ମୁମ୍ବାଇ: ଗତ କିଛି ଦିନ ହେବ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ ସିଜିନ୍-୧୨ ବିବାଦ ଘେରରେ ରହିଛି। ଏଠାକୁ ଗେଷ୍ଟମାନଙ୍କୁ ଡାକି ଜୋରଜବରଦସ୍ତ ପ୍ରତିଯୋଗୀମାନଙ୍କ ପ୍ରାଶଂସା କରିବାକୁ କୁହାଯାଉଥିବା ଅଭିଯୋଗ ଉଠିଛି। ଏହି ବିବାଦ ଏବେ ଗୋଟିଏ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ଏବେ ଏହି ଶୋ’କୁ ନେଇ ଗୁମର ଖୋଲିଛନ୍ତି ପୁଣି ଜଣେ ଜଣାଶୁଣା ସିଙ୍ଗର।
ପ୍ରସିଦ୍ଧ ସିଙ୍ଗର ତଥା କମ୍ପୋଜର ସଲିମ୍ ମର୍ଚେଣ୍ଟ ଇଣ୍ଡିଆନ୍ ଆଇଡଲ୍ ଶୋ’ର ପୋଲ୍ ଖୋଲ୍ କରିଛନ୍ତି। ପୂର୍ବରୁ ଏହି ଶୋ’ର ଜଜ୍ ରହିସାରିଥିବା ସଲିମ୍ ନିକଟରେ ଏକ ସାକ୍ଷାତକାର୍ରେ କହିଛନ୍ତି, ସେ ଯେତେବେଳେ ଏହି ଶୋ’ର ଜଜ୍ କରୁଥିଲେ ସେତେବେଳେ ତାଙ୍କୁ ମଧ୍ୟ ପ୍ରତିଯୋଗୀଙ୍କ ପ୍ରଶଂସା କରିବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେ ଏଭଳି କରିନଥିଲେ। ପ୍ରଶଂସା କରିବାକୁ ସେ ସଫା ସଫା ମନା କରିଦେଇଥିଲେ। ଏଥିଲାଗି ଆଜି ସେ ଏହି ରିଆଲିଟି ଶୋ’ର ବିଚାରକ ସିଟ୍ରେ ଆଉ ବସୁ ନାହାନ୍ତି ବୋଲି କହିଛନ୍ତି।
ସଲିମ୍ ଆହୁରି କହିଛନ୍ତି, ଏହି ରିଆଲିଟି ଶୋ’କୁ ଜଜ୍ କରିବା ସମୟରେ ଏଭଳି ମୋ ସହ ଅନେକଥର ଘଟିଛି। ଶୋ’ର ନିର୍ଦ୍ଦେଶକ ଦୟାକରି ନେଗେଟିଭ୍ କମେଣ୍ଟ ନଦେବା ପାଇଁ ମୋତେ କହିଥିଲେ। କିନ୍ତୁ ମୁଁ କିଛି ଶୁଣି ନଥିଲି। ବେଶ୍ ସ୍ମାର୍ଟ ଅନ୍ଦାଜରେ ମୁଁ ପ୍ରତିଯୋଗୀଙ୍କ ଭୁଲ୍ ବାହାର କରୁଥିଲି ବୋଲି କହିଛନ୍ତି।
ସୂଚନା ମୁତାବକ ଇଣ୍ଡିଆନ୍ ଆଇଡଲ-୧୨ରେ ଦିବଙ୍ଗତ ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ଏପିସୋଡ ପରେ ଏହି ସବୁ ବିବାଦ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଶୋ’କୁ କିଶୋର କୁମାରଙ୍କ ପୁଅ ଅମିତ କୁମାର ସ୍ପେଶାଲ ଗେଷ୍ଟ ରୂପେ ଆସିଥିଲେ। ଶୋ’ ସରିବା ପରେ ମେକର୍ସମାନେ ପ୍ରତିଯୋଗୀଙ୍କୁ ପ୍ରଶଂସା କରିବାକୁ ଚାପ ପକାଇଥିଲେ ବୋଲି ସେ ହିଁ ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।