ଗିରଫ ହୋଇଥିବା ଅଭିନେତ୍ରୀ
ଜଣେ କନ୍ନଡ ଫିଲ୍ମ ନିର୍ଦ୍ଦେଶକଙ୍କ ଉପରେ ହୋଇଛି ଭୟଙ୍କର ଆକ୍ରମଣ। ନିର୍ଦ୍ଦେଶକଙ୍କୁ ଅପହରଣ ପରେ ନିର୍ମମ ଭାବେ ମାଡ଼ ମରାଯାଇ ତାଙ୍କୁ ଲୁଟ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ବେଙ୍ଗାଲୁରୁ(Bengaluru)ରୁ ଜଣେ ଅଭିନେତ୍ରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି।
ପୁଲିସ୍ କହିଛି ଯେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଟିଏ ଅନିଶ। ସେ ଅନୀଶ କ୍ରିଏସନ ନାଁରେ ଗୋଟିଏ ମଡେଲିଂ ଓ କାଷ୍ଟିଂ ଏଜେନ୍ସି ଚଳାନ୍ତି। ସେହିପରି ଏକାଧିକ ଆଲବମ ଗୀତ, ଶର୍ଟ ଫିଲ୍ମ ଓ ଗୋଟିଏ ଫିଚର ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଆର୍ଥିକ ବିବାଦ ଯୋଗୁ ତାଙ୍କୁ ଆକ୍ରମଣ କରାଯାଇଛି।
ଅନିଶଙ୍କ ମୂଳ ଘର ତାମିଲନାଡୁରେ। ଫେବୃଆରୀ ୧୧ରେ ସେ ଅଡୁଗୋଡି ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ। ଆକ୍ରମଣ ଯୋଗୁ ତାଙ୍କୁ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ପୁଲିସ୍କୁ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଆର୍ଶୀବାଦ ନାମକ ଜଣେ ଯୁବକଙ୍କ ଠାରୁ ଅନିଶ ଆଣିଥିବା ୨.୫ ଲକ୍ଷ ଋଣ ଓ ଅନିଶଙ୍କ ରିଲଜ ହୋଇ ନଥିବା ସିନେମା Jeevanada Bhasheରେ ଲକ୍ଷ୍ମୀ ନାରାୟଣ ନିବେଶ କରିବାକୁ ଥିବା ୫ରୁ ୬ ଲକ୍ଷ ଟଙ୍କାକୁ ନେଇ ହୋଇଥିବା ତିକ୍ତତା ବିବାଦର ମୂଳକାରଣ ବୋଲି ଜଣାପଡ଼ିଛି।
ବିବାଦ ଭିତରେ ୨ ମାସ ପୂର୍ବରୁ ଅନିଶ ମୁମ୍ବାଇ ଚାଲି ଯାଇଥିଲେ। ଏହାପରେ ବେଙ୍ଗାଲୁରୁର ଇନ୍ଦ୍ରାନଗର ଅଞ୍ଚଳରେ ଥିବା ନିଜର ମହିଳା ସହଯୋଗୀ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ନିଜର ହୁଣ୍ଡା ସିଆରଭି କାର ବିକ୍ରି କରିବା ସମ୍ପର୍କରେ କହିଥିଲେ। ଅଭିଯୁକ୍ତମାନେ ଏହି ସମ୍ପର୍କରେ ଜାଣିବା ସହ ଜଣେ କ୍ରେତାଙ୍କୁ ଖୋଜିବାରେ ସହଯୋଗ କରିବେ ବୋଲି ପ୍ରସ୍ତାବ ଦେଇଥିଲେ।
