Advertisment

ଓଲିଉଡ ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ; ଅନ୍ତରଙ୍ଗ ଭିଡିଓ ଭାଇରାଲ କରୁଛନ୍ତି ପୁରୁଷ ବନ୍ଧୁ

ପୁରୁଷ ବନ୍ଧୁଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ କରୁଥିବା ଅଭିଯୋଗ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
video Viral

video Viral

ଓଲିଉଡ ପିଛା ଛାଡ଼ୁନି ବିବାଦ । କିଛି ଦିନ ତଳେ ପ୍ରୟୋଜକ ଟୁଟୁ ନାୟକଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଆଣିଛନ୍ତି ସମାନ ଅଭିଯୋଗ ।

Advertisment

ପୁରୁଷ ବନ୍ଧୁଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ କରୁଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ସମାଜରେ ସମ୍ମାନହାନୀ ହେଉଥିବା ନେଇ ଅଭିନେତ୍ରୀଜଣକ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପର୍କ ଭଲ ଥିବାବେଳେ ହୋଇଥିବା ଭିଡ଼ିଓକୁ ଏବେ ପୁରୁଷବନ୍ଧୁ ଆକ୍ରୋଶମୂଳକ ଭାବରେ ଛାଡୁଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କ ନାଁରେ ଠକେଇ, ନିର୍ଯାତନା, ଭିଡିଓ ଭାଇରାଲ କରୁଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ।

ନାୟିକାଙ୍କ ଓକିଲ ସୌମ୍ୟଜିତ ବିଶ୍ୱାଳଙ୍କ କହିବାନୁଯାୟୀ, ଅଭିନେତ୍ରୀଜଣକ ଏକ ବିଜ୍ଞାପନରେ କାମ କରିବା ବେଳେ ସମ୍ପୃକ୍ତ ନିର୍ଦ୍ଦେଶକ, ପ୍ରୟୋଜକଙ୍କ ସହ ତାଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଉଭୟଙ୍କ ସମ୍ପର୍କ କ୍ରମଶଃ ଘନିଷ୍ଠ ହେବାକୁ ଲାଗିଲା। ଅଭିନେତ୍ରୀଜଣକ ଓଲିଉଡର ଆଗଧାଡ଼ିର ଅଭିନେତ୍ରୀ ହୋଇଥିବାରୁ ତାଙ୍କ ହାତରେ ବହୁ ପ୍ରୋଜେକ୍ଟ ଥିଲା। ମାତ୍ର ଅନ୍ୟ ପ୍ରୋଜେକ୍ଟରେ କାମ ନ କରିବାକୁ ନିର୍ଦ୍ଦେଶକଜଣକ ତାଙ୍କୁ ବାଧ୍ୟ କରିବା ସହ ଧମକ ଦେଉଥିଲେ। ଏପରିକି କାମ କଲେ ସେଥିରେ ତାଙ୍କୁ ନିର୍ଦ୍ଦେଶକ ଭାବେ ନେବାକୁ ଚାପ ପକାଇବାକୁ କହିଲେ। ଅଭିନେତ୍ରୀଙ୍କ ଭାବମୂର୍ତ୍ତିକୁ ବ୍ୟବହାର କରି ଅର୍ଥ ରୋଜଗାର କରିବାକୁ ଚେଷ୍ଟା କରୁଥିଲେ।

Advertisment

ମାତ୍ର ଅଭିନେତ୍ରୀଜଣକ ତାଙ୍କ କଥାରେ ଅରାଜି ହେବାରୁ ସେ ତାଙ୍କ ନିକଟକୁ ଫେକ୍‌ ନୋଟିସ୍‌ ପଠାଇବା ସହ ତାଙ୍କ ମା’ଙ୍କୁ ଓ ଭାଇଙ୍କୁ ଫୋନ୍ କରି ଧମକ ଦେଉଥିଲେ। ଏପରିକି ଅନ୍ତରଙ୍ଗ ଫଟୋ ଭାଇରାଲ କରୁଥିଲେ। ୨ ବର୍ଷ କାଳ ନିର୍ଦ୍ଦେଶକଜଣକ ଅଭିନେତ୍ରୀଙ୍କୁ ଏପରି ମାନସିକ ନିର୍ଯାତନା ଦେଇ ଚାଲୁଥିବା ବେଳେ କ୍ୟାରିଅର ବରବାଦ ହେବା ଆଶଙ୍କାରେ ଅଭିନେତ୍ରୀଜଣକ ଏହାକୁ ଚୁପଚାପ ସହି ଚାଲିଥିଲେ। ମାତ୍ର ନିର୍ଯାତନା ସୀମା ଟପିବା ପରେ ଅଭିନେତ୍ରୀଜଣକ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ତାଙ୍କ ଓକିଲ ।

ପ୍ରାୟ ୩,୪ ମାସ ତଳେ ପୁଲିସ୍‌ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ନିର୍ଦ୍ଦେଶକଜଣକ ପୁନର୍ବାର ଏପରି କାମ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରେ ସେ ପୁଣିଥରେ ପୂର୍ବପରି ଅଭିନେତ୍ରୀଙ୍କୁ ହଇରାଣ କରିବାକୁ ଲାଗିଲେ। ଅଭିନେତ୍ରୀଜଣକ କାମ କରୁଥିବା ପ୍ରୋଜେକ୍ଟରୁ ତାଙ୍କୁ ବିଦା କରିଦେଲେ। ଏପରିକି ତାଙ୍କ ନିକଟରୁ ପ୍ରାୟ ୮୦ ହଜାର ଟଙ୍କା ନେଇଥିବା ବେଳେ ପୁଲିସ୍‌ ଧମକ ଶୁଣି କିଛି ଟଙ୍କା ଫେରାଇଛନ୍ତି।

ଏହାସତ୍ତ୍ୱେ ନିର୍ଦ୍ଦେଶକଜଣକ ନିଜ ପୁରୁଣା କାମରୁ କ୍ଷାନ୍ତ ନ ହେବାରୁ ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ଅଭିନେତ୍ରୀ ଗତ ୭ ଦିନ ତଳେ ନ୍ୟାୟ ପାଇଁ ଏସଡିଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଚାରପତି ସମସ୍ତ କଲ୍‌ ରେକର୍ଡ ଓ ଭିଡିଓ ଦେଖିବା ପରେ ଆସନ୍ତା ୭ ଦିନ ଭିତରେ ମାମଲା ରୁଜୁ କରିବାକୁ ପୁଲିସ୍‌କୁ କହିଛନ୍ତି। ପୁଲିସ୍‌ ୩ ଦିନ ତଳେ ଏଫଆଇଆର ରୁଜୁ କରି ସମ୍ପୃକ୍ତ ନିର୍ଦ୍ଦେଶକଙ୍କୁ ଖୋଜୁଛି।

Video Viral Ollywood;