ହାର୍‌ ମାନି ନାହାନ୍ତି ଦିବସ

ନୂଆଦିଲ୍ଲୀ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌’ର ଚଳିତ ସିଜିନ୍‌ର ଅଡିସନ୍ ଆରମ୍ଭ ହେବା ପର୍ଯ୍ୟନ୍ତ ଦିବସ କୁମାରଙ୍କୁ କେହି ଜାଣି ନଥିଲେ। କିନ୍ତୁ ଏବେ ତାଙ୍କୁ ସାରା ଦେଶ ଜାଣିସାରିଛି। ସଚିନ୍ ତେନ୍ଦୁଲକରଙ୍କ ଭଳି ବ୍ୟକ୍ତିତ୍ୱ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଏମିତିକି ତାଙ୍କ ନିଜ ଜିଲ୍ଲା ରାମଗଡ଼ରେ ସେ ଜଣେ ହିରୋ ପାଲଟି ଯାଇଛନ୍ତି। ଏ ସବୁ ସମ୍ଭବ ହୋଇପାରିଛି ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଯୋଗୁ। ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ […]

mm

Biswobandita Swain
  • Published: Friday, 08 November 2019
  • , Updated: 08 November 2019, 03:03 PM IST

ନୂଆଦିଲ୍ଲୀ: ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌’ର ଚଳିତ ସିଜିନ୍‌ର ଅଡିସନ୍ ଆରମ୍ଭ ହେବା ପର୍ଯ୍ୟନ୍ତ ଦିବସ କୁମାରଙ୍କୁ କେହି ଜାଣି ନଥିଲେ। କିନ୍ତୁ ଏବେ ତାଙ୍କୁ ସାରା ଦେଶ ଜାଣିସାରିଛି। ସଚିନ୍ ତେନ୍ଦୁଲକରଙ୍କ ଭଳି ବ୍ୟକ୍ତିତ୍ୱ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ଏମିତିକି ତାଙ୍କ ନିଜ ଜିଲ୍ଲା ରାମଗଡ଼ରେ ସେ ଜଣେ ହିରୋ ପାଲଟି ଯାଇଛନ୍ତି। ଏ ସବୁ ସମ୍ଭବ ହୋଇପାରିଛି ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଯୋଗୁ। ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ତାଙ୍କ ଜୀବନର ଲକ୍ଷ୍ୟକୁ ପାସୋରି ନଥିଲେ। ଜଣେ ପ୍ରସିଦ୍ଧ ଗାୟକ ହେବାକୁ ସେ ସ୍ୱପ୍ନ ଦେଖୁଥିବା ବେଳେ ଏ ଦିଗରେ ‘ଇଣ୍ଡିଆ ଆଇଡଲ୍‌’ ହୋଇଛି ତାଙ୍କର ପ୍ରଥମ ସୋପାନ, ଯେଉଁଠି ସେ ନିଜ ଦକ୍ଷତାକୁ ସାରା ଦେଶକୁ ଦେଖାଇ ପାରିଛନ୍ତି। ତେବେ ତାଙ୍କୁ ଆହୁରି କଷ୍ଟ କରିବାକୁ ପଡ଼ିବ। ଯଦିଓ ସେ ‘ଇଣ୍ଡିଆନ୍ ଆଇଡଲ୍‌’ରୁ ବାହାର ହୋଇଯାଇଛନ୍ତି, ତଥାପି ଏହା ତାଙ୍କୁ ନିରୁତ୍ସାହି କରିପାରି ନାହିଁ। ଓଲଟି ଏହା ତାଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। କାରଣ ଏ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ଯେଉଁ ଆତ୍ମବିଶ୍ୱାସ ଜୁଟାଇ ଥିଲେ, ତାହା ଏବେ ତାଙ୍କୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ସେ ଆଶା ରଖିଛନ୍ତି।

୨୨ ବର୍ଷୀୟ ଦିବସ ଝାଡ଼ଖଣ୍ଡର ଡୁଲ୍‌ମା ଗାଁର ବାସିନ୍ଦା। ୫ ବର୍ଷ ତଳେ ସେ ଗାଁ ଛାଡ଼ି ମୁମ୍ବାଇ ପଳାଇ ଆସିଥିଲେ ନିଜ ସ୍ୱପ୍ନ ପୂରଣ କରିବାକୁ। ମୁମ୍ବାଇରେ ଏକ କ୍ୟାଣ୍ଟିନ୍‌ରେ ସେ ବାସନ ମାଜୁଥିଲେ। ଜଣେ ସାଙ୍ଗ ତାଙ୍କୁ ‘ଇଣ୍ଡିଆନ୍ ଆଇଡଲ୍‌’ର ଅଡିସନ୍ ବିଷୟରେ କହିଥିଲେ। ତା’ପରେ ସେ ଅଡିସନ୍ ଦେବାକୁ ଯାଇଥିଲେ। ସେ ଅଡିସନ୍‌ରେ ପାସ୍ ହୋଇଯାଇଥିଲେ ଓ ତାଙ୍କୁ ‘ଶ୍ରେଷ୍ଠ ୩୦ ପ୍ରତିଯୋଗୀ’ଙ୍କ ମଧ୍ୟରେ ସାମିଲ କରାଯାଇଥିଲା। ତେବେ ଏବେ ସେ ପ୍ରତିଯୋଗିତାରୁ ବାହାର ହୋଇଯାଇଛନ୍ତି। କିନ୍ତୁ ଏହି ଶୋ’ରେ ସେ ତାଙ୍କ ଦକ୍ଷତା ଦେଖାଇବାରେ ବେଶ୍ ସଫଳ ହୋଇଛନ୍ତି। ଏପରିକି ଯେତେବେଳେ ସେ ଦୀପାବଳି ପାଳିବା ପାଇଁ ଘରକୁ ଯାଇଥିଲେ ରାଞ୍ଚି ବିମାନବନ୍ଦରରୁ ତାଙ୍କୁ ଏକ ଲମ୍ବା ଶୋଭାଯାତ୍ରାରେ ସ୍ୱାଗତ କରାଯାଇଥିଲା। ଲୋକେ ତାଙ୍କ ସହିତ ସେଲ୍‌ଫି ନେଇଥିଲେ। ଏହା ତାଙ୍କୁ ବେଶ୍ ଭାବବିହ୍ୱଳ କରିଥିଲା। ଗାଁକୁ ଯାଇ ପରିବାର ଲୋକଙ୍କ ସହିତ ଦୀପାବଳି ପାଳିବା ପାଇଁ ଶୋ’ର ଅନ୍ୟତମ ଜଜ୍ ତାଙ୍କୁ ୧ ଲକ୍ଷ ଟଙ୍କା ଦେଇଥିଲେ। କାରଣ ଘର ଛାଡ଼ିବା ଦିନଠୁ ସେ ଦୀପାପଳି ପାଳି ନଥିଲେ। ଦୀପାବଳି ପାଳିବା ପାଇଁ ତାଙ୍କ ପାଖରେ ଟଙ୍କା ବି ନଥିଲା। ଏହା ଶୁଣି ନେହା ବେଶ୍ ଦୁଃଖୀ ହୋଇଯାଇଥିଲେ।

ଦିବସ କହିଛନ୍ତି, ‘ଇଣ୍ଡିଆନ୍ ଆଇଡଲ୍‌ର ସଫଳତା ଯୋଗୁ ମୁଁ ଏବେ ହିନ୍ଦୁଜା ହସ୍‌ପିଟାଲ୍‌ରେ ଆଟେଣ୍ଡାଣ୍ଟ ଭାବେ ନୂଆ ଚାକିରି ପାଇଛି। ମୁଁ ମୋ ସଂଘର୍ଷ ଜାରି ରଖିବି ଓ ଜଣେ ପ୍ରସିଦ୍ଧ ଗାୟକ ହେବାକୁ ଚେଷ୍ଟା କରିବି।”

ଦିବସଙ୍କ ସଫଳତାରେ ତାଙ୍କ ବାପାମା’ ବେଶ୍ ଖୁସି ଅଛନ୍ତି। ସେମାନେ ପୁଅର ଲକ୍ଷ୍ୟ ପୂରଣ ହେଉ ବୋଲି କାମନା କରିଛନ୍ତି।

 

Related story