Advertisment

ରିଲିଜ ହେଲା ସଲମାନ ଖାନଙ୍କ 'ସିକନ୍ଦର'ର ଟିଜର, ଦେଖନ୍ତୁ ଭିଡିଓ

ମାର୍ଚ୍ଚ ୨୦୨୫ ଇଦ୍ ଅବସରରେ ବକ୍ସ ଅଫିସରେ କମାଲ କରିବାକୁ ଆସୁଛନ୍ତି ବଲିଉଡର ଭାଇଜାନ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡି ପରଦାରେ ଦେଖିବାକୁ ମିଳିବ।

author-image
Debadatta Aryashrestha
Sikandar Movie Poster

Sikandar Movie Poster

ରିଲିଜ ହୋଇଛି ସଲମାନ ଖାନଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର'ର ଟିଜର। ୨୦୨୫ ଇଦରେ ବକ୍ସ ଅଫିସରେ କମାଲ କରିବାକୁ ଆସୁଛନ୍ତି ବଲିଉଡର ଭାଇଜାନ। ଚଳିତ ବର୍ଷ ସଲମାନ ଖାନ କୌଣସି ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ ନଜର ଆସିନାହାଁନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକ ତାଙ୍କ ଚଳଚ୍ଚିତ୍ର ସିକନ୍ଦର ରିଲିଜକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ 'ସିକନ୍ଦର'ର ଟିଜର ଆଜି ୨୮ ଡିସେମ୍ବରରେ ମୁକ୍ତିଲାଭ କରିଛି।

Advertisment

ପୂର୍ବରୁ ୨୭ ଡିସେମ୍ବରରେ ସଲମାନ ଖାନଙ୍କ ଜନ୍ମଦିନରେ 'ସିକନ୍ଦର'ର ଟିଜର ମୁକ୍ତିଲାଭ କରିବା ପାଇଁ ନିର୍ଦ୍ଧାରିତ ହୋଇଥିଲା। ହେଲେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ 'ସିକନ୍ଦର' ଟିଜରର ସମୟ ଆଜି ସକାଳ ୧୧.୦୭ରୁ ଅପରାହ୍ନ ୪.୦୫ ପର୍ଯ୍ୟନ୍ତ ପୁନଃନିର୍ଦ୍ଧାରିତ ହୋଇଥିଲା, ଯାହା ମୁକ୍ତିଲାଭ କରିବା ପରେ ଖୁବ ପ୍ରଶଂସା ସାଉଁଟୁଛି।

Advertisment

ମାତ୍ର ୧.୪୧ ମିନିଟର ଟିଜରରେ ସଲମାନ ଖାନଙ୍କ ଏଣ୍ଟ୍ରି ତାଙ୍କ ଶତ୍ରୁମାନଙ୍କ ମଧ୍ୟରୁ ହେଉଛି। ଯେତେବେଳେ ଏକାସାଙ୍ଗରେ ଏହି ଗୁଣ୍ଡାମାନେ ଗୋଟିଏ ପରେ ଗୋଟିଏ ବନ୍ଧୁକ ଉଠାଇ ଭାଇଜାନଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୁଅନ୍ତି, ସେତେବେଳେ ସଲମାନ ଏକ ଦମଦାର ଡାଏଲଗ୍ ସହ ଗୁଣ୍ଡାମାନଙ୍କ ବନ୍ଧୁକରେ ହିଁ ସେମାନଙ୍କୁ ମାରିବା ଆରମ୍ଭ କରୁଛନ୍ତି।

ସେପଟେ ସଲମାନ ଖାନ ଫିଲ୍ମ ସିକନ୍ଦରରୁ ତାଙ୍କର ପ୍ରଥମ ଲୁକ୍ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଏଥି ସହିତ ସଲମାନ ତାଙ୍କ ସଂଳାପ ମାଧ୍ୟମରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କୁ କିଛି ସଂକେତ ଦେଇଛନ୍ତି ବୋଲି ସୋଶାଲ ମିଡିଆରେ ଚର୍ଚ୍ଚା ଆରମ୍ଭ କଲେଣି ପ୍ରଶଂସକ। ପ୍ରକାଶ ଥାଉ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଲମାନ ଖାନଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଛି, ଏପରିକି ଅଭିନେତାଙ୍କ ଘର ଉପରେ ଥରେ ଆକ୍ରମଣ ମଧ୍ୟ କରିଛି ଏହି ଗ୍ୟାଙ୍ଗ।

ଉଲ୍ଲେଖ ଯୋଗ୍ୟ, ସିକନ୍ଦରର ନିର୍ଦ୍ଦେଶକ ହେଉଛନ୍ତି ଏଆର୍ ମୁରୁଗଦାସ୍, ଯିଏକି ଅମିର ଖାନଙ୍କ ସୁପରହିଟ୍ ଚଳଚ୍ଚିତ୍ର 'ଗଜନି'ର ନିର୍ଦ୍ଦେଶନା ଦେଇଥିଲେ। ବର୍ତ୍ତମାନ ଏହି ସାଉଥ୍ ନିର୍ଦ୍ଦେଶକ ସଲମାନ ଖାନଙ୍କ ସହ ପ୍ରଥମ ଥର ପାଇଁ ଏକ ମେଗା ମାସ ଆକ୍ସନ୍ ଫିଲ୍ମ ସହିତ ଆସୁଛନ୍ତି। ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ସହ ରଶ୍ମିକା ମନ୍ଦାନା ଏବଂ କାଜଲ ଅଗ୍ରୱାଲଙ୍କ ଭଳି ସାଉଥ୍ ସିନେ ଜଗତର ଅଭିନେତ୍ରୀ ନଜର ଆସିବେ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡି ପରଦାରେ ଦେଖିବାକୁ ମିଳିବ। ମାର୍ଚ୍ଚ ୨୦୨୫ରେ ଇଦ୍ ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

Salman Khan Sikandar New Hindi Movie Sikandar Teaser Out