍କ କ୍ଷେତ୍ରରେ ଏହା ଆଦୌ କାମ କରିବ ନାହିଁ। ସରକାର କେବଳ ମହାରାଷ୍ଟ୍ର ନୁହେଁ ଦେଶର ଅନ୍ୟ କୌଣସି ରାଜ୍ୟରେ ବି ପାକିସ୍ତାନ ସିନେମାକୁ ରିଲିଜ୍ ହେବାକୁ ଦିଅନ୍ତୁ ନାହିଁ।" 

ଯଦି ମହାରାଷ୍ଟ୍ରର କୌଣସି ବି ସିନେମା ହଲରେ ଏହି ସିନେମା ରିଲିଜ୍ ହୁଏ, ତେବେ ମାଲିକମାନଙ୍କୁ କଠୋର ପରିଣତିର ସାମ୍ନା କରିବାକୁ ପଡ଼ିବ। ଏପରି ଘଟଣା ପୂର୍ବରୁ ମଧ୍ୟ ଘଟି ସାରିଛି, ଯାହା ସମସ୍ତେ ମନେ ରଖିଥିବେ ନିଶ୍ଚୟ। ତେଣୁ ଥିଏଟର ମାଲିକମାନଙ୍କୁ ନମ୍ରତାର ସହ ଅନୁରୋଧ କରାଯାଉଛି ଯେ ପାକିସ୍ତାନ ସିନେମାକୁ ରିଲିଜ୍ କରନ୍ତୁ ନାହିଁ ବୋଲି ରାଜ ଠାକରେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି ସମୟରେ ନବରାତ୍ରି ପାଖେଇ ଆସୁଥିବ। ତେଣୁ ତାଙ୍କ ଦଳ କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ। 

ଫୱାଦ ଖାନ ଏବଂ ମହିରା ଖାନଙ୍କ ଅଭିନୀତ 'ଦି ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ' 2022ରେ ପାକିସ୍ତାନରେ ରିଲିଜ୍ ହୋଇଥିଲା। ସେତେବେଳେ ସିନେମା ଖୁବ୍ ହିଟ୍ ହୋଇଥିଲା। ​ ବିଶ୍ୱବ୍ୟାପୀ ବକ୍ସ ଅଫିସ୍ କଲେକ୍ସନ 400 କୋଟି ଟଙ୍କାରୁ ଅଧିକ ଥିଲା। ଏହି ସିନେମା 1979ର 'ମୌଲା ଜଟ୍ଟ'ର ରିମେକ୍ ସିନେମା।

ଭାରତରେ ଏହି ସିନେମାକୁ 'ଜିନ୍ଦେଗି'ର ସହଯୋଗରେ ଜି ଷ୍ଟୁଡିଓ ମୁକ୍ତିଲାଭ କରିବାକୁ ଯାଉଛି। 2011ରେ ଅତିଫ ଆସଲାମ ଏବଂ ହୁମାଇମା ମଲିକଙ୍କ ଅଭିନୀତ 'ବୋଲ' ପରେ ଏହା ପ୍ରଥମ ସିନେମା ଭାବେ ଭାରତରେ ରିଲିଜ୍ ହେବାକୁ ଯାଉଛି। ଗତ 13 ବର୍ଷ ମଧ୍ୟରେ ପାକିସ୍ତାନର କୌଣସି ସିନେମା ଭାରତରେ ରିଲିଜ୍ ହୋଇନଥିଲା।

2016ରେ ଜମ୍ମୁ କଶ୍ମୀରର ଉରିରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଥିଲା। ବର୍ତ୍ତମାନ ଭାରତରେ କୌଣସି ସିନେମା, ସିରିଏଲ କିମ୍ବା କଳା ଜଗତରେ କାମ କରିବାକୁ ବାରଣ କରାଯାଇଛି। ଗତବର୍ଷ ସୁପ୍ରିମକୋର୍ଟରେ ଏ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବାକୁ ଏକ ଆବେଦନ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ।  

Raj Thackeray Pakistan Film Fawad Khan