ଫେବୃଆରୀ ୯ରେ ଅନିଶ କାର ବିକ୍ରି କରିବା ପାଇଁ ମୁମ୍ବାଇରୁ ବେଙ୍ଗାଲୁରୁ ଆସିଥିଲେ। ସେ ଇନ୍ଦ୍ରାନଗର ଠାରେ ଐଶ୍ୱର୍ଯ୍ୟା, ଶାହିଦ ନାମକ ଜଣେ ଯୁବକ ଓ ଆଉ ଜଣଙ୍କୁ ଭେଟିଥିଲେ। ଗାଡ଼ି ଯାଞ୍ଚ କରିବା ଓ ଆଡଭାନ୍ସ ବାବଦ ଟଙ୍କା ଦେବା ଉଦ୍ଦେଶ୍ୟରେ ଅନିଶଙ୍କୁ ଗୋଟିଏ ଘରକୁ ନିଆଯାଇଥିଲା। ସେଠାରେ ଅଭିଯୁକ୍ମାନେ ନିଜର ଅସଲ ଚେହେରା ଦେଖାଇଥିଲେ।
ଗୋଟିଏ ରୁମରେ ଅନିଶଙ୍କୁ ଅଟକ ରଖିଥିଲେ। ଏହାପରେ ୫ରୁ ଜଣ ଲୋକ ତାଙ୍କୁ କ୍ରିକେଟ ଷ୍ଟମ୍ପ ଓ ହକି ଷ୍ଟିକରେ ପିଟିବାକୁ ଲାଗିଥିଲେ। ଅନିଶ ଆର୍ଥିକ ବିବାଦକୁ ନେଇ ରୁଜୁ କରିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ଏଥିସହ ଘଟଣା ସହ ଜଡ଼ିତ ସମସ୍ତ ପ୍ରମାଣ ନଷ୍ଟ କରିବାକୁ କହିଥିଲେ। ଅନିଶ ମନା କରିବାରୁ ସେମାନେ ମାଡ଼ ମାରି ଚାଲିଥିଲେ। ଏଥିଯୋଗୁ ଅନିଶ ଗୁରୁତର ହୋଇଥିଲେ।
ଆକ୍ରମଣ ସହ ସେମାନେ ଅନିଶଙ୍କ ଠାରୁ ୨୨ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟ କରିଥିଲେ। ଗୋଟିଏ ସୁନା ଚେନ, ମୁଦି ଓ ୩୦ ହଜାର ଟଙ୍କା ମଧ୍ୟ ସେମାନେ ନେଇ ଯାଇଥିଲେ। ମାଡ଼ ମାରିବା ପରେ ସେମାନେ ଗୋଟିଏ କାରରେ ଅନିଶଙ୍କୁ ତୁମକୁରୁ ଜିଲ୍ଲାର ମନ୍ଦାରଗିରି ହିଲ ନିକଟ ଗୋଟିଏ ପରିତ୍ୟକ୍ତ ସ୍ଥାନକୁ ନେଇଥିଲେ। ସେଠାରେ ଆଉ ୨ ଜଣ ବ୍ୟକ୍ତି ଅଭିଯୁକ୍ତଙ୍କ ସହ ସାମିଲ ହୋଇ ଅନିଶଙ୍କୁ ପୁଣି ମାଡ଼ ମାରିଥିଲେ।
ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ କରିବାକୁ ଚାହୁଁଥିଲେ। ସେମାନେ ଏଟିଏମ ଦ୍ୱାରା ୫,୫୦୦ ଟଙ୍କା ଉଠାଇବା ପରେ ଅନିଶଙ୍କୁ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ଆକ୍ରମଣ ବେଳେ ଲକ୍ଷ୍ମୀ ନାରାୟଣ ଭିଡିଓ କଲରେ ଉପସ୍ଥିତ ଥିଲେ। ସେ ସମସ୍ତଙ୍କୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଉଥିଲେ।
ଅନିଶଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିବା ସହ ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୬ଟି ମୋବାଇଲ, ସୁନା ଅଳଙ୍କାର, ଗୋଟିଏ କାର ଓ କିଛି ନଗଦ ଟଙ୍କା ଜବତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/26/anish-2026-02-26-19-39-41.jpg)