/odisha-reporter/media/media_files/2026/02/28/rashmita-2026-02-28-12-00-42.jpg)
ସରିଲା ବିବାହ। ହେଲେ ସରୁନି ସୁନା ଶାଢୀ ଚର୍ଚ୍ଚା। ଆମେ କହୁଛୁ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ କଥା। ଉଭୟଙ୍କର ଏହି ୱେଡିଂ ସେରିମନି କଷ୍ଟ୍ୟୁମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବଡ଼ କଥା ହେଉଛି, ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା ଛାଇ ଯାଇଥିଲେ ସୁନାରେ। କେବଳ ଯେ ସୁନାରେ ତିଆରି ପୁଳା ପୁଳା ଜୁଏଲାରୀ ପିନ୍ଧିଥିଲେ ତା’ ନୁହେଁ। ଶାଢୀରେ ଉପରେ ବି ସୁନାରେ ଏମ୍ରୋଡୋରୀ ହୋଇଥିବା କୁହାଯାଉଛି। କୁହାଯାଉଛି, ଉଭୟଙ୍କ ଏହି ସବୁ ସୁନାଗହଣା ପାଇଁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରଶ୍ମିକା ମନ୍ଦାନାଙ୍କ ଗହଣାର ମୂଲ୍ୟ ପ୍ରାୟ ୩ କୋଟି ହୋଇଥିବା ବେଳେ ବିଜୟ ପ୍ରାୟ ୨ କୋଟି ଟଙ୍କାର ସୁନା ଗହଣା ପିନ୍ଧିଥିଲେ।
ନାଲି ରଙ୍ଗର ସିଲ୍କ ଶାଢୀ ଉପରେ ସୁନାର ଏମ୍ରୋଡୋରୀ କାମ ହୋଇଥିବା ଶାଢୀ ପିନ୍ଧି ବେଶ୍ ଆକର୍ଷଣୀୟ ଦେଖାଯାଉଥିଲେ ସୁନ୍ଦରୀ ରଶ୍ମିକା। ତା’ ସାଙ୍ଗକୁ ପୁଣି ଟେମ୍ପଲ ଥିମ୍ ଜୁଏଲାରୀ। ଦେବଦମ୍ପତିଙ୍କ ଭଳି ଲାଗୁଥିଲେ ଉଭୟେ। ବିଜୟ ଗୋଲ୍ଡ ଜୁଏଲାରୀ ପିନ୍ଧିବା ସହ ସେରୱାନୀ ବଦଳରେ ପିନ୍ଧିଥିଲେ ଦେଶୀ ଷ୍ଟାଇଲ ପାରମ୍ପରିକ ପୋଷାକ। ଆଜିକାଲିର ବରବେଶଠୁ ତାଙ୍କ ପୋଷାକ ପରିଧାନ ଶୈଳୀ ଥିଲା ନିଆରା। ଏହାସହ ବିଜୟ ରାଜାରାଜୁଡ଼ା ସମୟର ଅଳଙ୍କାର ଭଳି ବହୁ ଗହଣା ପିନ୍ଧିଥିବା ଦେଖିବାକୁ ମିଳିଥିଲା।
କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହିସବୁ ଅଳଙ୍କାର ତିଆରି ପାଇଁ ପାଖାପାଖି ୧୦ ମାସ ସମୟ ଲାଗିଥିଲା। ତେବେ ଉଭୟଙ୍କ ବିବାହ ପୂରା ପାରମ୍ପରିକ ଢାଞ୍ଚାରେ ହୋଇଥିବାବେଳେ ଏଥିରେ ଆଧୁନିକତାର ବାସ୍ନା ନଥିଲା, ବରଂ ଥିଲା ପରମ୍ପରାର ଛୁଙ୍କ।
ଖୁବ୍ କମ୍ ସଂଖ୍ୟକ ଅତିଥିଙ୍କ ଗହଣରେ ରାଜସ୍ଥାନ ଉଦୟପୁରରେ ପଡ଼ିଥିଲା ରଶ୍ମିକା ଓ ବିଜୟଙ୍କ ହାତଗଣ୍ଠି। ଏହାପରେ ସୋସିଆଲ ମିଡିଆରେ ଉଭୟଙ୍କ ୱେଡିଂ ଫଟୋ ଭାଇରାଲ ହେଲା। ମନର ମଣିଷକୁ ସାତ ଜନ୍ମର ସାଥୀ ରୂପେ ପାଇବା ପରେ ରଶ୍ମିକାଙ୍କ ଆଖି ଲୁହରେ ଛଳଛଳ ହୋଇଯାଇଥିବା ଫଟୋ ଏବେ ବେଶ ଚର୍ଚ୍ଚାରେ। ଏହାପରେ ହେବାକୁ ଯାଉଥିବା ଗ୍ରାଣ୍ଡ ରିସେପ୍ସନ ପାର୍ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ କରିଛନ୍ତି ଏହି ନବଦମ୍ପତି। ନେତା, ମନ୍ତ୍ରୀ ସେଲିବ୍ରିଟିଙ୍କଠୁ ନେଇ ଫ୍ୟାନ୍ ସମସ୍ତେ ନବଦମ୍ପତିଙ୍କୁ ଜଣାଇଛନ୍ତି ଶୁଭେଚ୍ଛା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
