ସତ କହି ସବ୍ୟସାଚୀ ଓଲିଉଡ଼୍ ହିରୋ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବ୍ୟସାଚୀ ମିଶ୍ରଙ୍କୁ କୁହାଯାଏ ଓଲିଉଡ଼୍‌ର ଚକୋଲେଟ୍‌ ବୟ। ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଆଲବମ୍‌ରେ କାମ କରୁଥିଲେ। ୨୦୦୭ ମସିହାରେ ‘ପାଗଳ ପ୍ରେମୀ’ ଫିଲ୍ମ ମାଧ୍ୟମରେ ଓଲିଉଡ଼୍‌ରେ ଡେବ୍ୟୁ କରିଥିବା ସବ୍ୟ କେବଳ ଓଲିଉଡ୍‌ରେ ସୀମିତ ହୋଇ ରହି ନାହାନ୍ତି। କିଛି ତେଲୁଗୁ ସିନେମାରେ ମଧ୍ୟ ସେ କାମ କରିଛନ୍ତି। ତେବେ ପିଲାଦିନୁ ସବ୍ୟ କେବେ ଅଭିନେତା ହେବା କଥା ଚିନ୍ତା କରି ନଥିଲେ। ଗୋଟେ ଷ୍ଟେଜ୍‌ ଶୋ’ରେ ହୋଷ୍ଟିଂ କରୁଥିବା […]

1111

Biswobandita Swain
  • Published: Wednesday, 28 August 2019
  • , Updated: 28 August 2019, 04:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବ୍ୟସାଚୀ ମିଶ୍ରଙ୍କୁ କୁହାଯାଏ ଓଲିଉଡ଼୍‌ର ଚକୋଲେଟ୍‌ ବୟ। ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ସେ ଆଲବମ୍‌ରେ କାମ କରୁଥିଲେ। ୨୦୦୭ ମସିହାରେ ‘ପାଗଳ ପ୍ରେମୀ’ ଫିଲ୍ମ ମାଧ୍ୟମରେ ଓଲିଉଡ଼୍‌ରେ ଡେବ୍ୟୁ କରିଥିବା ସବ୍ୟ କେବଳ ଓଲିଉଡ୍‌ରେ ସୀମିତ ହୋଇ ରହି ନାହାନ୍ତି। କିଛି ତେଲୁଗୁ ସିନେମାରେ ମଧ୍ୟ ସେ କାମ କରିଛନ୍ତି। ତେବେ ପିଲାଦିନୁ ସବ୍ୟ କେବେ ଅଭିନେତା ହେବା କଥା ଚିନ୍ତା କରି ନଥିଲେ। ଗୋଟେ ଷ୍ଟେଜ୍‌ ଶୋ’ରେ ହୋଷ୍ଟିଂ କରୁଥିବା ସମୟରେ ତାଙ୍କୁ ଫିଲ୍ମ ଜଗତକୁ ଯିବାର ଉପଦେଶ ଦେଇଥିଲେ ସ୍ୱର୍ଗତ ହର ପଟ୍ଟନାୟକ। ଏଥିସହ ସବ୍ୟସାଚୀ ହର ପଟ୍ଟନାୟକଙ୍କୁ କହିଥିବା ଗୋଟିଏ ସତ ଆଜି ସବ୍ୟଙ୍କୁ ସଫଳତାର ଶୀର୍ଷକୁ ନେଇ ଯାଇଛି ବୋଲି ମଧ୍ୟ କୁହାଯାଏ। ଆସନ୍ତୁ ଆଜି ସେହି ସତଟି କ’ଣ ଜାଣିବା।

ଇଂଜିନିୟରିଂ ପଢ଼ା ସରିଥିଲା। ସବ୍ୟସାଚୀ ଆଲ୍‌ବମ୍‌ରେ କାମ କରୁଥିଲେ। ସେ ସମୟରେ ସବ୍ୟଙ୍କ ଆଲ୍‌ବମ୍‌କୁ ଲୋକମାନେ ବେଶ୍‌ ପସନ୍ଦ କରୁଥିଲେ। ଦିନେ ତାଙ୍କୁ ଗୋଟେ ପ୍ରୋଗ୍ରାମ୍ ହୋଷ୍ଟ କରିବା ପାଇଁ କୁହାଯାଇଥିଲା। ସେଠାରେ ପ୍ରୋଗ୍ରାମ୍ ହୋଷ୍ଟ୍ କରୁଥିବା ସମୟରେ ହର ପଟ୍ଟନାୟକ ତାଙ୍କୁ ଦେଖିଥିଲେ। ତାଙ୍କ କଥାବାର୍ତ୍ତା ଶୈଳୀ ଏବଂ ନାଚ ହର ପଟ୍ଟନାୟକଙ୍କୁ ଖୁବ୍‌ ଭଲ ଲାଗିଥିଲା। ପ୍ରୋଗ୍ରାମ୍ ସରିବା ପରେ ସେ ସବ୍ୟଙ୍କୁ କିଛି ଫଟୋ ଉଠାଇ ତାଙ୍କ ପାଖକୁ ପଠାଇବାକୁ କହିଥିଲେ। ତା’ପରେ ସବ୍ୟ ହର ପଟ୍ଟନାୟକଙ୍କୁ କିଛି ଫଟୋ ଉଠାଇ ପଠାଇଥିଲେ। ହର ପଟ୍ଟନାୟକଙ୍କୁ ସବ୍ୟଙ୍କ ଫଟୋ ଭଲ ଲାଗିଥିଲା। ତା’ପରେ ହର ପଟ୍ଟନାୟକ ସବ୍ୟଙ୍କୁ ବଡି ମେଜରମେଣ୍ଟ (ହାଇଟ୍‌ କେତେ, ଚେଷ୍ଟ ସାଇଜ୍‌ କେତେ, ବାଇସେପ୍‌ କେତେ)ର ଗୋଟେ ଚାର୍ଟ କରି ପଠେଇବାକୁ କହିଥିଲେ। ହର ପଟ୍ଟନାୟକ ଏହି ମେଜରମେଣ୍ଟ ଚାଟ୍‌କୁ ପ୍ରସାଦ ପ୍ରଡକ୍ସନ୍ସର ମାଲିକ ରମେଶ ପ୍ରସାଦଙ୍କୁ ପଠାଇବାକୁ ଚାହୁଁଥିଲେ। ରମେଶ ପ୍ରସାଦ ସେତେବେଳେ ଜଣେ ଅଭିନେତା ଖୋଜୁଥିଲେ।

ସବ୍ୟସାଚୀଙ୍କ ବାୟୋଡାଟା ସହ ରମେଶ ପ୍ରସାଦଙ୍କ ପାଖକୁ ଆଉ ଅନ୍ୟ ୧୦ ଜଣଙ୍କ ବାୟୋଡାଟାକୁ ମଧ୍ୟ ପଠାଯାଇଥା’ନ୍ତା। ସେଥିରୁ ସେ ଯାହାକୁ ପସନ୍ଦ କରିଥାନ୍ତେ ତାଙ୍କୁ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ଲିଡ୍‌ ରୋଲ୍‌ରେ ନେଇଥା’ନ୍ତେ।

ସବ୍ୟସାଚୀଙ୍କ କହିବା ଅନୁଯାୟୀ, ହର ପଟ୍ଟନାୟକଙ୍କୁ ଫଟୋ ପସନ୍ଦ ଆସିଛି ଶୁଣିବା ପରେ ସେ ତୁରନ୍ତ ତାଙ୍କ ମେଜରମେଣ୍ଟର ଚାର୍ଟ ତାଙ୍କ ପାଖକୁ ପଠାଇଦେଲେ। ମେଜରମେଣ୍ଟ ଚାର୍ଟକୁ ସେ ଅନୁମାନରେ ଲେଖିକି ପଠାଇ ଦେଇଥିଲେ। ହର ପଟ୍ଟନାୟକଙ୍କୁ ଚାର୍ଟ ପଠାଇବା ପରେ ସବ୍ୟଙ୍କୁ ଲାଗିଲା କାଳେ କିଛି ଭୁଲ୍‌ ପଳେଇଥିବ। ତେଣୁ ସେ ଆଉ ଥରେ ତାଙ୍କ ବଡିକୁ ମାପିଲେ ଆଉ ଦେଖିଲେ ସେ ତାଙ୍କର ବାଇସେପ୍‌ର ମାପ ଯେତିକି ଲେଖିଛନ୍ତି ତାହା ଭୁଲ୍‌ ଅଛି। ମାପିବା ପରେ ତାଙ୍କର ବାଇସେପ୍‌ ତା’ଠୁ ୧୫ ଇଞ୍ଚ କମ୍‌ ଦେଖେଇଲା।

ଏହାପରେ ସେ ହର ପଟ୍ଟନାୟକଙ୍କୁ ଫୋନ୍‌ କରି ତାଙ୍କ ବାଇସେପ୍‌ ମାପ ଭୁଲ୍‌ ଅଛି ବୋଲି କହିଥିଲେ। ଶେଷରେ ସବ୍ୟଙ୍କୁ ହିରୋ ଭାବେ ନେବା ପାଇଁ ରମେଶ ପ୍ରସାଦ ବାଛିଥିଲେ। ତା’ପରେ ହର ପଟ୍ଟନାୟକ କହିଥିଲେ ଯେ ଯେଉଁ ଦିନ ସବ୍ୟ ତାଙ୍କୁ ମେଜରମେଣ୍ଟ ଚାର୍ଟ ନେଇ ସତ କହିଥିଲେ, ସେଦିନ ହିଁ ତାକୁ ହିରୋ କରିବେ ବୋଲି ମନସ୍ତ କରିଥିଲେ।

Related story