ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏକ ବୋମା ପରି। କେତେବେଳେ ଫାଟିଯିବ କିଏ କହିବ? ଅର୍ଥାତ୍ ପୂର୍ବରୁ କିଛି ଶୁଣିବାକୁ ମିଳେନି ଓ ହଠାତ୍ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଯାଏ।” ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଏମିତି ପ୍ରତିକ୍ରିୟା ଦେଇଥିଲେ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ।
୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଅନ୍ତରା କହିଥିଲେ, “ମୋ ପାଖକୁ ଯେତେବେଳେ ଖବର ଆସିଲା ଯେ ମୁଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯାଉଛି, ମୁଁ ପ୍ରଥମେ ପଚାରିଥିଲି କେଉଁ ଗୀତ ପାଇଁ। ସେମାନେ କହିଥିଲେ-‘ସାଥି ତୁ ଫେରିଆ’ ଗୀତ ପାଇଁ। ଏହା ଶୁଣି ମୋତେ ବହୁତ ଭଲ ଲାଗିଲା। କାରଣ ମୋର ଟପ୍-୫ ପସନ୍ଦର ଗୀତ ମଧ୍ୟରୁ ‘ସାଥି ତୁ ଫେରିଆ’ ଗୋଟିଏ। ଏହି ଗୀତଟିକୁ ଶଶାଙ୍କ ଓ ମୁଁ ମିଶିକି ଗାଇଛୁ। ପ୍ରେମ ଆନନ୍ଦ ସାର୍ ପ୍ରଥମେ ମୋତେ ଏହି ଗୀତର କମ୍ପୋଜିସନ୍ ଶୁଣାଇଥିଲେ। କମ୍ପୋଜିସନ୍ ଶୁଣିବା ପରେ ମୁଁ ନିଜକୁ ବହୁତ ଭାଗ୍ୟବାନ୍ ବୋଲି ଭାବିଥିଲି। କାରଣ ମୋତେ ଏଭଳି ଏକ ସୁନ୍ଦର ଗୀତ ଗାଇବାର ସୁଯୋଗ ମିଳିଥିଲା।”
ସୂଚନାଯୋଗ୍ୟ, ଡିସେମ୍ବର ୧୦ ତାରିଖ ଦିନ ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯିବ।ସେହିଭଳି ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ଅର୍ଚ୍ଚିତାଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଏ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ ଶ୍ରେଷ୍ଠ କାହାଣୀ ଓ ସଂଳାପ ପାଇଁ ଡି. ନିରଞ୍ଜନ ରେଡ୍ଡୀ ଏହି ପୁରସ୍କାର ପାଇବେ। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଶାନ୍ତିରାଜ୍ ଖୋସ୍ଲା, ଶ୍ରେଷ୍ଠ ଗୀତିକାର ଭାବେ ବସନ୍ତରାଜ ସାମଲ ଓ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କରୁଣାକର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ପ୍ରଦାନ କରାଯିବ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ।