ଭାଲଚନ୍ଦ୍ର ଷଡ଼ଙ୍ଗୀ
ଜନ୍ମର ଆଧାରରେ ଭେଦଭାବକୁ ସୃଷ୍ଟି କରୁଥିବା ଅମାନବୀୟ ଜାତି ବ୍ୟବସ୍ଥା ଓ ତା’ର ଆଧାରରେ ନିଜ ଠାରୁ ତଳ ଜାତି କୁହାଯାଉଥିବା ଲୋକଙ୍କୁ ଘୃଣା, ନିର୍ଯ୍ୟାତନା ଓ ହିଂସାର ଆଚରଣ ଯୁଗ ଯୁଗ ଧରି ଭାରତୀୟ ସମାଜର ଏକ ନିଷ୍ଠୁର ବାସ୍ତବତା ହୋଇ ଆସିଛି। ଶୁଦ୍ର ଓ ଦଳିତ ରୂପେ ପରିଚିତ ତଥାକଥିତ ତଳଜାତିର ଲୋକଙ୍କ ଅତିରିକ୍ତ ଶ୍ରମକୁ ଶୋଷଣ କରିବାକୁ ହଜାର ହଜାର ବର୍ଷ ତଳେ ସୃଷ୍ଟି ହୋଇଥିବା ଏହି ଘୃଣ୍ୟ ଚତୁଃବର୍ଣ୍ଣ ବ୍ୟବସ୍ଥା ଓ ପରେ ଜାତିବ୍ୟବସ୍ଥା ସ୍ୱାଧୀନତାର ଦୀର୍ଘ ସାତ ଦଶକ ପରେ ବି ସମାଜରେ ଅବ୍ୟାହତ ରହିଛି। ଆଜି ବି ଆମ ସମାଜରେ ଜାତିଗତ ଘୃଣା, ଶୋଷଣ ଓ ଅତ୍ୟାଚାରର ଅତ୍ୟନ୍ତ କୃର ତଥା ବିଭତ୍ସ ରୂପ ବାରମ୍ବାର ଦେଖିବାକୁ ମିଳୁଛି।
ତେବେ ସମାଜରୁ ଏହି ଅମାନବୀୟ ଜାତି ବ୍ୟବସ୍ଥାର ଉନ୍ମୁଳନ ପାଇଁ ଅତିତରେ ଆମ ଦେଶରେ ଅନେକ ସମାଜ ସଂସ୍କାରକ ଆଗେଇ ଆସିଛନ୍ତି। ମହାରାଷ୍ଟ୍ରର ମହାତ୍ମା ଜ୍ୟୋତିବା ଫୁଲେ ଓ ତାଙ୍କ ପତ୍ନୀ ସାବିତ୍ରୀବାଇ ଫୁଲେ, କେରଳର ଆୟଂକଲି, ସୋଦରନ୍ ଆୟାପ୍ପାନ୍, କର୍ଣ୍ଣାଟକର ନାରାୟଣ ଗୁରୁ, ତାମିଲନାଡ଼ୁର ରାମସ୍ୱାମୀ ପେରିୟାର, ପଶ୍ଚିମବଙ୍ଗର ହରିଚାନ୍ଦ-ଗୁରୁଚାନ୍ଦ ଠାକୁର, ଡ଼ଃ ବି.ଆର୍ ଆମ୍ବେଦକରଙ୍କ ଠାରୁ ଆରମ୍ଭ କରି ଓଡ଼ିଶାରେ ଭୀମ ଭୋଇଙ୍କ ପର୍ଯ୍ୟନ୍ତ ଅନେକ ସମାଜ ସଂସ୍କାରକ ନିଜ ନିଜର ତ୍ୟାଗ ଓ ଉଦ୍ୟମ ବଳରେ ଜାତି ବ୍ୟବସ୍ଥା ବିରୁଦ୍ଧରେ ଜନଗଣଙ୍କୁ ସଚେତିନ କରିବା ସହ ସଂଗଠିତ ମଧ୍ୟ କରିପାରିଛନ୍ତି।
ତେବେ ଦେଶରେ ଜାତି ବିରୋଧୀ ଆନ୍ଦୋଳନରେ ସବୁଠାରୁ ଲୋକପ୍ରିୟ ଚେହେରା ଭାବେ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକର ରହି ଆସିଛନ୍ତି। ମହାରାଷ୍ଟ୍ରର ଏକ ଦଳିତ ପରିବାରରେ ଜନ୍ମିତ ଡ଼ଃ ଆମ୍ବେଦକର, ପିଲାଦିନରୁ ଜାତିଗତ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ସେ ନିଜର ଦୃଢ଼ ଅଧ୍ୟବସାୟ ବଳରେ ଉଚ୍ଚ ଶିକ୍ଷାଲାଭ କରି ପାରିଥିଲେ। ସେ ଜଣେ ଅସାଧାରଣ ବୌଦ୍ଧିକ ଶକ୍ତିର ଅଧିକାରୀ ଥିଲେ ଏବଂ ତାଙ୍କ ସମୟର ଅନ୍ୟତମ ପ୍ରଖର ବୁଦ୍ଧିଜୀବୀ ଥିଲେ। ଭାରତର ସମ୍ବିଧାନ ତିଆରି ସଭାରେ ସେ ସବୁଠାରୁ ଅଧିକ ପାଠ ପଢ଼ିଥିବା ବ୍ୟକ୍ତି ଥିଲେ। ଉଭୟ ଆଇନ ଓ ଅର୍ଥନୀତିରେ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ୍ ପରି ବିଶ୍ୱର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନମାନଙ୍କରୁ ତିନି ତିନି ଥର ପିଏଚ୍ଡ଼ି ଲାଭ କରିଥିଲେ। ତେବେ ତାଙ୍କୁ କେବଳ ଜଣେ ଦଳିତ ଚିନ୍ତକ ଭାବେ ସୀମୀତ କରିବା ତାଙ୍କର ବୌଦ୍ଧିକତା ପାଇଁ ଅନ୍ୟାୟ ହେବ। କାରଣ ସେ କେବଳ ଜାତି ପ୍ରସଙ୍ଗ ନୁହେଁ, ଅର୍ଥନୀତି, ଧର୍ମ, ସଂସ୍କୃତି, ଇତିହାସ ଆଦି ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ତାଙ୍କର ଗଭୀର ଅଧ୍ୟୟନ ଥିଲା ଏବଂ ସେ ନିଜର ଲେଖା ମାଧ୍ୟମରେ ସେସବୁ ସମ୍ପର୍କରେ ଦୃଢ଼ ମତ ପୋଷଣ କରିଥିଲେ।
ଆମ୍ବେଦକର ଯେଉଁଭଳି ଜ୍ଞାନର ଅଧିକାରୀ ଥିଲେ, ସେ ଚାହିଁଥିଲେ ବିଦେଶରେ ଏକ ଆରାମଦାୟକ ଜୀବନ ଅତିବାହିତ କରି ପାରିଥାନ୍ତେ। କିନ୍ତୁ ସେ ନିଜର ସ୍ୱାର୍ଥ ଅପେକ୍ଷା ସମାଜର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥିଲେ। ଜଣେ ଦଳିତ ବା ଅସ୍ପୃଶ୍ୟ ଭାବେ ସେ ପିଲାଟି ବେଳରୁ ସାମନା କରି ଆସିଥିବା ଅମାନବୀୟ ଜାତିଗତ ବିଦ୍ୱେଷ ଓ ହିଂସା ଯେପରି ଭବିଷ୍ୟତରେ ଅନ୍ୟମାନଙ୍କୁ ସାମନା କରିବାକୁ ପଡ଼ିବନି ସେଥିପାଇଁ ଏକ ସଂଘର୍ଷର ରାସ୍ତାକୁ ବାଛିଥିଲେ। ପ୍ରଥମେ ବ୍ରାହ୍ମଣବାଦୀ ଜାତି ବ୍ୟବସ୍ଥା ଓ ତା’ର ସଂରକ୍ଷକ ସନାତନୀ ହିନ୍ଦୁଧର୍ମର ବିଭିନ୍ନ ଧର୍ମଗ୍ରନ୍ଥର ଆମୂଳଚୂଳ ଅଧ୍ୟୟନ କରିବା ସହ ସେସବୁ କିପରି ସମାଜରେ ଜାତିବ୍ୟବସ୍ଥାକୁ ସ୍ୱୀକୃତି ଦେଇଛନ୍ତି, ତାକୁ ସେ ଜାଣିପାରିଥିଲେ। ନିଜର ଗଭୀର ଅଧ୍ୟୟନର ଆଧାରରେ ସେ ଜାତି ପ୍ରସଙ୍ଗ ଉପରେ ଅନେକ ଗୁଡ଼ିଏ ପୁସ୍ତକ ଓ ଲେଖା ଲେଖିଥିଲେ। ଜାତି ବ୍ୟବସ୍ଥାର ଉନ୍ମୁଳନ ପାଇଁ ଡ଼ଃ ଆମ୍ବେଦକର ପ୍ରଥମେ ନିଜକୁ ବୌଦ୍ଧିକ ଭାବେ ସୁଦୃଢ଼ କରିବା ପରେ ସେ ଏହାର ଶିକାର ହେଉଥିବା ସମାଜର ଦଳିତ ବର୍ଗର ଲୋକଙ୍କୁ ସଙ୍ଗଠିତ କରିବାର ଆବଶ୍ୟକତାକୁ ଅନୁଭବ କରିଥିଲେ। ଯେକୌଣସି ଶୋଷିତ ଓ ନିଷ୍ପେଷିତ ଜାତି ମୁଣ୍ଡ ଟେକି ଠିଆ ହେବାକୁ ହେଲେ ସେହି ଜାତିର ଲୋକଙ୍କ ମଧ୍ୟରେ ଆତ୍ମସମ୍ମାନବୋଧ ସୃଷ୍ଟି ହେବା ସବୁଠାରୁ ଜରୁରୀ ବୋଲି ସେ ଅନୁଭବ କରିଥିଲେ।
ଏହିକ୍ରମରେ ସେ ଦଳିତମାନଙ୍କୁ ସଙ୍ଗଠିତ କରିବା ସହ ପ୍ରଥମ ଥର ପାଇଁ ସେମାନଙ୍କ ମଧ୍ୟରେ ଏକ ଆତ୍ମସମ୍ମାନବୋଧ (ଅସ୍ମିତାବୋଧ) ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ନେତୃତ୍ୱରେ ଅନେକ ଗୁଡ଼ିଏ ଜାତିରେ ଭାଗ ଭାଗ ହୋଇ ରହିଥିବା ଅସ୍ପୃଶ୍ୟ ସମ୍ପ୍ରଦାୟଗୁଡ଼ିକର ଲୋକମାନେ ଅନୁସୂଚୀତ ଜାତି ବା ଦଳିତ ଭାବେ ନିଜକୁ ପରିଚିତ କରାଇବାକୁ ଲାଗିଲେ। ସେତେବେଳେ ହିନ୍ଦୁଧର୍ମର ମନ୍ଦିର ଏପରିକି ସର୍ବସାଧାରଣ ପୋଖରୀରେ ଦଳିତମାନଙ୍କ ପ୍ରବେଶ ପାଇଁ ଅନୁମତି ନଥିଲା। ଡ଼ଃ ଆମ୍ବେଦକର ଏହା ବିରୁଦ୍ଧରେ ପ୍ରତୀକାତ୍ମକ ଭାବେ ପ୍ରତିବାଦ ସ୍ୱରୂପ ଦଳିତ ଲୋକଙ୍କୁ ନେଇ ମହାରାଷ୍ଟ୍ରର ମାହାଡ଼ରେ ସର୍ବସାଧାରଣ ପୋଖରୀରୁ ପାଣି ପିଇବାର ଅଭିଯାନ କରିଥିଲେ। ସେହିପରି ଜାତିଗତ ବିଦ୍ୱେଷ ନେଇ ଦଳିତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଯେଉଁ ପ୍ରତିବନ୍ଧକ ରହିଥିଲା, ସେହି ପରମ୍ପରାକୁ ଭାଙ୍ଗିବା ପାଇଁ ସେ ୧୯୩୦ ମସିହା ମାର୍ଚ୍ଚ ୨ ତାରିଖରେ ନିଜ ସମର୍ଥକମାନଙ୍କ ସହ ନାସିକ ସହରର ପ୍ରସିଦ୍ଧ କାଲାରାମ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
ବ୍ରାହ୍ମଣବାଦୀ ଜାତି ବ୍ୟବସ୍ଥା ଓ ସନାତନୀ ହିନ୍ଦୁଧର୍ମ ଯେ ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ୱ ଏବଂ ସମାଜରେ ଜାତିପ୍ରଥାକୁ ଭଗବାନ ସୃଷ୍ଟି କରିଛନ୍ତି ବୋଲି କହି ତାକୁ ବଂଚେଇ ରଖିବାରେ ହିନ୍ଦୁଧର୍ମର ଧର୍ମଗ୍ରନ୍ଥଗୁଡ଼ିକ ବଡ଼ ଭୂମିକା ଗ୍ରହଣ କରି ଆସିଛନ୍ତି, ଡ଼ଃ ଆମ୍ବେଦକର ତା’କୁ ଜାଣିପାରିଥିଲେ। ଏହିକ୍ରମରେ ସେ ଜାତିବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସବୁଠାରୁ ବେଶୀ ଭୂମିକା ଗ୍ରହଣ କରିଥିବା ହିନ୍ଦୁଧର୍ମର ‘ମନୁସ୍ମୃତି’କୁ, ଜାତି ବ୍ୟବସ୍ଥାର ସନନ୍ଦ ବୋଲି କହି ୨୫ ଡ଼ିସେମ୍ବର ୧୯୨୭ରେ ତା’କୁ ସର୍ବସାଧାରଣରେ ପୋଡ଼ିଥିଲେ। ବ୍ରାହ୍ମଣବାଦୀ ହିନ୍ଦୁଧର୍ମ ଭିତରେ ଦଳିତମାନଙ୍କୁ ମାନବୀୟ ସମ୍ମାନ କଦାପି ମିଳିବ ନାହିଁ ବୋଲି ସେ ନିଜ ଜୀବନ କାଳ ମଧ୍ୟରେ ନିଶ୍ଚିତ ହୋଇଯାଇଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ହିନ୍ଦୁ ପରିବାରରେ ଜନ୍ମ ହେବା ମୋର ହାତରେ ନଥିଲା, କିନ୍ତୁ ମୁଁ ଯେ ଆଉ ଜାତିଗତ ଭେଦଭାବ ଆଧାରିତ ହିନ୍ଦୁ ଧର୍ମର ଅନୁଗାମୀ ହୋଇ ଯେ ମରିବିନି, ଏକଥା ମୋରି ହାତରେ ରହିଛି’। ଏହିକ୍ରମରେ ସେ ଅନେକ ବିଚାର ବିମର୍ଶ ପରେ ମୃତ୍ୟୁର ଦୁଇ ମାସ ପୂର୍ବରୁ ହିନ୍ଦୁଧର୍ମକୁ ଛାଡ଼ି ନିଜର ହଜାର ହଜାର ଅନୁଗାମୀଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।
ଜାତି ବ୍ୟବସ୍ଥା ବିରୁଦ୍ଧରେ ଡ଼ଃ ଆମ୍ବେଦକରଙ୍କ ସଂଗ୍ରାମ ଦେଶର ଅନୁସୂଚୀତ ବର୍ଗର ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ଓ ଅଭୂତପୂର୍ବ ଜାଗରଣ ସୃଷ୍ଟି କରିବା ସହିତ ସେମାନଙ୍କୁ ଏକତାବଦ୍ଧ ହୋଇ ସଂଗ୍ରାମ କରିବାକୁ ପ୍ରେରିତ କରିଥିଲା। ତାଙ୍କ ଡାକରାରେ ଅନୁପ୍ରାଣୀତ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ଦଳିତ ବା ଅସ୍ପୃଶ୍ୟ ଲୋକେ ଜାତି ବ୍ୟବସ୍ଥା ବିରୋଧୀ ଲଢ଼େଇରେ ସାମିଲ ନିଜକୁ ସାମିଲ କରିଥିଲେ। ‘ଅଧ୍ୟୟନ କର, ସଂଗଠିତ ହୁଅ ଓ ସଂଘର୍ଷ କର’ ତାଙ୍କର ସବୁଠାରୁ ବେଶି ଲୋକପ୍ରିୟ ସ୍ଳୋଗାନ ଥିଲା।
ଦଳିତ ପ୍ରସଙ୍ଗକୁ ଜାତୀୟ ରାଜନୀତିର କର୍ମସୂଚୀ ବା ଏଜେଣ୍ଡାରେ ସାମିଲ କରିବା ତାଙ୍କର ଅନ୍ୟତମ ପ୍ରମୁଖ ଅବଦାନ ଥିଲା। ଦେଶ ସ୍ୱାଧୀନ ହେବା ପରେ ତାଙ୍କର ଜ୍ଞାନ ଓ ଯୋଗ୍ୟତାକୁ ଦେଖି ତାଙ୍କୁ ଦେଶର ପ୍ରଥମ ଆଇନମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯିବା ସହ ସମ୍ବିଧାନ ପ୍ରସ୍ତୁତିର ଦାୟୀତ୍ୱ ମଧ୍ୟ ଦିଆଯାଇଥିଲା। ସେ ଅକ୍ଳାନ୍ତ ପରିଶ୍ରମ କରି ଶେଷରେ ଦେଶର ସମ୍ବିଧାନକୁ ପ୍ରସ୍ତୁତ କରିବା ସହ ସେଥିରେ ଦଳିତ, ଆଦିବାସୀ ଓ ମହିଳାଙ୍କ ସମେତ ସମାଜର ସାଧାରଣ ଲୋକଙ୍କୁ ଅନେକ ଗୁଡ଼ିଏ ଅଧିକାର ଦେଇଥିଲେ। ସମ୍ବିଧାନରେ ଜାତି କାରଣରୁ ସାମାଜିକ ଓ ଶିକ୍ଷାଗତ ଭାବେ ପଛରେ ରହିଥିବା ଦଳିତ ଓ ଆଦିବାସୀମାନଙ୍କୁ ଶିକ୍ଷା, ସରକାରୀ ଚାକିରୀ ଓ ରାଜନୈତିକ ପଦପଦବୀରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରି ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ। ତେବେ ତତ୍କାଳୀନ ଜାତୀୟ ରାଜନୀତିରେ ଉଚ୍ଚଜାତିମାନଙ୍କ ପ୍ରଭାବ ତଥା ଜାତି, ମହିଳାଙ୍କ ଅଧିକାର ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ଆଭିମୁଖ୍ୟରେ କ୍ଷୁବ୍ଧ ଓ ନିରାଶ ହୋଇ ଶେଷରେ ଆଇନ ମନ୍ତ୍ରୀପଦରୁ ବି ଇସ୍ତଫା ଦେଇଥିଲେ। ଡ଼ଃ ଆମ୍ବେଦକର, ତାଙ୍କ ସମୟର ରାଜନୈତିକ ଜୀବନରେ ଆଧିପତ୍ୟ ବିସ୍ତାର କରିଥିବା ବ୍ରାହ୍ମଣବାଦୀ ବା ଜାତିବାଦୀ ଶକ୍ତିମାନଙ୍କ ସମସ୍ତ ପ୍ରତିବନ୍ଧକ ତଥା ଷଡ଼ଯନ୍ତ୍ରର ମୁକାବିଲା କରି ଆଗକୁ ବଢ଼ିବା ସହିତ ଜାତି ବ୍ୟବସ୍ଥା ବିରୁଦ୍ଧରେ ପୂର୍ବରୁ ସଂଗ୍ରାମ କରି ଆସିଥିବା ଆୟାଂକଲି, ନାରାୟଣ ଗୁରୁ, ମହାତ୍ମା ଜ୍ୟୋତିବା ଫୁଲେ ଓ ପେରିୟାର୍ଙ୍କ ଭଳି ସମାଜ ସଂସ୍କାରକମାନଙ୍କ ସଂଗ୍ରାମକୁ ଅନେକ ପାଦ ଆଗକୁ ନେବାରେ ସକ୍ଷମ ହୋଇପାରିଥିଲେ।
ଆଜି ଡ଼ଃ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଦେଶରେ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ଉପରେ ଜାତିବାଦୀ ଓ ଧର୍ମବାଦୀ ଶକ୍ତିମାନଙ୍କ ଆକ୍ରମଣ ଜୋରଦାର ହେବାରେ ଲାଗିଛି। ଦେଶୀ ବିଦେଶୀ ବଡ଼ ପୁଞ୍ଜିପତିଙ୍କ ବୋଲକରା ଶକ୍ତିମାନେ ଗୋଟିଏ ପଟେ ଦେଶର ପ୍ରାକୃତିକ ସମ୍ପଦ ଓ ରାଷ୍ଟ୍ରାୟତ୍ତ ସଂପତିକୁ ଶାଗମାଛ ଦରରେ ବଡ଼ ବଡ଼ କମ୍ପାନୀଙ୍କ ହାତକୁ ଚାଲିଯାଉଥିବାବେଳେ ସମାଜର ଶ୍ରମିକ ଓ କୃଷକଙ୍କ ଉପରେ ଆକ୍ରମଣ ଜୋରଦାର ହେଉଛି। ସମାଜରେ ଉଚ୍ଚଜାତିଙ୍କ ଆଧିପତ୍ୟ ଥିବା ଜାତି ବ୍ୟବସ୍ଥା ସୁଦୃଢ଼ ହେଉଥିବା ବେଳେ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟ ପରି ସାମ୍ବିଧାନିକ ମୂଲ୍ୟବୋଧ ଦୁର୍ବଳ ହେଉଛି। ସାମାଜିକ ନ୍ୟାୟ ପରିବର୍ତ୍ତେ ବର୍ତ୍ତମାନର ଜାତିଭିତ୍ତିକ ବ୍ୟବସ୍ଥାକୁ ଅବ୍ୟାହତ ରଖିବାକୁ ଚାହୁଁଥିବା ଶକ୍ତିମାନେ ଦେଶର ବିଭିନ୍ନ ସ୍ଥାନରେ ଧର୍ମ ଓ ଜାତି ନାଁରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ଲୋକଙ୍କ ଉପରେ ବାରମ୍ବାର ଆକ୍ରମଣ କରିଚାଲିଛନ୍ତି।
