Rabi and Jagannath
ଜଣେ ଦେଖିପାରୁନାହାନ୍ତି, ଆଉ ଜଣେ ଚାଲି ପାରୁନାହାନ୍ତି। ତଥାପି ଦୁହେଁ ବନ୍ଧୁତ୍ୱ ଡୋରିରେ ବାନ୍ଧି ହୋଇଛନ୍ତି। କେହି କାହାଠାରୁ ଦୂରେଇ ଯିବାକୁ କେବେ ଭାବି ପାରିନାହାନ୍ତି। ଏମିତିକା ଦୁଇ ବନ୍ଧୁ ହେଉଛନ୍ତି ରବି ଓ ଜଗନ୍ନାଥ। ଖାଲି ବନ୍ଧୁ ନୁହଁନ୍ତି, ଜଗନ୍ନାଥଙ୍କ ଆଖିରେ ଦୁନିଆ ଦେଖୁଛନ୍ତି ରବି। ଇଏ ହେଉଛନ୍ତି ସେହି ରବି, ଯିଏ ଏକ ଦୁର୍ଘଟଣାରେ ହରାଇଥିଲେ ନିଜ ଦୃଷ୍ଟି ଶକ୍ତି। ସେତେବେଳେ ଏ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା।
ଯାଜପୁର ଜିଲ୍ଲାର ରବି ମଲ୍ଲିକ। ନିଜ ଆଖିରେ ଦୁନିଆକୁ ଦେଖିପାରୁଥିଲେ। ହେଲେ ଅବେଳରେ ମାଡ଼ି ଆସିଲା ଅଦିନ ଝଡ଼। ଆଉ ସେହି ଝଡ଼ରେ ସବୁ ଦିନ ପାଇଁ ରବି ହରାଇଥିଲେ ନିଜର ଦୁଇଆଖି। ୨୦୦୨ ମସିହାରେ ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଭୁବନେଶ୍ୱରରେ ବେଲୁନ ଗ୍ୟାସ ଫାଟିବାରୁ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ ରବି। ତଥାପି ସେ ଭାଙ୍ଗିପଡ଼ିନଥିଲେ। ଜୀବନକୁ ଆଉ ଥରେ ଗଢ଼ିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ରବି।
କଳା ପ୍ରିୟ ଥିଲେ ରବି। ନିଜର ଦୁଇ ଆଖି ହରାଇଥିଲେ ମଧ୍ୟ ସଂଗୀତ ପ୍ରତି ରଖିଥିବା ନିଶାଠାରୁ କେବେ ଦୂରେଇ ଯାଇନଥିଲେ। ୨୦୧୫ ମସିହାରେ ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ। ସେଇଠି ଗଞ୍ଜାମର ଜଗନ୍ନାଥ ମହାରାଣାଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ଭଗବାନ ଲୀଳା କେମିତି ଦେଖନ୍ତୁ, ଆଖି ହରାଇଥିବା ରବିଙ୍କୁ ମିଳିଥିଲେ ଚାଲି ପାରୁନଥିବା ଜଗନ୍ନାଥଙ୍କ ପରି ବନ୍ଧୁଙ୍କ ସାଥ୍। ପ୍ରଥମ ଦେଖାରେ ଉଭୟ ବନ୍ଧୁତ୍ୱ ଡୋରିରେ ବାନ୍ଧି ହୋଇଯାଇଥିଲେ। ଆଉ ତା’ପରଠାରୁ କେବେ ଜଣେ ଅନ୍ୟ ଜଣଠାରୁ ଦୂରେଇ ଯାଇନାହାନ୍ତି।
ରବିଙ୍କ ପିଠିରେ ଜଗନ୍ନାଥସେମାନଙ୍କ ବନ୍ଧୁତ୍ୱକୁ ଇତି ମଧ୍ୟରେ ବିତିଗଲାଣି ୮ ବର୍ଷ। ରବି ଓ ଜଗନ୍ନାଥ ଏକାଠି ଯାନି ଯାତ୍ରାଠୁ ଆରମ୍ଭ କରି ମନ୍ଦିର ବଜାର ସବୁଠି ଯାଉଛନ୍ତି। ଜଗନ୍ନାଥଙ୍କ ଆଶାବାଡ଼ି ସାଜିଛନ୍ତି ରବି। ଯେଉଁଠିକି ଗଲେ ରବିଙ୍କ ପିଠିରେ ନାଉ ହୋଇ ଯାଉଛନ୍ତି ଜଗନ୍ନାଥ। ଏବେ ଭୁବନେଶ୍ୱର ପଟେଲ ବସ୍ତିରେ ରୁହନ୍ତି। ପାରିବାରିକ ଜୀବନରୁ ଫୁରସତ ପାଇଲେ ମନ୍ଦିର ବାରଣ୍ଡାରେ ବସି ସୁଖଦୁଃଖ ହୁଅନ୍ତି। ଆଉ କେତେବେଳେ ଜଗନ୍ନାଥଙ୍କୁ ହ୍ୱିଲ୍ ଚେୟାରେ ବସାଇ ମାର୍କେଟ ବୁଲାଇ ନେଉଛନ୍ତି ରବି। ଖାଲି ସେତିକି ନୁହେଁ, ରବି ଦେଖିପାରୁନଥିଲେ କ’ଣ ହେଲା, ବନ୍ଧୁ ଜଗନ୍ନାଥଙ୍କ ପାଇଁ ନିଜ ମନ ପସନ୍ଦର ପୋଷାକ କିଣିଆଣି ଉପହାର ସ୍ୱରୂପ ଦେଉଛନ୍ତି। ସବୁ ଅଭାବ ଅନଟନ ଭିତରେ ମଧ୍ୟ ଏମିତି ହସଖୁସିରେ କଟୁଛି ଉଭୟଙ୍କ ବନ୍ଧୁତା। ରକ୍ତର ସଂପର୍କ ସିନା ନାହିଁ, କିନ୍ତୁ ସେମାନଙ୍କ ନିବିଡ଼ ସଂପର୍କ ପାଖରେ ବାକି ସବୁ କିଛି ଫିକା ପଡ଼ିଛି।
ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us