Advertisment

ବଢ଼ିଲା ଓଲିଉଡ୍‌ କଳି: ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ

ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍‌ ହେଉନଥିଲା। ତଥାପି ସ୍ପେନ୍‌ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା।

Odia Film

Odia Film

Advertisment

ପୁଣି ଥରେ ବିବାଦରେ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର। ତାଙ୍କ ତୁଣ୍ଡ ପାଇଁ ଆଜି ସେ ବିବାଦରେ। ତାଙ୍କ ନାଁରେ କଟକ ସାଇବର ଥାନାରେ ଏଫ୍‌ଆଇଆର୍‌ ହୋଇଛି। ଏଫ୍‌ଆଇଆର୍‌ ପରେ ଆଜି ମନୋଜ ମିଶ୍ର ଚିହିଁକି ଉଠିଛନ୍ତି। ଆଉ ସାମ୍ୱାଦିକ ସମ୍ମିଳନୀ କରି ସବୁ ନିର୍ଦ୍ଦେଶକଙ୍କ ନାଁ ନେଇ ବର୍ଷିଛନ୍ତି। ଆଗକୁ ଖରାପ ଫିଲ୍ମ ବିରୋଧରେ କହିବି ବୋଲି ଚେନାବନୀ ଦେଇଛନ୍ତି। ମନୋଜ ମିଶ୍ରଙ୍କ ଆରୋପ ଜବାବ ଦେଇଛନ୍ତି ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ର ଓ ତାପସ ସରଘରିଆ।

Advertisment

ମଙ୍ଗଳବାର ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ୪୦ ଜଣ ନିର୍ଦ୍ଦେଶକ ସାଇବର ଥାନାରେ ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବାର ପ୍ରାୟ ୨୪ ଘଣ୍ଟା ପରେ ଆଜି ସାମ୍ନାକୁ ଆସିଛନ୍ତି ମନୋଜ ମିଶ୍ର। ସାମ୍ୱାଦିକ ସମ୍ମିଳନୀ କରି ଓଲିଉଡ୍‌ର ନିର୍ଦ୍ଦେଶକଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ସିନେମା ମୋ ବୋପାର ନୁହେଁ। ଏହା ଆମ ଓଡ଼ିଶାର। ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ। ଆଗକୁ ଖରାପ ସିନେମା ହେଲେ ବିରୋଧରେ କରିବି। ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ। ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି। ଆଗାମୀ ପିଢ଼ି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ କହିବି। ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ମନୋଜ ମିଶ୍ର।

ମନୋଜ ମିଶ୍ରଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସେ କହିଛନ୍ତି, ସିଏ କ’ଣ ପାଇଁ କହୁଛନ୍ତି ଓ ଲେଖୁଛନ୍ତି ମୁଁ ଜାଣିନି। ଆଜକୁ ୬ ମାସ ତଳେ ସେ ମୋ ବିରୋଧରେ ବହୁତ ଲେଖିଲେ ଓ ତାଙ୍କ ଚ୍ୟାନେଲ୍‌ରେ ବହୁତ କହିଥିଲେ। ମୁଁ ସେଥିପ୍ରତି ବିଶେଷ ଧ୍ୟାନ ଦେଲିନାହିଁ। ଭାବିଲି ପିଲାଳିଆମି ଯାଇନି, ତେଣୁ ସେ ଏମିତି କରୁଛନ୍ତି। ଦେଖିଲି ସେ ଧୀରେ ଧୀରେ ଅନ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ କହିବାରେ ଲାଗିଲେ। ଏ ନେଇ ନିର୍ଦ୍ଦେଶକ ସଂଘରେ ଆଲୋଚନା ହେଲା। ତା’ପରେ ଆମେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲୁ ବୋଲି ସବ୍ୟସାଚୀ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି। ତେବେ ସେହି ସମାଲୋଚନା ଯୁକ୍ତି ସମ୍ପନ୍ନ ହେବା ଉଚିତ। ଏହାଛଡ଼ା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେପରି କିଛି କ୍ଷତି ନହେବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। କୋଭିଡ୍‌ ପରେ ଭଲ ଭଲ ଫିଲ୍ମ ଆସିଛି। ରିମେକର କଳଙ୍କ ଉଠି ଯାଇଛି। ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ଏବେ ଫିଲ୍ମ ତିଆରି ହେଉଛି। ଏପରି ସମୟରେ ଯିଏ ଯେଉଁଠି ରହିଛି, ଆମେ ପରସ୍ପରକୁ ସମର୍ଥନ ଦେବା କଥା। ଏହା ହେଉଛି ଆମର ପ୍ରକୃତ ଉଦ୍ଦେଶ୍ୟ। ହେଲେ ମନୋଜ ମିଶ୍ର ଯେଉଁଭଳି ଏପଟ ସେପଟ ବକ୍ତବ୍ୟ ଦେଉଛନ୍ତି, ତାହା ବନ୍ଦ କରନ୍ତୁ ବୋଲି ସବ୍ୟସାଚୀ ମହାପାତ୍ର କହିଛନ୍ତି।