ସାମାଜିକ ଓ ଶୈକ୍ଷିକ ଭାବେ ପଛରେ ରହିଥିବା ଦଳିତ ଓ ଆଦିବାସୀମାନଙ୍କୁ ସମାନ ସୁଯୋଗ ଓ ନ୍ୟାୟ ଦେବା ଲକ୍ଷ୍ୟରେ ଡ଼ଃ ଆମ୍ବେଦକର ସମ୍ବିଧାନ ପ୍ରସ୍ତୁତି କଲାବେଳେ ଶିକ୍ଷା, ଚାକିରୀ ଓ ସରକାରୀ ପଦପଦବୀରେ ଯେଉଁ ସଂରକ୍ଷଣର ବ୍ୟବସ୍ଥା କରିଥିଲେ, ତାହାକୁ ହଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ସରକାରୀ ସଂସ୍ଥାଗୁଡ଼ିକୁ ଘରୋଇ କମ୍ପାନୀଙ୍କୁ ବିକ୍ରି କରିବା ନୀତି ଯୋଗୁଁ ସେସବୁରେ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ ହୋଇଯିବା ଫଳରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ପିଲାମାନେ ଆଉ ସଂରକ୍ଷଣର ଲାଭ ପାଇବା ଏଣିକି ଅସମ୍ଭବ ହେବାକୁ ଯାଉଛି। ସରକାରୀ ଶିକ୍ଷାକୁ ସମାପ୍ତ କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ସମାଜର ଗରିବ ବିଶେଷ କରି ଦଳିତ ଓ ଆଦିବାସୀ ପିଲାମାନେ ମାଗଣାରେ ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହେବାକୁ ଯାଉଛନ୍ତି। ଦେଶୀ ବିଦେଶୀ ପୁଞ୍ଜିର ସ୍ୱାର୍ଥରେ ଦେଶରେ ଛତୁ ଫୁଟିଲା ପରି ଘରୋଇ ସ୍କୁଲ, କଲେଜ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ତିଆରି ହେଉଥିବା ବେଳେ ସରକାରୀ ସ୍କୁଲ, କଲେଜ ସବୁ ବନ୍ଦ ହେବାରେ ଲାଗିଛି। ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ୧୪ ହଜାର ପ୍ରାଥମିକ ସ୍କୁଲ ସମେତ ଦେଶରେ ଏକ ଲକ୍ଷରୁ ଅଧିକ ପ୍ରାଥମିକ ସ୍କୁଲ ବନ୍ଦ ହେବାକୁ ଯାଉଛି। ରାଜ୍ୟରେ କଲ୍ୟାଣ ବିଭାଗ ଅଧିନରେ ପରିଚାଳିତ ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀ ନିବାସମାନଙ୍କରେ ରହୁଥିବା ପିଲାଙ୍କ ପାଇଁ ସରକାର ଦୈନିକ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବା ଲଜ୍ଜାଜନକ।
ସମାଜରେ ପୁଞ୍ଜିବାଦ, ଜାତିବାଦ ଓ ସାମ୍ପ୍ରଦାୟିକତାବାଦର ପ୍ରତୀକ ସାଜିଥିବା ଶକ୍ତିମାନଙ୍କ ବିରୁଦ୍ଧରେ ଡ଼ଃ ଆମ୍ବେଦକର ସର୍ବଦା ଲଢ଼େଇ କରି ଆସିଥିଲେ। ଆଜି (ଏପ୍ରିଲ ୧୪) ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ଦେଶର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟର ସୁରକ୍ଷା ପାଇଁ ସଂଗ୍ରାମ ସହ ଏକ ଜାତିବିହୀନ ଓ ଶୋଷଣ ବିହୀନ ସମାଜର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନକୁ ଆଗେଇ ନେବା ଜରୁରୀ ହୋଇ ପଡ଼ିଛି।
ଫୋନ - ୯୪୩୭୧୬୬୩୯୧