Advertisment

ଏହି ଅଭିନେତ୍ରୀଙ୍କ ପାଇଁ ଦୁବାଇରେ ଘର କିଣିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ପୁଅ?

ବିଜୁଳି ବେଗରେ ନବେତା ଓ ଉଦୟନିଧିଙ୍କ ସମ୍ପର୍କରେ ଖବର ଭାଇରାଲ ହେବାରେ ଲାଗିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Nivetha Pethuraj

Nivetha Pethuraj

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଅଭିନେତ୍ରୀ ନିବେତା ପେଥୁରାଜଙ୍କ ପାଇଁ ଦୁବାଇରେ ଘର କିଣିଛନ୍ତି କି? ତାଙ୍କୁ ଘର ଉପହାର ଆକାରରେ ଦେବା ସହ ତାଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କି?

Advertisment

ଏପରି କିଛି ରିପୋର୍ଟ ପ୍ରକାଶ ପାଇବା ପରେ ପୂରା ତାମିଲନାଡୁରେ ହଇଚଇ ସୃଷ୍ଟି ହୋଇଛି। ବିଜୁଳି ବେଗରେ ନବେତା ଓ ଉଦୟନିଧିଙ୍କ ସମ୍ପର୍କରେ ଖବର ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଖବର ଉପରେ ଏବେ ଟିକ ଟିକ ଟିକ, ଓରୁ ନାଲ କୋଥୁ ଭଳି ସିନେମାରେ ଅଭିନୟ କରିଥିବା ନିବେତା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସବୁ ଖବରକୁ ଖଣ୍ଡନ କରିଛନ୍ତି।

Advertisment

ନିକଟରେ ସୋଶାଲ ମିଡିଆରେ ଦାବି କରାଯାଇଥିଲା ଯେ ନିବେତା ଜଣେ ପ୍ରଫେସାଲ କାର ରେସର ହୋଇଥିବାରୁ ଚେନ୍ନାଇରେ ଫର୍ମୁଲା ୪ ନାଇଟ ଷ୍ଟ୍ରିଟ ରେସ ଆୟୋଜନ କରାଯାଇଥିଲା।

ସବୁକ୍କୁ ଶଙ୍କର ନାମକ ଜଣେ ୟୁଟ୍ୟୁବର ମଧ୍ୟ ଦାବି କରିଥିଲେ ଯେ ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ନିବେତାଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି। ଏଥିପାଇଁ ଷ୍ଟାଲିନ ଦୁବାଇରେ ନିବେତାଙ୍କ ପାଇଁ ଗୋଟିଏ ଘର କିଣି ଉପହାର ଆକାରରେ ଦେଇଛନ୍ତି।

ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ନିବେତା କହିଛନ୍ତି ଯେ “ମୋ ଉପରେ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିବାର ମିଥ୍ୟା ଖବର ଭାଇରାଲ କରାଯାଉଛି। ମୁଁ ସବୁ ଜାଣି ଚୁପ ରହିଥିଲି। ମୁଁ ଭାବୁଥିଲି ଯେ ଯେଉଁମାନେ ଏପରି କଥା କହୁଛନ୍ତି ସେମାନଙ୍କର ମାନବିକତା ରହିଥିବ। ସେମାନେ କୌଣସି ସୂଚନା ଭାଇରାଲ କରିବା ପୂର୍ବରୁ ଏହାକୁ ଯାଞ୍ଚ କରିବେ।

କିନ୍ତୁ ସେମାନେ ଗୋଟିଏ ଝିଅର ଜୀବନକୁ ବର୍ବାଦ କରିବା ପୂର୍ବରୁ କିଛି ବି ଚିନ୍ତା କରୁ ନାହାନ୍ତି। ମୋ ପରିବାର ଓ ମୁଁ ଅତ୍ୟନ୍ତ ଚିନ୍ତାରେ ରହିଛୁ। ଦୟା କରି ମିଥ୍ୟା ଖବର ପ୍ରଚାର କରିବା ପୂର୍ବରୁ ଥରେ ଭାବନ୍ତୁ।”

ନିବେତା ନିଜ ପଛ କଥା ସମସ୍ତଙ୍କୁ ଜଣାଇବା ସହ ସେ ସିନେମା ଇଣ୍ଡଷ୍ଟ୍ରୀରେ ପୂରା ମର୍ଯ୍ୟାଦାର ସହ କାମ କରୁଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ଗୋଟିଏ ସ୍ୱାଭିମାନ ପରିବାରରୁ ଆସିଛି। ୧୬ ବର୍ଷ ବୟସରୁ ମୁଁ ଆର୍ଥିକ ସ୍ତରରେ ସ୍ୱାଧୀନ ଓ ସ୍ଥିର। ମୋ ପରିବାର ଏବେ ବି ଦୁବାଇରେ ରହୁଛନ୍ତି।

ଆମେ ୨୦ ବର୍ଷ ହେଲା ଦୁବାଇରେ ରହି ଆସୁଛୁ। ସିନେମା ଇଣ୍ଡଷ୍ଟ୍ରୀରେ ମୁଁ ଏଯାଏ କୌଣସି ପ୍ରଯୋଜକ, ନିର୍ଦ୍ଦେଶକ କିମ୍ବା ହିରୋଙ୍କୁ ସିନେମାରେ ସୁଯୋଗ ଦେବାକୁ ଅନୁରୋଧ କରି ନାହିଁ। ତଥାପି ମୁଁ ୨୦ରୁ ଅଧିକ ଫିଲ୍ମ କରି ସାରିଛି। କାମ କିମ୍ବା ଟଙ୍କା ପାଇଁ ମୁଁ କେବେ ହେଲେ କାହା ଆଗରେ ମୁଣ୍ଡ ନୁଆଁ ନାହିଁ।

ମୋ ସମ୍ପର୍କରେ ଏଯାଏ ପ୍ରକାଶ ପାଇଥିବା କୌଣସି କଥାରେ ସତ୍ୟତା ନାହିଁ। ୨୦୦୨ରୁ ଆମେ ଦୁବାଇରେ ଗୋଟିଏ ଭଡ଼ା ଘରେ ରହୁଛୁ। ୨୦୧୩ରୁ କାର ରେସିଂ ମୁଁ କରି ଆସୁଛି। ଚେନ୍ନାଇରେ ରେସିଂ ହେବା କଥା ମୁଁ ଜାଣି ନାହିଁ।

ଆପଣମାନେ ମୋତେ ଯେତିକି ଗୁରୁତ୍ୱ ଦେଉଛନ୍ତି ମୁଁ ସେତିକି ନୁହେଁ। ମୁଁ ସାଧାରଣ ମଣିଷଟିଏ। ଅନେକ ସଂଘର୍ଷ କରିବା ପରେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି। ମୁଁ ଗୋଟିଏ ସମ୍ମାନଜନକ ଓ ଶାନ୍ତି ଜୀବନ କାଟିବାକୁ ଚାହେଁ। ଆପଣଙ୍କ ପରିବାର ମହିଳାମାନେ ଯେମିତି ଜୀବନ ଚାହାନ୍ତି, ମୁଁ ମଧ୍ୟ ସେମିତି ରହିବାକୁ ଚାହେଁ।”

ନିବେତାଙ୍କ କହିବା କଥା ଯେ ସେ କୌଣସି ପ୍ରକାରର ଆଇନଗତ ଅଭିଯୋଗ କରିବେ ନାହିଁ। କାରଣ ତାଙ୍କର ବିଶ୍ୱାସ ଯେ ଏବେ ବି କିଛି ମାତ୍ରାରେ ସାମ୍ବାଦିକତାରେ ମାନବିକତା ରହିଛି।

M K Stalin Udhayanidhi Stalin