Advertisment

ରାତି ପାହିଲେ ପ୍ରବାସୀ ଭାରତୀୟ ଦିବସ, ଉତ୍ସବମୁଖର ଭୁବନେଶ୍ୱର

ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର କରୁଛନ୍ତି ଆୟୋଜନ।

ଅଦ୍ୟତନ ହୋଇଛି
PBD

PBD

Advertisment

ରାତି ପାହିଲେ ପ୍ରବାସୀ ଭାରତୀୟ ଦିବସ। ପ୍ରଥମ ଥର ପାଇଁ ଓଡ଼ିଶା କରୁଛି ଆୟୋଜନ । ସେଥିପାଇଁ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ଭାରତୀୟ ନାଗରିକ। ରାଜ୍ୟର ୭ଟି ସ୍ଥାନ ବୁଲିବେ ପ୍ରବାସୀ। ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ।

Advertisment

ଆସନ୍ତାକାଲି ଯୁବ ସମାବେଶରୁ ଆରମ୍ଭ ହେବ ଏହି ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧିତ କରିବେ ବୈଦଶିକ ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ହେବ ଆଲୋଚନା।

୯ ତାରିଖ (ଗୁରୁବାର) ଆନୁଷ୍ଠାନିକ ଭାବେ ଏହି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ସହ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି  ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ। ୧୦ ତାରିଖ ଦିନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶେଷ ଦିନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କର ମଧ୍ୟ ଏକ ସେସନ ରହିବ। ସେହିପରି ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ।

Advertisment

ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର କରୁଛନ୍ତି ଆୟୋଜନ। ଏ ସବୁ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରାର ପ୍ରସାର ଉଦ୍ଦେଶ୍ୟ ରହିଛି। ଏକାମ୍ର ପାର୍କରେ ଆୟୋଜନ ହୋଇଛି ୫ ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ, ଯାହାକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଗତକାଲିଠୁ ରାଜଧାନୀରେ ଆରମ୍ଭ ହୋଇଛି ପାର୍କ ଫେଷ୍ଟିଭାଲ। ବିଭିନ୍ନ ପାର୍କରେ ମ୍ୟୁଜିକ ଫାଉଣ୍ଟେନ୍ ଏବଂ ଲେଜର ଶୋ ଜରିଆରେ ରାଜ୍ୟର କଳା ସାହିତ୍ୟ ସଂସ୍କୃତି ଓ ପରମ୍ପରା ଆଦି ପ୍ରଦର୍ଶିତ ହେଉଛି। ସେହିପରି ରାଜ୍ୟ ସଂଗ୍ରହାଳୟ ମଧ୍ୟ ରାତି ୯ଟା ଯାଏଁ ଖୋଲିବାକୁ ନିଷ୍ପତ୍ତି ହୋଇଛି।  ପ୍ରବାସୀଙ୍କ ପାଇଁ ସଂଗ୍ରହାଳୟରେ ଆଉ ୯ଟି ଗ୍ୟାଲେରୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ରହିଛି ଓଡ଼ିଶାର ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀବିଜ୍ଞାନ, ଖଣି ଏବଂ ଭୂତତ୍ତ୍ୱ, କଣ୍ଢେଇ, ଓଡ଼ିଶା ଜନଜାତି ଏବଂ ହସ୍ତତନ୍ତ ଗ୍ୟାଲେରୀ।

ସେହିପରି ଆଜିଠୁ ୧୧ ତାରିଖ ଯାଏଁ ରାଜାରାଣୀ ମନ୍ଦିର ଠାରେ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ-୨୦୨୫ ଏବଂ ରାଜ୍ୟ ସଂଗ୍ରହାଳୟ ଠାରେ ଲୋକ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅନ୍ୟପଟେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଦେବ ପ୍ରବାସୀଙ୍କୁ ରାଜ୍ୟ ଏବଂ ଦେଶର ଜନଜାତି କଳା ସଂସ୍କୃତିର ଜ୍ଞାନ। ପ୍ରବାସୀଙ୍କ ପାଇଁ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରେ ୫ଟି ଡବଲ ଡେକର ବସ୍‌, ୧୦ଟି ହଫ୍ ଅନ୍ ହଫ ଅଫ୍ ବସ୍ ଓ ୨୫ଟି ଶ୍ରୀମନ୍ଦିର ପ୍ରଶାସନର ବସ୍ ଚାଲିବ।

Pravasi Bharatiya Divas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe