Advertisment

ଦାଦା ସାହେବ ଫାଲକେ ବିଜେତା କିମ୍ବଦନ୍ତୀ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ

ଦୁନିଆକୁ ଅଲବିଦା କହିଲେ ତେଲୁଗୁ ସିନେମାର ବର୍ଷିୟାନ ନିର୍ଦ୍ଦେଶକ କେ ବିଶ୍ୱନାଥ । ୯୨ ବର୍ଷ ବୟସରେ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

k-vishwanath

k-vishwanath

Advertisment

ଦୁନିଆକୁ ଅଲବିଦା କହିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା କେ ବିଶ୍ୱନାଥ । ୯୨ ବର୍ଷ ବୟସରେ ଗତକାଲି ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସହେବ ଫାଲକେ ସମେତ ବହୁ ଆୱାର୍ଡ ବିଜେତା ଏହି ନିର୍ଦ୍ଦେଶକଙ୍କ ମୃତ୍ୟୁରେ ବଲିଉଡ ତଥା ଟଲିଉଡରେ ଶୋକର ଛାୟା ଖେଳି ଯାଇଛି।

Advertisment

କେ ବିଶ୍ୱନାଥ ଦୀର୍ଘ ଦିନ ହେଲା ବୟସାଧୀକ ରୋଗରେ ପୀଡ଼ିତ ଥିଲେ। ଏଥିନିମନ୍ତେ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ। ସେଠାରେ ଗତ ରାତିରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବଲିଉଡ ସମେତ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଦେଇଛି।

କେ ବିଶ୍ୱନାଥ ଟଲିଉଡ ସମେତ ବଲିଉଡରେ ବି ବେଶ୍‌ ଜଣାଶୁଣା। ମୁଖ୍ୟତଃ ସାମ୍ପ୍ରତିକ ସାମାଜିକ ପ୍ରସଙ୍ଗକୁ ନେଇ ହୃଦୟସ୍ପର୍ଶୀ ଫିଲ୍ମ ନିର୍ମାଣ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ଚଳଚ୍ଚିତ୍ର ଜଗତରେ ସେ ଏକ ମାଇଲ ଖୁଣ୍ଟ ସଦୃଶ ହୋଇଥିବା ବେଳେ କଳା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି।

Advertisment

ଏଥିନିମନ୍ତେ ୨୦୧୭ ମସିହାରେ ତାଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦାସହେବ ଫାଲକେରେ ସମ୍ମାନିତ କରାଯାଇଥିଲା। ନିଜ ଜୀବନ କାଳ ମଧ୍ୟରେ ଏହି ମହାନ ନିର୍ଦ୍ଦେଶକ ପାଞ୍ଚଟି ଜାତୀୟ ପୁରସ୍କାର ଏବଂ ୧୦ ଟି ଫିଲ୍ମଫେୟାର ଆୱାର୍ଡ ଜିତିପାରିଛନ୍ତି।

୧୯୯୨ ମସିହାରେ କେ ବିଶ୍ୱନାଥଙ୍କୁ କଳା କ୍ଷେତ୍ରରେ ଅବଦାନ ପାଇଁ ଆନ୍ଧ୍ରପ୍ରଦେଶ ସରକାର ‘ରଘୁପତି ଭେଙ୍କୟା ପୁରସ୍କା” ଏବଂ ‘ନାଗରିକ ସମ୍ମାନ’ ପ୍ରଦାନ କରିଥିଲେ।

୧୯୬୫ ମସିହାରେ କେ. ବିଶ୍ୱନାଥ ତେଲୁଗୁ ଚଳଚ୍ଚିତ୍ର 'ଆତ୍ମା ଗୋଭରମ' ସହିତ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। ଏଥିନିମନ୍ତେ ତାଙ୍କୁ ନନ୍ଦୀ ପୁରସ୍କାର ମିଳିଥିବା ବେଳେ ଜଣେ ନିର୍ଦ୍ଦେଶକ ଭାବେ ସେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହାବାଦ ତେଲଗୁ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଅନ୍ୟତମ ଫିଲ୍ମ ‘ଶଙ୍କରାଭରଣମ’ ଫିଲ୍ମର ସେ ଥିଲେ ନିର୍ଦ୍ଦେଶକ। 

ବିଶ୍ୱନାଥ ଅନେକ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏଥିମଧ୍ୟରେ ଇଶ୍ୱର, ସଂଯୋଗ , ସୁର ସରଗମ, କାମଚୋର, ଜଗ ଉଥା ଇନସାନ, ସଂଗୀତ ପରି ହିନ୍ଦୀ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଥିଲା। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ମୁଖ୍ୟତଃ ତାଙ୍କ ତେଲୁଗୁ ଚଳଚ୍ଚିତ୍ରର ରିମେକ୍ ହେଉଥିଲା । କେବଳ ନିର୍ଦ୍ଦେଶକ ନୁହନ୍ତି, ବହୁ ଫିଲ୍ମରେ ସେ କଳାକାର ଭାବେ ମଧ୍ୟ ବଡ଼ ପରଦାକୁ ଆସିଛନ୍ତି। ତାଲିମ ଫିଲ୍ମ 'ୟାରାଦି ନି ମୋହିନୀ', 'ରାଜପଟ୍ଟାଇ', 'ଲିଙ୍ଗା' ଏବଂ 'ଉତ୍କଳ ଭିଲେନ୍' ଭଳି ତାମିଲ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା।

ବଲିଉଡର ବର୍ଷିୟାନ ଆକ୍ଟର ଅନୀଲ କପୁରଙ୍କ ସମେତ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ମଧ୍ୟ ବିଶ୍ୱନାଥଙ୍କ ମୃତ୍ୟୁ ଖବରରେ ଗଭୀର ଶୋକ ପ୍ରକଟ କରିଛନ୍ତି। କେ ବିଶ୍ୱନାଥଙ୍କ ମୃତ୍ୟୁ ଭାରତୀୟ ତଥା ତେଲୁଗୁ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି । ସେ ଅନେକ ଆଇକନିକ୍, କାଳଜୟୀ ଚଳଚ୍ଚିତ୍ରର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଚିରଞ୍ଜୀବୀ । ସେହିପରି କେ ବିଶ୍ୱନାଥ ମୋ’ ଗୁରୁ ଥିଲେ, ତାଙ୍କଠୁ ବହୁତ କିଛି ଶିଖିବାକୁ ପାଇଛି। ତାଙ୍କ ମୃତ୍ୟୁ ମୋ’ ପାଇଁ ଗଭୀର କ୍ଷତି ବୋଲି ଟ୍ୱିଟ କରିଛନ୍ତି ଅନୀଲ କପୁର। ଏହାବାଦ ତାମିଲ ସୁପରଷ୍ଟାର କମଲ ହାସନ ମଧ୍ୟ କେ. ବିଶ୍ୱନାଥଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି। 

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe