Advertisment

ସୋଶାଲ ମିଡ଼ିଆରେ ମୁହାଁମୁହିଁ; ଅନୁଭବଙ୍କୁ ଜବାବ ଦେଲେ ବର୍ଷା

୨୦୧୪ ମସିହାରେ ସାରା ରାଜ୍ୟରେ ଚହଳ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଓଲିଉଡ୍ ଯୋଡ଼ି। ତେବେ ଏହି ଚହଳ ସମୟକ୍ରମେ ବିବାଦରେ ବଦଳିଥିଲା। ଉଭୟଙ୍କ ସଂପର୍କରେ ଫାଟ୍‌ ସୃଷ୍ଟି ହେଲା।

author-image
Manoranjan Sial
Varsa and Anubhab

Varsha Priyadarshini and Anubhav Mohanty

ସୋଶାଲ୍‌ ମିଡ଼ିଆରେ ମୁହାଁମୁହିଁ ହେଲେ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଅଦାଲତୀ ରାୟ ଆସିବା ପରେ ଉଭୟ ପରସ୍ପର ବିରୋଧରେ ସୋଶାଲ୍‌ ମିଡ଼ିଆରେ ଲେଖିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ପ୍ରଥମେ ଲେଖିଲେ ଅନୁଭବ। ଆଉ ଆଜି ତାହାର ଜବାବ ଦେଲେ ପତ୍ନୀ ବର୍ଷା।

Advertisment

ସୋଶାଲ୍‌ ମିଡ଼ିଆରେ ସାଂସଦ ଅନୁଭବ ମହାନ୍ତି ଲେଖିଲେ, (ଭି) ଶସ୍ତା ଓ ହୀନ ରାଜନୀତି ବନାମ(ଏ) ନ୍ୟାୟ। ଏଠାରେ (ଭି) ମାନେ ବର୍ଷା ଏବଂ (ଏ) ମାନେ ଅନୁଭବ ବୋଲି ଅନୁମାନ କରାଯାଉଛି। ଅନୁଭବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଏହା ଆଇନ୍‌ ବିରୋଧୀ ଯେ, ପ୍ରଥମ ରାଉଣ୍ଡରେ (ଭି)ର ପ୍ରବଳ ଚାପ ଯୋଗୁ (ଏ)କୁ ବଞ୍ଚିତ ଓ ଲାଞ୍ଛିତ ହେବାକୁ ପଡ଼ିଲା। କିନ୍ତୁ ଶେଷରେ ନ୍ୟାୟ ନିଶ୍ଚିତ ରୂପେ ଜିତିବ। ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ ବୋଲି ଅନୁଭବ ଲେଖିଛନ୍ତି।

Advertisment

ସମାନ ଢଙ୍ଗରେ ସୋଶାଲ୍‌ ମିଡିଆ ପ୍ଲାଟଫର୍ମରେ ଜବାବ ଦେଇଛନ୍ତି ବର୍ଷା। ଆଜି ସେ ଲେଖିଛନ୍ତି, ସତ୍ୟ ଉପରେ ବିଶ୍ୱାସ, ଧୈର୍ଯ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି। ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି। ଶେଷରେ ସତ୍ୟର ଜୟ ହେଲା। ଏହି ଆଇନଗତ ଲଢ଼େଇରେ ମୋ’ ପରିବାର ସବୁବେଳେ ମୋ’ ସହ ଠିଆ ହୋଇଛି। ମୋ’ ପରିବାର ତଥା ମୋ ମା'ଙ୍କ ଆଶୀର୍ବାଦ ବିନା ଏହା କେବେବି ସମ୍ଭବ ହୋଇ ପାରିନଥାନ୍ତା। ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ’ ପାଇଁ ଲଢ଼ିଥିବା ଆଇନଜୀବୀମାନଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି ବୋଲି ବର୍ଷା ଲେଖିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ମୋ ଜୀବନର ଏହି ଦୁଃସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି। ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସଫଳ ହୁଏନାହିଁ। ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ବହୁତ ଅଧିକ। ପରିଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତା’ର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି ବର୍ଷା ଲେଖିଛନ୍ତି।

୨୦୧୪ ମସିହାରେ ସାରା ରାଜ୍ୟରେ ଚହଳ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଓଲିଉଡ୍ ଯୋଡ଼ି। ତେବେ ଏହି ଚହଳ ସମୟକ୍ରମେ ବିବାଦରେ ବଦଳିଥିଲା। ଉଭୟଙ୍କ ସଂପର୍କରେ ଫାଟ୍‌ ସୃଷ୍ଟି ହେଲା। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ପରେ ବର୍ଷାଙ୍କ ଆବେଦନ ଓ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ଏହା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ତେବେ ସେଠାରୁ ଗତକାଲି ଉଭୟଙ୍କୁ ଝଟକା ଲାଗିଛି। ବିଜେଡି ସାଂସଦ ଅନୁଭବ ମହାନ୍ତି କରିଥିବା ବିବାହ ବିଚ୍ଛେଦ ଆବେଦନ ଓ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନ, ଉଭୟକୁ କୋର୍ଟ ଖାରଜ କରିଛନ୍ତି। ତେବେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ।

Ollywood Actor Cuttack Ollywood Barsha-Anubhav Controversy