/odisha-reporter/media/post_attachments/uploadimage/library/16_9/16_9_0/IMAGE_1683012448.jpg)
The Kerala Story
ମେ’ ୫ ତାରିଖରେ ରିଲିଜ ହେବାକୁ ଥିବା ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ଚଳଚ୍ଚିତ୍ର The Kerala Story କୁ ସେନସର ବୋର୍ଡ ‘ଏ’ ସାର୍ଟିଫିକେଟ ଦେଇଛି। ତା’ ସହିତ ଫିଲ୍ମର ୧୦ଟି ସିନ୍କୁ କାଟି ଦେଇଛି।
ସେହି ୧୦ଟି ସିନ୍ ମଧ୍ୟରୁ ଗୋଟିଏରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ଅଚ୍ୟୁତାନନ୍ଦଙ୍କ ଏକ ଟେଲିଭିଜନ ସାକ୍ଷାତକାର ରହିଥିଲା। ଏଥିରେ ସେ କହିଥିଲେ ଯେ ଆଉ ଦୁଇ ଦଶନ୍ଧି ମଧ୍ୟରେ କେରଳ ଏକ ମୁସଲିମ ବହୁଳ ରାଜ୍ୟରେ ପରିଣତ ହୋଇଯିବ। କାରଣ ଯୁବବର୍ଗଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରଭାବିତ କରାଯାଉଛି। ଏହି ପୂରା ସାକ୍ଷାତକାରକୁ ଫିଲ୍ମରୁ କାଟି ଦେବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ସାର୍ଟିଫିକେସନ (CBFC) ନିର୍ଦ୍ଦେଶ ଦେଇଥିଲା।
ଫିଲ୍ମରୁ କିଛି ସଂଳାପକୁ ମଧ୍ୟ ବାଦ୍ ଦିଆଯାଇଛି। ଫିଲ୍ମରେ ଏକ ସଂଳାପ ଥିଲା ଯେଉଁଥିରେ କୁହାଯାଇଥିଲା ‘ଭାରତୀୟ କମ୍ୟୁନିଷ୍ଟମାନେ ସବୁଠୁ ବଡ଼ କପଟୀ’। ଏଥିରୁ ଭାରତୀୟ ଶବ୍ଦକୁ କାଟି ଦିଆଯାଇଛି।
ଗତବର୍ଷ ନଭେମ୍ବରରେ ଟିଜର ରିଲିଜ ହେବା ଦିନଠାରୁ The Kerala Story ବିବାଦ ମଧ୍ୟରେ ରହିଆସିଛି। ଏଥିରେ କୁହାଯାଇଥିଲା ଯେ କେରଳରୁ ୩୨ ହଜାର ଝିଅ ନିଖୋଜ ହେବା ପଛର ଜଣାପଡ଼ିଯାଇଛି। ଏହି ଫିଲ୍ମ କହିଛି ଯେ କେରଳରୁ ଯେଉଁ ୩୨ ହଜାର ଯୁବତୀ ନିଖୋଜ ହୋଇଥିଲେ ସେମାନେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍)ରେ ସାମିଲ ହୋଇଥିଲେ। ଏହାକୁ ନେଇ ଦେଖାଦେଇଥିଲା ବିବାଦ। ଆଉ ଉଠିଥିଲା ଅନେକ ପ୍ରଶ୍ନ। କେରଳରୁ ଏତେ ସଂଖ୍ୟକ ଝିଅ କେବେ ନିଖୋଜ ହେଲେ? କେଉଁ ଆଧାରରେ ଏହି ସଂଖ୍ୟା ପ୍ରକାଶ କରାଗଲା? ଜାତିସଂଘ କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା କୌଣସି ରିପୋର୍ଟରେ ଏହି ସଂଖ୍ୟା ନଥିବା ବେଳେ ଫିଲ୍ମ ନିର୍ମାତା ଏହାକୁ କେଉଁଠୁ ଆଣିଲେ? କେମିତି ସତ କାହାଣୀ ଉପରେ ଏହା ଆଧାରିତ ହେଲା?
କେରଳରେ ଏହି ସିନେମାକୁ ବ୍ୟାନ କରିବାକୁ ଦାବି ହୋଇଛି। ଉଭୟ କେରଳ ସରକାର ଓ ବିରୋଧୀ ଦଳଗୁଡ଼ିକ ଏହି ଫିଲ୍ମକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ କେରଳର ମୁସଲିମ ୟୁଥ ଲିଗ କହିଛି ଯେ ଯଦି କେହି ପ୍ରମାଣ କରି ଦେବେ ଯେ ଆଇଏସ୍ ରାଜ୍ୟର ୩୨ ହଜାର ଯୁବତୀଙ୍କୁ ନେଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇଛି, ତା’ହେଲେ ତାଙ୍କୁ କୋଟିଏ ଟଙ୍କାର ପୁରସ୍କାର ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
