Advertisment

ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ମଞ୍ଜୁର

ଗତ ଶୁକ୍ରବାରଠୁ ଗିରଫ ହୋଇ ଜେଲ୍‌ରେ ଥିବା ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି SDJM ।

author-image
Niharika Rout
undefined

Tutu Nayak & Debasmita

ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ମିଳିଲା । ଗତ ଶୁକ୍ରବାରଠୁ ଗିରଫ ହୋଇ ଜେଲ୍‌ରେ ଥିବା ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି SDJM । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରାଯାଇଛି।

Advertisment

ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସି ଗେଟ୍‌ ନିକଟରେ ଛିଡ଼ା ହୋଇଥିଲେ ଦେବସ୍ମିତା ।

ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲିବା ପରେ ତାଙ୍କ ଗାଲ୍‌କୁ ଚାପୁଡାଏ ମାରିଥିବା ଅଭିଯୋଗ କରିଥିଲେ ଦେବସ୍ମିତା । ଏନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ

Advertisment

ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ଫିଲ୍ମ ହଲ୍‌ରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏହାପରେ ଓଡ଼ିଶା ୱିମେନ୍‌ ଆଣ୍ଡ ମିଡ଼ିଆର ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ।

ସେପଟେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରି ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଥିଲେ ମହିଳା କମିଶନ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମହିଳା କମିଶନ ଅଧକ୍ଷା ମିନତୀ ବେହେରା।

ମହିଳା କମିଶନଙ୍କ ରିପୋର୍ଟ ତଲବ ପରେ ତତ୍ପର ହୋଇଥିଲା କମିଶନରେଟ୍‌ ପୁଲିସ୍‌। ଉକ୍ତ ଦିନ ହିଁ ପୁଲିସ୍‌ ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରୁ ଉଠାଇ ନେଇ ଖାରବେଳ ନଗର ଥାନାରେ ତାଙ୍କୁ ଘନଘନ ଜେରା କରିଥିଲା। ଦୀର୍ଘ ସମୟ ଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଟୁଟୁ ନାୟକଙ୍କୁ ଆଜି ଜାମିନ ମିଳିଛି।

Ollywood