Advertisment

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ

ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhubaneswar Pradhan

Bhubaneswar Pradhan

ଏଥର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। ଜୁରୀ ସଦସ୍ୟମାନେ କଂସ ଭୂମିକା ପାଇଁ ତାଙ୍କ ନାଁ ଉପରେ ମାରିଛନ୍ତି ମୋହର। ଉତ୍ତମ ଅଭିନୟ ଓ ଉଚ୍ଚକୋଟୀର ସଂଳାପ ପାଇଁ ଅନ୍ୟ ତିନି ଜଣଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ ବାଜି ମାରିଛନ୍ତି।

Advertisment

ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ୫ଥର କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି। ଶେଷଥର ପାଇଁ ସେ ୨୦୨୦ରେ କଂସ ମହାରାଜା ଭୂମିକାରେ ଅଭିନୟ କରିଥିଲେ।

ଷଷ୍ଠ ଥର ଏହି ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇବା ପରେ ଭୁବନେଶ୍ୱର ପ୍ରଧାନ କହିଛନ୍ତି, ଏଥର ସୁଯୋଗ ମିଳିଥିବାରୁ ମୁଁ ଆନନ୍ଦିତ ଓ ଗର୍ବିତ। ଧନୁଯାତ୍ରା ପାଇଁ ଆଉ ମାସେ ସମୟ ଅଛି। ନୂତନ ସଂଳାପ, ନୂତନ ଅଭିନୟ ଓ ନୂତନ ପୌରାଣିକ କଥାବସ୍ତୁକୁ ନେଇ ଏଥର କମ୍ପିବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।

Advertisment

ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହା ହେବ ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ଗତ ଦୁଇ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ । ସେ ଏ ବର୍ଷ ମଧ୍ୟ ଏହି ଭୂମିକାରେ କରିଥା’ନ୍ତେ। କିନ୍ତୁ ସରକାରୀ ଚାକିରି କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ନିଲମ୍ବିତ ହେବା ପରେ ତାଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେବା ଉଚିତ୍ ହେବ ନାହିଁ ବୋଲି କହିଥିଲା ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି। ଏହି କମିଟି ସୁପାରିଶ କରିଥିଲା ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି, ତେଣୁ ଏଥର ସେ ଧନୁଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିଯାଇପାରେ। ସେ ଦୋଷମୁକ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ଅବ୍ୟାହତି ଦେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ। ଆଉ ସେମାନଙ୍କ ସୁପାରିଶକୁ କାର୍ଯ୍ୟକାରୀ କମିଟି ଗ୍ରହଣ କରିଥିଲା।

ଏଥର କେବଳ ଗୋଟିଏ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ବଛା ଯାଇଥିବାରୁ ପୂର୍ବଭଳି ଚୟନ କରାଯାଇନଥିଲା। ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇ ୨ରୁ ୫ ନମ୍ବର ସ୍ଥାନରେ ରହିଥିବା ୪ କଳାକାରଙ୍କୁ ଅଡିସନ ପାଇଁ ଡକା ଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଭୁବନେଶ୍ୱର ପ୍ରଧାନଙ୍କ ସହିତ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର ଓ ସୁଶୀଲ କୁମାର ମେହେର। ହେଲେ ସମସ୍ତଙ୍କୁ ପଛରେ ପକାଇ
କଂସ ଭୂମିକାରେ ଅଭିନୟ ପାଇଁ ମନୋନୀତ ହୋଇଛନ୍ତି ବରଗଡ଼ ବ୍ଲକ ସର୍ଲା ଗାଁର ଭୁବନେଶ୍ୱର ପ୍ରଧାନ।

Bargarh Dhanu Yatra