ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ସଂପନ୍ନ

ପରମ୍ପରା ଅନୁସାରେ ନୃସିଂହ ମହାପ୍ରଭୁ ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ ଓ ଖଜା ଦେଇ ଦିଅଁ ମାନଙ୍କୁ ଭୋଳାବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ସଂପନ୍ନ

  • Published: Saturday, 08 June 2024
  • , Updated: 08 June 2024, 09:10 AM IST

ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ସହର। ଦେବ ବିବାହ ପାଇଁ ଧୁମ୍‌ଧାମ୍‌ରେ ଚାଲିଛି ପ୍ରସ୍ତୁତ। ଶିବ-ପାର୍ବତୀଙ୍କ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ଓ ଗୁଆଗୁଣ୍ଡା ସମ୍ପନ୍ନ ହୋଇଛି।

ପରମ୍ପରା ଅନୁସାରେ ନୃସିଂହ ମହାପ୍ରଭୁ ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ ଓ ଖଜା ଦେଇ ଦିଅଁ ମାନଙ୍କୁ ଭୋଳାବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

ଦେବ ନିମନ୍ତ୍ରଣ ଶୋଭାଯାତ୍ରା ପୂର୍ବରୁ ସଂଧ୍ୟାରେ ନୃସିଂହ ମହାପ୍ରଭୁଙ୍କୁ ଏକ ସୁସଜ୍ଜିତ ବିମାନରେ ଉପବେସନ କରାଯାଇଥିଲା। ପରେ ପାରମ୍ପାରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ଆଳତି କରାଯାଇଥିଲା। ଏହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଆଜି ଅନ୍ୟ ସମସ୍ତ ପଡ଼ାରେ, ଶିବ ମନ୍ଦିରମାନଙ୍କରୁ ବାହାରିବ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ଓ ପତରପେଣ୍ଡି। ଆସନ୍ତା ୧୦ ତାରିଖରେ ଶିବ ବିବାହ ଲଗ୍ନ ରହିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଶିବ-ପାର୍ବତୀ ବିବାହ ପୂର୍ବରୁ ଦେବ ନିର୍ବନ୍ଧ କାର୍ଯ୍ୟ ଅର୍ଥାତ ପତରପେଣ୍ଡି ସରିଥିଲା।

Related story