Advertisment

ଜଗା ଦୁଆରେ ଭୋ ଭୋ କାନ୍ଦିଲେ ବୁଢ଼ୀ ମାଉସୀ; କହିଲେ- ଆଉ କେବେ ଆସିବିନି

ଭୋ ଭୋ ହୋଇ କାନ୍ଦିବାରେ ଲାଗିଲେ ହାରମଣୀ ମାଉସୀ। ଆଉ କହିଲେ, ମୋର ଗୋଡ଼ହାତ କ’ଣ ହୋଇ ଯାଉଛି। ମୋତେ ଟିକେ ପଦାକୁ ନେଇ ଯାଅ। ମୁଁ ଆଉ ଛିଡ଼ା ହୋଇ ପାରିବି ନାହିଁ। ୫ ଘଣ୍ଟା ହେଲାଣି ଛିଡ଼ା ହୋଇଛି....।

author-image
Manoranjan Sial
ଅଦ୍ୟତନ ହୋଇଛି
Haramani

Haramani

କେତେ ଆଶା ନେଇ ଧାଇଁ ଆସିଥିଲେ ବୁଢ଼ୀ ମାଉସୀ। ଭାବିଥିଲେ ଧର୍ମ ମାସ କାର୍ତ୍ତିକରେ ଜଗା ଦର୍ଶନ କରି ବ୍ରତ ପାଳିବେ। ହେଲେ କ’ଣ ହେବ? ସିଂହଦ୍ୱାର ସମ୍ମୁଖରେ ଅସମ୍ଭାଳ ଜନ ସମୁଦ୍ରରେ ଫସିଗଲେ। ଧାଡ଼ିରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ତାଙ୍କ ତଣ୍ଟି ବାସ୍ପରୁଦ୍ଧ ହୋଇଗଲା। ଆକ୍‌ତା ମାକ୍‌ତା ହୋଇଗଲେ। ଭୋ ଭୋ ହୋଇ କାନ୍ଦିଲେ। ନିଜକୁ ଧିକ୍କାର କଲେ। କାନ୍ଦି କାନ୍ଦି କହିଲେ, ଆଉ କେବେ ଶ୍ରୀକ୍ଷେତ୍ର ଆସିବିନି।

Advertisment

କେନ୍ଦୁଝର ଜିଲ୍ଲା ଫକୀରପୁର ଅଞ୍ଚଳର ହାରମଣୀ ଦେବୀ। ବୟସ ୭୦ ବର୍ଷରୁ ଅଧିକ ହେବ। କାର୍ତ୍ତିକ ବ୍ରତ ପାଳିବାକୁ କେତେ ଆଶା କରି ଶ୍ରୀକ୍ଷେତ୍ର ଧାଇଁ ଆସିଥିଲେ। ଭାବିଥିଲେ ଜଗାକୁ ପାଖରୁ ଦେଖି ଯିବେ। ତେଣୁ ସକାଳୁ ଗାଧୋଇ ପାଧୋଇ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ରେ ଛିଡ଼ା ହୋଇଥିଲେ। ଅଖିଆ ଅପିଆ ୫ ଘଣ୍ଟାରୁ ଅଧିକ ସମୟ ଧରି ଛିଡ଼ା ହୋଇଥିଲେ। ଆଉ ବେଶୀ ସମୟ ଛିଡ଼ା ହୋଇପାରିଲେ ନାହିଁ। ଗହଳି ଭିତରେ ତଣ୍ଟି ବାସ୍ପରୁଦ୍ଧ ହୋଇଯାଇଥିଲା। ତାହାରି ଭିତରେ ଲୁହା ବ୍ୟାରିକେଡ୍‌କୁ ଧରି ବସି ପଡ଼ିଲେ। ଦୁଇ ଆଖିରୁ ବୋହି ଯାଉଥିଲା ଲୁହର ଧାର।

ଭୋ ଭୋ ହୋଇ କାନ୍ଦିବାରେ ଲାଗିଲେ ହାରମଣୀ ମାଉସୀ। ଆଉ କହିଲେ, ମୋର ଗୋଡ଼ହାତ କ’ଣ ହୋଇ ଯାଉଛି। ମୋତେ ଟିକେ ପଦାକୁ ନେଇ ଯାଅ। ମୁଁ ଆଉ ଛିଡ଼ା ହୋଇ ପାରିବି ନାହିଁ। ୫ ଘଣ୍ଟା ହେଲାଣି ଛିଡ଼ା ହୋଇଛି। ଏମିତି କେତେକ କ’ଣ କହି ପକାଇଲେ। ହେଲେ ଦୁଃଖର ବିଷୟ ବୁଢ଼ୀ ମାଉସୀଙ୍କ ପରି ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ପାଖରେ କୌଣସି ପୁଲିସ୍‌ କର୍ମଚାରୀ ମଧ୍ୟ ନଥିଲେ।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କ ଚିତ୍କାର ପରେ ପୁଲିସ୍‌ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ବୁଢ଼ି ମାଉସୀଙ୍କୁ ଉଦ୍ଧାର କରିଥିଲେ। ବ୍ୟାରିକେଡ୍‌ରୁ ବାହାରିବା ପରେ କଇଁ କଇଁ ହୋଇ କାନ୍ଦୁଥିଲେ ବୁଢ଼ୀ ମାଉସୀ। ଆଉ କହିଥିଲେ, ଜୀବନରେ ଆଉ କେବେ ଆସିବିନି... ମୋର ଗୋଡ଼ହାତ କ’ଣ ହୋଇଗଲାଣି। .... କି ବ୍ୟବସ୍ଥା କରିଛନ୍ତି ଏ ଗୁଡ଼ାକ, ଛି...। ମାରିଦେବେ... ସବୁ ଜଗିକି ଅଛନ୍ତି ବୋଲି ବୁଢ଼ୀ ମାଉସୀ କୋହଭରା କଣ୍ଠରେ କହିଥିଲେ।

ସୂଚନାରୁ ପ୍ରକାଶ, ଦୁଇ ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ବୟସ୍କ ଓ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବୟସ୍କ ବ୍ୟକ୍ତିମାନଙ୍କୁ ଶ୍ରୀମନ୍ଦିର ଭିତରକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଧାଡ଼ିରେ ଯିବାକୁ ପଡ଼ିବ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି, ତାହାହେଲେ ୭୦ ବର୍ଷୀୟା ହାରମଣୀ ମାଉସୀଙ୍କ କାହିଁକି ଦୀର୍ଘ ୫ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା? ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିରର ଏପରି ମାନବକୃତ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦି ମୁଖ୍ୟ ପ୍ରଶାସକ। ନିଜର ଅଯୋଗ୍ୟ ପଣିଆକୁ ଲୁଚାଇବାକୁ ଯାଇ ବୟସାଧିକ ଓ ରୋଗାକ୍ରାନ୍ତଙ୍କୁ ଆସିବାକୁ ମନା କରିଛନ୍ତି ମୁଖ୍ୟ ପ୍ରଶାସକ। ସେ କହିଛନ୍ତି, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ। ଯେଉଁ ସମୟରେ କମ ଭିଡ଼ ଥିବ, ସୂଚନା ନେଇ ଆସିଲେ ଭଲ ହେବ। ଆଗ୍ରହ ସହ ସ୍ୱାସ୍ଥ୍ୟ ଅବସ୍ଥା ଦୃଷ୍ଟିରେ ରଖି ଆସିବାକୁ ଅନୁରୋଧ। କାର୍ତ୍ତିକ ମାସରେ ଏବେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ଦର୍ଶନ କରିବାକୁ ଆସି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଉଛନ୍ତି। ଆଜି ଦୀର୍ଘ ସମୟ ଧାଡ଼ିରେ ରହି କିଛି ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Puri Shreemandir Puri Sri Jagannath