Advertisment

ପଶ୍ଚିମବଙ୍ଗରେ ବ୍ୟାନ ହେଲା The Kerala Story

The Kerala Storyକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

author-image
Jitendra Garnayak
The Kerala Story

The Kerala Story

ପଶ୍ଚିମବଙ୍ଗରେ ବ୍ୟାନ ହେଲା ବିବାଦୀୟ ଫିଲ୍ମ ‘The Kerala Story’। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ବଲିଉଡ୍ ଫିଲ୍ମ ‘Kashmir Files’ ଭଳି ପଶ୍ଚିମବଙ୍ଗକୁ ପୃଷ୍ଠଭୂମି କରି ଏକ ଫିଲ୍ମ ନିର୍ମାଣ କରିବାକୁ ବିଜେପି ପାଣ୍ଠି ଦେଇଥିବା ଅଭିଯୋଗ କରିବାର କିଛି ସମୟ ପରେ ମମତା ବାନାର୍ଜୀ ‘The Kerala Story’କୁ ବ୍ୟାନ ଘୋଷଣା କରିଥିଲେ।

Advertisment

‘The Kerala Story’ ଯେମିତି ରାଜ୍ୟର କୌଣସି ସିନେମା ହଲ୍‌ରେ ଚାଲି ପାରିବ ନାହିଁ, ସେନେଇ ସୁନିଶ୍ଚିତ କରିବାକୁ ମମତା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଓ ହିଂସା ଭଳି କୌଣସି ଅଘଟଣକୁ ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମମତା କହିଛନ୍ତି।

ଏହା ପୂର୍ବରୁ ରବିବାର (ଗତକାଲି) ତାମିଲନାଡୁର ସମସ୍ତ ମଲ୍‌ଟିପ୍ଲେକ୍ସରେ ଏହି ବିବାଦୀୟ ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରି ଦିଆଯାଇଥିଲା। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିପାରେ ତଥା ଲୋକେ ଏହାକୁ ଦେଖିବାକୁ ଆସିବେନି ବୋଲି ଆଶଙ୍କା କରି ଏମିତି ନିଷ୍ପତ୍ତି ନିଆଯାଇଥିବା ନେଇ ମଲ୍‌ଟିପ୍ଲେକ୍ସ ଗୁଡ଼ିକ ପକ୍ଷରୁ କୁହାଯାଇଥିଲା।

Advertisment

ସେହିପରି କେରଳ ସରକାର ମଧ୍ୟ ଫିଲ୍ମଟିକୁ ବିରୋଧ କରୁଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ସରକାର ତାଙ୍କ ରାଜ୍ୟରେ ‘The Kerala Story’କୁ ଟିକସ ମୁକ୍ତ କରିଛନ୍ତି। ସେହିପରି ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ ଯଦି ଫିଲ୍ମଟିକୁ ତାଙ୍କ ରାଜ୍ୟରେ ଟିକସ ମୁକ୍ତ କରିବା ଭଳି କିଛି ପ୍ରସ୍ତାବ ଆସେ ତା’ହେଲେ ତାହା ଅବଶ୍ୟ କରାଯିବ। ନିକଟରେ କର୍ଣ୍ଣାଟକାରେ ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମଟିକୁ ପ୍ରଶଂସା କରିଥିଲେ। ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ଏହି ଫିଲ୍ମ ଲୋକଲୋଚନକୁ ଆଣିଛି ବୋଲି ସେ କହିବା ସହିତ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ।

ଅଦା ଶର୍ମା ଅଭିନୀତ ‘The Kerala Story’ରେ କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀମାନଙ୍କର ଧର୍ମପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ କରାଯାଉଛି ଓ ପରେ ସେମାନଙ୍କୁ ଆଫଗାନିସ୍ତାନ, ୟେମେନ ଓ ସିରିୟା ଭଳି ଦେଶକୁ ପଠାଯାଇ ଇସଲାମ ପାଇଁ ଲଢ଼ିବାକୁ ଆତଙ୍କବାଦୀ ସଂଗଠନରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇ ଦିଆଯାଉଛି ବୋଲି ଦେଖାଯାଇଛି।

କେରଳର ଶାସକ ସିପିଆଇ (ଏମ୍) ଓ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୩୨ ହଜାର ମହିଳାଙ୍କ ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଇ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମୁତୟନ କରାଯାଇଛି ବୋଲି ‘The Kerala Story’ରେ ଯେଉଁ ଦାବି କରାଯାଇଛି, ତାହା ପୂରା ମିଛ। 

Mamata Banerjee West Bengal TMC The Kerala Story Adah Sharma