ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ସିଙ୍ଗର ନେହା କକ୍କର ଏବେ ନିଜ ରିଲେଶନ୍ସିପ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଖବର ଆସିଥିଲା ନେହାଙ୍କ ବୟପ୍ରେଣ୍ଡ୍ ଅଭିନେତା ହିମାଂଶ କୋହଲିଙ୍କ ସହ ବ୍ରେକ୍ଅପ୍ ହୋଇଯାଇଛି। ଏହି ଘଟଣା ପରେ ନେହା ଖୁବ୍ ଭାଙ୍ଗି ପଡ଼ିଛନ୍ତି ଓ ନିଜ ଦୁଃଖ ସୋଶାଲ ମିଡିଆ ଆକାଉଣ୍ଟ୍ରେ ଶେୟାର ମଧ୍ୟ କରିଛନ୍ତି।
ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ହିମାଂଶଙ୍କ ସହ ଥିବା ସବୁ ଫଟୋ ହଟାଇବା ପରେ ଇନ୍ଷ୍ଟାଗ୍ରାମର ଷ୍ଟାଟସ୍ରେ ନିଜ ଦୁଃଖ ବଖାଣିଥିଲେ। ଏହାସହ ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ବି ନିଜ ଦୁଃଖ ଲୁଚେଇ ପାରି ନଥିଲେ। ସେ ଜଣେ ପ୍ରତିଯୋଗୀଙ୍କର ଗୀତରେ କାନ୍ଦି ପକେଇ ଥିଲେ। ସେଟ୍ରେ ସବୁବେଳେ ହସ ହସ ମୁଡ୍ରେ ରହୁଥିବା ନେହାଙ୍କ ମୁହଁରୁ ବିଷାଦ ସ୍ପଷ୍ଟ ଜଣାପଡ଼ୁଥିଲା।
ତେବେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିବା ପରେ ସେମାନଙ୍କ ଫ୍ୟାନ୍ମାନଙ୍କୁ ବି ଏକ ବଡ଼ ଝଟକା ଲାଗିଛି। କାରଣ ଦୁହଁଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ଆଉ ଏବେ ସେମାନଙ୍କ ଆଲଗା ହେବାକୁ ଫ୍ୟାନ୍ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସମସ୍ତଙ୍କ ମନେ ସେମାନଙ୍କ ବ୍ରେକ୍ଅପ୍କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।
ରିପୋର୍ଟ ମୁତାବକ କିଛିଦିନ ପୂର୍ବରୁ ‘ସ୍ପଟବୟ ପୋର୍ଟାଲ୍’ ପକ୍ଷରୁ ହିମାଂଶଙ୍କ ସହ ବ୍ରେକ୍ଅପ୍କୁ ନେଇ ନେହାଙ୍କୁ ପଚରାଯିବାରୁ ସେ ତାଙ୍କୁ ଚିହ୍ନି ନଥିବା କହିଥିଲେ। ସେ କହିଥିଲେ,‘‘ହିମାଂଶ କିଏ ? ମୁଁ ଏହି ନାଁର କୌଣସି ବ୍ୟକ୍ତିଙ୍କୁ ଜାଣିନାହିଁ।’’