ଡ୍ରଗ୍ସ ମାମଲା: ଭାରତୀ ଓ ହର୍ଷ ବିରୋଧରେ NCBର ଚାର୍ଜସିଟ୍ ଦାଖଲ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପୁଣି ବଢ଼ିପାରେ ଅଡୁଆ। ଡ୍ରଗ୍ସ ମାମଲାରେ ଭାରତୀ ଓ ହର୍ଷଙ୍କ ଉପରେ ପୁଣିଥରେ ଏନ୍‌ସିବି ଆକ୍ସନ ନେଇପାରେ। ଆଜି ଦମ୍ପତିଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏନ୍‌ସିବି।

ସୂଚନା ମୁତାବକ, ଡ୍ରଗ୍ସ ମାମଲାରେ ଦମ୍ପତିିଙ୍କ ବିରୋଧରେ ମୁମ୍ବାଇ ଏନ୍‌ସିବି ୨୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଥିବା ଜଣାପଡିଛି। ୨୦୨୦ରେ ଡ୍ରଗ୍ସ ମାମଲାରେ ଏହି ଷ୍ଟାର୍ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଦୁହେଁ ଜାମିନରେ ଅଛନ୍ତି । କିନ୍ତୁ ଏବେ ପୁଣି ଥରେ ଭାରତୀ ଓ ହର୍ଷଙ୍କ ଅଡୁଆ ବଢ଼ିବାରେ ବୋଲି ଆକଳନ କରାଯାଉଛି।

୨୦୨୦ରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଏନ୍‌ସିବି ତଦନ୍ତ ଆରମ୍ଭ କରିଥିଲା। ଏନ୍‌ସିବି ରାଡାର୍‌ରେ ଅନେକ ବଡ ବଡ ସେଲେବ୍ରିଟି ଆସିଥିଲେ। ସେଥିମଧ୍ୟରୁ ଜଣେ ଥିଲେ କମେଡି କୁଇନ୍ ଭାରତୀ ସିଂହ।

ଭାରତୀ ଓ ହର୍ଷଙ୍କ ଘରେ ଏନ୍‌ସିବି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ୮୬.୫୦ ଗ୍ରାମର ଗଞ୍ଜେଇ ଜବତ ହୋଇଥିଲା। ପଚରାଉଚରା ବେଳେ ଭରତୀ ଓ ହର୍ଷ ଉଭୟ ଗଞ୍ଜେଇ ସେବନ କରୁଥିବା କଥା ସ୍ୱୀକାର କରିଥିଲେ। ଏହାପରେ ଉଭୟଙ୍କୁ ଏନ୍‌ଡିପିସି ଆକ୍ଟ ୧୯୮୬ ଆଧାରରେ ଗିରଫ କରାଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।