ଫିଲ୍ମ ‘ଭୂଖା’କୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟରେ ସେ କହିଛନ୍ତି, ଭୂଖା ଫିଲ୍ମ ସେତେବେଳେ ଚହଳ ପକାଇଥିଲା। ବର୍ତ୍ତମାନ ସମୟ ପରି ସେତେବେଳେ ବେଶୀ ଫିଲ୍ମ ଫେଷ୍ଟିଭାଲ୍‌ ହେଉନଥିଲା। ତଥାପି ସ୍ପେନ୍‌ ଓ ଫ୍ରାନ୍ସରେ ପୁରସ୍କୃତ ହୋଇଥିଲା। ଜଣେ ଯଦି କହିବ ସେହି ଫିଲ୍ମର ମାନ ଭଲ ନଥିଲା, ତାହାହେଲେ କ’ଣ କରିବା? ବର୍ତ୍ତମାନ ଭଲ ଭଲ ଫିଲ୍ମ ତିଆରି ପାଇଁ ପ୍ରଚେଷ୍ଟା ଚାଲିଛି। ଏହା ପରେ ଯଦି ସବୁ ନିର୍ଦ୍ଦେଶକମାନେ ଭଲ ଫିଲ୍ମ ତିଆରି କରୁନାହାନ୍ତି କହିବା ଭଲ କଥା ନୁହେଁ। ମୁଁ ବୁଝି ପାରୁନାହିଁ ସେ କାହିଁକି ଏମିତି କରୁଛନ୍ତି? ଆମେ ଚାହୁଁଛୁ ତାଙ୍କର ଉନ୍ନତି ଘଟୁ। ସେ ଭଲ ଅଭିନୟ କରନ୍ତୁ। ତାଙ୍କର ବିଷୟରେ ମତାମତ ଦେବାକୁ ମୋର ଆଗ୍ରହ ନାହିଁ। ସେ ସମସ୍ତଙ୍କ ନଜରରେ ରହିବା ପାଇଁ ଚାହୁଁଛନ୍ତି। ତେଣୁ ସେ ଏମିତି କହିଥାଇପାରନ୍ତି ବୋଲି ସବ୍ୟସାଚୀ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି, ୪୫ ବର୍ଷ ହେଲା ଆମେ ସଂଗର୍ଷ କରିଆସିଛୁ। ଯେତେବେଳେ ଓଡ଼ିଶାରେ ଗୋଟିଏ ଦୁଇନି ଫିଲ୍ମ ତିଆରି ହେଉଥିଲା, ସେତେବେଳେ ଆମେ ସବୁ କିଛି ଛାଡ଼ି ଏହାକୁ ବୃତ୍ତି ଭାବେ ଗ୍ରହଣ କରିଛୁ। ଏହି ଇଣ୍ଡଷ୍ଟ୍ରିରୁ ବହୁତ କିଛି ଶିଖିଛୁ। ମୋତେ ବା ଆଉ କାହାକୁ ମନୋଜ ମିଶ୍ର ସାର୍ଟିଫିକେଟ୍‌ ଦେବାର ଆବଶ୍ୟକତା ନାହିଁ। ଈଶ୍ୱରଙ୍କ ଦୟାରୁ ମୋ ଫିଲ୍ମକୁ ୫ଟି ଜାତୀୟ ପୁରସ୍କାର ମିଳିଛି। ୪୦ଟି ଆନ୍ତର୍ଜାତୀୟ ପୁରସ୍କାର ମିଳିଛି। ଯଦି କିଛି କ୍ୱାଲିଟି ନଥିଲା, ତାହାହେଲେ ଆନ୍ତର୍ଜାତୀୟ ଜୁରୀ ଚୟନ କରିନଥାଆନ୍ତେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେପଟେ ନିର୍ଦ୍ଦେଶକ ତାପସ ସରଘରିଆ କହିଛନ୍ତି, କଥା ନୁହେଁ କାମରେ କରି ଦେଖାନ୍ତୁ। ମନୋଜ ଜଣେ ଭଲ ଅଭିନେତା, ଅଭିନୟ କରନ୍ତୁ। ସେ ବାଛିଥିବା ବାଟ ଠିକ୍‌ ନୁହେଁ। ଏହାଦ୍ୱାରା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି। ଆକ୍ଷେପରେ ସମାଧାନ ହେବନି। ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି। ବର୍ତ୍ତମାନ ବହୁତ ଭଲ ଫିଲ୍ମ ହେଉଛି। ଟଙ୍କା ଅନୁସାରେ କାମ ହେଉଛି। ଇଣ୍ଡଷ୍ଟ୍ରିର ଗୋଟେ ବଜେଟ୍ ଅଛି, ସେହି ଅନୁସାରେ କାମ ହେଉଛି। ତେଣୁ ଆକ୍ଷେପ ନ କରି ଭଲ ଫିଲ୍ମ କରନ୍ତୁ, ଇଣ୍ଡଷ୍ଟ୍ରିକୁ ଆଗକୁ ନିଅନ୍ତୁ ବୋଲି ତାପସ ସରଘରିଆ କହିଛନ୍ତି।

Entertainment Manoj Mishra Odia Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe