Advertisment

ପୁଣି ରେଭନ୍ଥ ରେଡ୍ଡୀ ବନାମ ଟଲିଉଡ? ୨୫ ସେଲେବ୍ରିଟିଙ୍କ ନାଁରେ ଏଫଆଇଆର୍‌

ବେଟିଂ ଫ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଆପ ଓ ୱେବସାଇଟକୁ ସୋଶାଲ ମିଡିଆ ବିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି। ସେଲେବ୍ରିଟିଙ୍କ ଦ୍ୱାରା ଏପରି କରାଯାଉଛି।

Hyderabad

Hyderabad

Advertisment

ଫିଲ୍ମ ଜଗତ ବିଶେଷ କରି ଟଲିଉଡର ପ୍ରଖ୍ୟାତ ଅଭିନେତା ରାଣା ଡାଗୁବାଟି, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମାଞ୍ଚୁ ଲକ୍ଷ୍ମୀଙ୍କ ଭଳି ୨୫ ଜଣ ସେଲେବ୍ରିଟିଙ୍କ ନାଁରେ ତେଲଙ୍ଗାନା ପୁଲିସ୍‌ ଏଫଆଇଆର ରୁଜୁ କରିଛି। ଏମାନେ ବେଆଇନ ବେଟିଂ ଆପ୍‌ର ପ୍ରଚାର ପ୍ରସାର କରିଥିବା ଅଭିଯୋଗ ହୋଇଛି। ସେଲେବ୍ରିଟି ମାନଙ୍କ ବିରୋଧରେ ପ୍ରଥମେ ବ୍ୟବସାୟୀ ଫାନିନନ୍ଦର ଶର୍ମା ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଏଫଆଇଆର ରୁଜୁ କରାଯାଇଛି। ଏହାକୁ ନେଇ ତେଲଙ୍ଗାନାରେ ଝଡ଼ ଦେଖିବାକୁ ମିଳିଛି।

Advertisment

ଏଫଆଇଆରରେ ପ୍ରଣୀତା, ନିଧି ଅଗ୍ରୱାଲ, ଅନନ୍ୟା ନାଗାଲ୍ଲା, ସିରି ହନୁମାଣ୍ଠୁ, ଶ୍ରୀମୁଖୀ, ଭି ସୌନ୍ଦେରାଜନ, ବାସ୍ତନ୍ତୀ କ୍ରିଷ୍ଣା, ଶୋଭା ଶେଟ୍ଠୀ, ଅମୃତା ଚୌଧୁରୀ, ନୟନି ପବାନି, ନେହା ପଠାନ, ପାଣ୍ଡୁ, ଇମରାନ ଖାନ, ବିଷ୍ଣୁ ପ୍ରିୟା, ହର୍ଷ ସାଇ, ସନ୍ନି ଯାଦବ,ଶ୍ୟାମଲା, ଟି ତେଜା, ବନ୍ଦାରୁ ଏସ୍‌ ସୁପ୍ରିଥା ଓ ପଦ୍ମାବତୀଙ୍କ ଭଳି ସେଲେବ୍ରିଟିଙ୍କ ନାଁ ରହିଛି।

ଏଫଆଇଆରରେ କୁହାଯାଇଛି ଯେ ବେଟିଂ ଫ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ଆପ ଓ ୱେବସାଇଟକୁ ସୋଶାଲ ମିଡିଆ ବିଜ୍ଞାପନ ଦ୍ୱାରା ପ୍ରଚାର କରୁଛନ୍ତି। ସେଲେବ୍ରିଟିଙ୍କ ଦ୍ୱାରା ଏପରି କରାଯାଉଛି। ହଜାର ହଜାର ଲୋକଙ୍କ କୋଟି କୋଟି ଟଙ୍କା ଏସବୁ ବେଆଇନ ଫ୍ଲାଟଫର୍ମରେ ନିବେଶ ହୋଇଛି। ଅନେକ ଲୋକ ଏଥିଯୋଗୁ ନିଜର ସର୍ବସ୍ୱ ହରାଇଛନ୍ତି। ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ସବୁଠାରୁ ଅଧିକ ସମସ୍ୟାରେ ପଡ଼ିଛନ୍ତି।

