Advertisment

ଭେଟରାନ ଅଭିନେତା ରାଜେଶଙ୍କ ଦେହାନ୍ତ

ବେଶ କିଛି ଦଶନ୍ଧି ଧରି ଫିଲ୍ମ ଜଗତରେ ରାଜେଶ ଚର୍ଚ୍ଚିତ ଚେହେରା ଭାବେ ଖ୍ୟାତି ଅର୍ଜନ କରିଥିଲେ। ନିଜର ଅଭିନୟ ପାଇଁ ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ।

author-image
Hemant Lenka
Rajesh

Rajesh

ଭେଟରାନ ତାମିଲ ଅଭିନେତା ରାଜେଶ ଆଉ ନାହାନ୍ତି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ୭୫ ବର୍ଷୀୟ ଅଭିନେତା ରାଜେଶ ଆଜି ସକାଳେ ହଠାତ୍‌ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ତୁରନ୍ତ ରାମଚନ୍ଦ୍ର ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ଅଧା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ଦେହାନ୍ତ ଖବର ତାମିଲ ଫିଲ୍ମ ଦୁନିଆକୁ ଶୋକରେ ବୁଡ଼ାଇ ଦେଇଛି।

Advertisment

ବେଶ କିଛି ଦଶନ୍ଧି ଧରି ଫିଲ୍ମ ଜଗତରେ ରାଜେଶ ଚର୍ଚ୍ଚିତ ଚେହେରା ଭାବେ ଖ୍ୟାତି ଅର୍ଜନ କରିଥିଲେ। ନିଜର ଅଭିନୟ ପାଇଁ ସେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ। ୧୯୪୯ ମସିହା ଡିସେମ୍ବର ୨୯ରେ ତାମିଲନାଡୁର ମାନାରଗୁଡିରେ ରାଜେଶ ଓରଫ ରାଜେଶ ୱିଲିୟମ୍ସଙ୍କ ଜନ୍ମ ହୋଇଥିଲା। ଅଭାଲ ଓରୁ ଥୋଡାରକଥାଇରେ ମିଳିଥିବା ଗୋଟିଏ ଛୋଟିଆ ଚରିତ୍ର ଜରିଆରେ ସେ ୧୯୭୪ରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଥିଲେ।

ପରବର୍ତ୍ତୀ ସମୟରେ ସେ ଏକାଧିକ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ସାଉଁଟିଥିଲେ। ୧୯୭୯ରେ ରିଲିଜ୍‌ ହୋଇଥିବା କାନ୍ନି ପାରୁଭାଥିଲେରେ ରାଜେଶ ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ସିନେମାରେ ଅଭିନୟ କରି ଚାଲିଥିଲେ।

Advertisment

ପ୍ରଖ୍ୟାତ ଅଭିନେତା କମଲ ହାସନ ଓ ବିଜୟଙ୍କ ସହ ମଧ୍ୟ ସ୍କ୍ରିନ ଶେୟାର କରିଥିଲେ। ନିଜର ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା।

ରାଜେଶ ୧୯୮୩ ମସିହାରେ ଜୋଆନ ସିଲଭିଆଙ୍କୁ ବିବାହ କରିଥିଲେ। ତାଙ୍କ ଦିବ୍ୟା ଓ ଦୀପକ ନାଁରେ ୨ ଜଣ ସନ୍ତାନ ରହିଛନ୍ତି। ୨୦୧୨ରେ ରାଜେଶଙ୍କୁ ଏକା କରି ଅସୁସ୍ଥତା କାରଣରୁ ପତ୍ନୀ ସିଲଭିଆ ପରପାରିକୁ ଚାଲି ଯାଇଥିଲେ। ରାଜେଶ ଅଭିନୟ ସହ ରିୟଲ ଇଷ୍ଟେଟ ବ୍ୟବସାୟ ମଧ୍ୟ କରୁଥିଲେ। ନିକଟରେ ସେ ଗୋଟିଏ ୟଟ୍ୟୁବ ଚ୍ୟାନେଲ ମଧ୍ୟ ଖୋଲିଥିଲେ।

Entertainment Actor Demise