Advertisment

ଅଭିଯୋଗକାରୀ କହିଛନ୍ତି ଯେ ଲୋକମାନେ ବେଶ ସକ୍ରିୟ ଭାବେ ଏହି ଆପଗୁଡ଼ିକୁ ବ୍ୟବହାର କରୁଛନ୍ତି ଓ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ ହରାଇ ଚାଲିଛନ୍ତି। ଅଭିଯୋଗକାରୀ ନିଜେ ମଧ୍ୟ ଏପରି ଏକ ବେଟିଂ ୱେବସାଇଟରେ ଟଙ୍କା ଲାଗାଇବାକୁ ଯାଉଥିଲେ। କିନ୍ତୁ ପରିବାର ଲୋକଙ୍କ ତାଗିଦ ଯୋଗୁ ସେ ଟଙ୍କା ନିବେଶ କରି ନଥିଲେ। ସେଲେବ୍ରିଟି ଓ ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରାମାନେ କୋଟି କୋଟି ଟଙ୍କା ନେଇ ବେଆଇନ ବେଟିଂ ଆପଗୁଡ଼ିକୁ ପ୍ରଚାର କରୁଛନ୍ତି। ସେମାନଙ୍କ ପ୍ରଚାର ଯୋଗୁ ଲୋକମାନେ ବେଟିଂ ଆପରେ ବିଶ୍ୱାସ କରି ଅଧିକ ଟଙ୍କା ପାଇବା ଆଶରେ ନିବେଶ କରୁଛନ୍ତି। ଧୀରେଧୀରେ ଟଙ୍କା ପାଇବା ଆଶାରେ ବେଟିଂ କରିବା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଉଛି। ଶେଷରେ ସେମାନେ ସବୁ କିଛି ହରାଇ ଦେଉଥିବା ଅଭିଯୋଗ ହୋଇଛି।

ଏଫଆଇଆର ଉପରେ ପ୍ରତିକ୍ରିୟା ଦେଇ ଅଭିନେତା ପ୍ରକାଶ ରାଜ କହିଛନ୍ତି ଯେ ସେ ୨୦୧୫ରେ ଏପରି ଏକ ଆପର ବିଜ୍ଞାପନ କରିଥିଲେ। ଗୋଟିଏ ବର୍ଷ ପରେ ଆମେ ସେଥିରୁ ଓହରି ଯାଇଥିଲୁ। ଏବେ ଆମେ ଏଫଆଇଆର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଥିବା ସେ କହିଛନ୍ତି।

ତେଲୁଗୁ ସିନେମାର ଟପ୍‌ ସେଲେବ୍ରିଟିଙ୍କ ବିରୋଧରେ ଏଫଆଇଆର ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି। କିଛି ଦିନ ତଳେ ତେଲଙ୍ଗାନା ପୁଲିସ୍‌ ତେଲୁଗରୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା। ପୁଷ୍ପା-୨ ପ୍ରିମିୟର ବେଳେ ଜଣେ ମହିଳା ପ୍ରବଳ ଭିଡ଼ କାରଣରୁ ହାଇଦ୍ରାବାଦରେ ପ୍ରାଣ ହରାଇଥିଲେ। ଅଲ୍ଲୁ ଅର୍ଜୁନ ଉକ୍ତ ପ୍ରିମିୟରରେ ଯୋଗ ଦେଇଥିଲେ ଓ ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯିବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ଡିସେମ୍ବର ମାସରେ ଅଲ୍ଲୁଙ୍କୁ ଗିରଫ କରାଯାଇ ଥିଲା। ଜେଲରେ ରାତି କାଟିବା ପରେ ସେ ସକାଳୁ ମୁକୁଳିଥିଲେ।

ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ନେଇ ତେଲଙ୍ଗାନାର କ୍ଷମତାସୀନ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସରକାର ବନାମ ଫଲ୍ମ ଇଣ୍ଡଷ୍ଟ୍ରୀ ବିବାଦ ତେଜିବାରୁ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଫିଲ୍ମ ମେକର ଓ କଳକାରମାନଙ୍କ ଗୋଟିଏ ପ୍ରତିନିଧି ମଣ୍ଡଳକୁ ଭେଟିଥିଲେ। ଫିଲ୍ମ ଜଗତ ସହ ସରକାର ଛିଡ଼ା ହୋଇଥିଲେ ହେଁ ରାଜ୍ୟର ଆଇନ ଶୃଙ୍ଖଳା ସହ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଥିଲେ।

ଏବେ ବେଟିଂ ଆପ୍‌ ଘଟଣାରେ ତେଲଙ୍ଗାନା ପୁଲିସ୍‌ ସେଲେବ୍ରିଟିଙ୍କ ନାଁରେ ଏଫଆଇଆର କରିଥିବାରୁ ପୁଣି ବିବାଦ ତେଜିବାର ଆଶଙ୍କା ରହିଛି। ବିଶେଷ କରି ରେଭନ୍ଥ ରେଡ୍ଡୀ ଓ ଟଲିଉଡ ମଧ୍ୟରେ ତିକ୍ତତା ପୁଣି ଦେଖାଯିବ ବୋଲି କୁହାଯାଉଛି।

Tollywood Hyderabad Revanth Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe